ନୂଆଦିଲ୍ଲୀ, ୨୨।୭: ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଏବେ ଆମେରିକା ଆଗରେ ସାହାଯ୍ୟ ପାଇଁ ହାତ ପାତିଛି । ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା କୂଟନୈତିକ ଆଲୋଚନାରେ ମଧ୍ୟସ୍ଥତା ସାଜିବା ପରେ ପାକିସ୍ତାନ ଏବେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ନିକଟରୁ ୧୦ ବିଲିୟନ୍ ଡଲାରର ଆର୍ଥିକ ସହାୟତା ମାଗିଛି । ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପାକିସ୍ତାନ ଆମେରିକା ନିକଟରୁ ‘ଏକ୍ସଚେଞ୍ଜ ଷ୍ଟାବିଲାଇଜେସନ୍ ଫ୍ୟାସିଲିଟି’ ଦାବି କରିଛି । ବିଦେଶୀ ମୁଦ୍ରା ଭଣ୍ଡାରକୁ ସ୍ଥିର ରଖିବା ଏବଂ ପାକିସ୍ତାନୀ ଟଙ୍କାର ମୂଲ୍ୟ ବଜାୟ ରଖିବା ପାଇଁ ଏହି ଅର୍ଥ ଅନୁରୋଧ କରାଯାଇଛି ।

ପାକିସ୍ତାନର ଅର୍ଥମନ୍ତ୍ରୀ ମହମ୍ମଦ ଆଉରଙ୍ଗଜେବ ଆମେରିକାର ଅର୍ଥମନ୍ତ୍ରୀ ସ୍କଟ୍ ବେସେଣ୍ଟଙ୍କ ସହ ୱାଶିଂଟନରେ ସାକ୍ଷାତ କରି ଏହି ପ୍ରସ୍ତାବ ଦେଇଛନ୍ତି । ଏହି ସହାୟତା ପାଞ୍ଚ ବର୍ଷର ଦ୍ୱିପାକ୍ଷିକ ଚୁକ୍ତି ଅଧୀନରେ ମାଗିଛି ପାକିସ୍ତାନ । ଯଦି ଆମେରିକା ଏହି ପାଣ୍ଠି ମଞ୍ଜୁର କରେ, ତେବେ ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାର ବୃଦ୍ଧି ପାଇବ । ଏହାଦ୍ୱାରା ଦେଶର ମୁଦ୍ରା ଉପରେ ଚାପ କମିବ ଏବଂ ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥାଗୁଡ଼ିକ ଉପରେ ଏହାର ନିର୍ଭରଶୀଳତା ହ୍ରାସ ପାଇବ । ଏହି ଅର୍ଥ ମିଳିଲେ ମଧ୍ୟ ପାକିସ୍ତାନ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର କଠୋର ଆର୍ଥିକ ନୀତିଗୁଡ଼ିକୁ ପାଳନ କରିବା ଜାରି ରଖିବ ବୋଲି କୁହାଯାଇଛି ।

ଏହା ବି ପଢ଼ନ୍ତୁ... Trump’s Saudi Nuclear Deal : ସାଉଦିଆରବ ସହ ପରମାଣୁ ଡିଲ୍ କଲେ ଟ୍ରମ୍ପ, ବଢ଼ିବକି ପରମାଣୁ ଅସ୍ତ୍ରର ବିପଦ ?

କ’ଣ ଏହି ‘ଏକ୍ସଚେଞ୍ଜ ଷ୍ଟାବିଲାଇଜେସନ୍ ଫ୍ୟାସିଲିଟି’ ?

ଆମେରିକା ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ବ୍ୟବହୃତ ଏହା ଏକ ବିଶେଷ ଆର୍ଥିକ ବ୍ୟବସ୍ଥା । ଏହା ଅଧୀନରେ ସଙ୍କଟରେ ଥିବା କୌଣସି ଦେଶକୁ ଆମେରିକା ଡଲାର ସହାୟତା, କରେନ୍ସି ସ୍ୱାପ୍ କିମ୍ବା ସରକାରୀ ଗ୍ୟାରେଣ୍ଟି ପ୍ରଦାନ କରାଯାଏ । ୨୦୨୩ ମସିହାରେ ପାକିସ୍ତାନ IMF ରୁ ୩ ବିଲିୟନ୍ ଡଲାରର ଜରୁରୀକାଳୀନ ଋଣ ନେଇ ଦେବାଳିଆ ହେବାରୁ ବର୍ତ୍ତି ଯାଇଥିଲା । ଏହା ପରେ ଦେଶକୁ IMF ରୁ ୭ ବିଲିୟନ୍ ଡଲାର ଏବଂ ଜଳବାୟୁ ସଙ୍କଟ ପାଇଁ ୧.୩ ବିଲିୟନ୍ ଡଲାରର ଅତିରିକ୍ତ ଋଣ ମିଳିଥିଲା । ଏସବୁ ସତ୍ତ୍ୱେ, ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାର ବର୍ତ୍ତମାନ ସୁଦ୍ଧା ଚୀନ୍ ଏବଂ ସାଉଦି ଆରବ ଭଳି ମିତ୍ର ଦେଶଗୁଡ଼ିକରୁ ମିଳୁଥିବା ଅର୍ଥ ଓ ପୁରୁଣା ଋଣର ଅବଧି ବୃଦ୍ଧି ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ଏଭଳି ସ୍ଥିତିରେ, ଆମେରିକା ପାକିସ୍ତାନର ଏହି ଦାବିକୁ ସ୍ୱୀକାର କରୁଛି କି ନାହିଁ, ତାହା ଉପରେ ସାରା ବିଶ୍ୱର ନଜର ରହିଛି ।