ସାଉଦିଆରବ,୨୨\୭ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାଉଦି ଆରବ ସହିତ ଏକ ପ୍ରମୁଖ ବେସାମରିକ ପରମାଣୁ ଚୁକ୍ତିକୁ ଅନୁମୋଦନ କରିଛନ୍ତି । ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟ ଅନୁଯାୟୀ, ଏହି ଚୁକ୍ତି ସାଉଦି ଆରବକୁ ଘରୋଇ ଭାବରେ ୟୁରାନିୟମ ସମୃଦ୍ଧ କରିବାକୁ ଅନୁମତି ଦେଇପାରେ। ଏହି ଚୁକ୍ତିନାମା ଏବେ ଚର୍ଚାରେ ଅଛି କାରଣ, ଆମେରିକା ଅନ୍ୟ ଦେଶଗୁଡ଼ିକ ସହିତ ସ୍ୱାକ୍ଷର କରିଥିବା ପୂର୍ବ ପରମାଣୁ ଚୁକ୍ତିନାମାରେ କଠୋର ସୁରକ୍ଷା ବ୍ୟବସ୍ଥା ଥିଲା । ଯାହା ନିଶ୍ଚିତ କରେ ଯେ ପରମାଣୁ ପ୍ରଯୁକ୍ତି ବିଦ୍ୟା କେବଳ ଶକ୍ତି ଉତ୍ପାଦନ ଏବଂ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ, ପରମାଣୁ ଅସ୍ତ୍ର ବିକାଶ ପାଇଁ ନୁହେଁ । କିନ୍ତୁ, ସାଉଦି ଆରବ ସହିତ ହୋଇଥିବା ଏହି ଚୁକ୍ତିନାମାରେ ଏପରି କୌଣସି ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ଅନ୍ତର୍ଭୁକ୍ତ ନାହିଁ ।
୩୦ ବର୍ଷର ଚୁକ୍ତିନାମା
ରିପୋର୍ଟ ଅନୁସାରେ, ଏହି ଚୁକ୍ତିନାମା ୩୦ ବର୍ଷ ପାଇଁ ହେବ ଏବଂ ଏହାର ମୂଲ୍ୟ $୧୦ ବିଲିୟନ ହେବ । ଚୁକ୍ତିନାମା ଅନୁଯାୟୀ, ଆମେରିକୀୟ କମ୍ପାନୀଗୁଡ଼ିକ ସାଉଦି ଆରବର ବେସାମରିକ ପରମାଣୁ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହି କ୍ଷେତ୍ରରେ ଅନ୍ୟ ଦେଶର କମ୍ପାନୀଗୁଡ଼ିକୁ କାମ କରିବାର ସୁଯୋଗ ଯଥେଷ୍ଟ ହ୍ରାସ ହେବ । ସୁଚନାମୁତାବକ, ଟ୍ରମ୍ପ ପ୍ରଶାସନ ଆଗାମୀ କିଛି ଦିନ ମଧ୍ୟରେ ଏହି ଚୁକ୍ତିନାମାକୁ ଆମେରିକୀୟ କଂଗ୍ରେସରେ ଅନୁମୋଦନ ପାଇଁ ଉପସ୍ଥାପନ କରିବ ।
ଏହି ଚୁକ୍ତିନାମାରେ ୧୨୩ ଚୁକ୍ତିନାମା ସାମିଲ । ଆମେରିକାର ଶକ୍ତି ସଚିବ କ୍ରିସ୍ ରାଇଟ୍ ଏବଂ ସାଉଦି ଆରବର ଶକ୍ତି ମନ୍ତ୍ରୀ ପ୍ରିନ୍ସ ଅବଦୁଲାଜିଜ୍ ବିନ୍ ସଲମାନଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଛି । ଏହି ଚୁକ୍ତିନାମା ସ୍ଥିର କରେଯେ ଆମେରିକା ଅନ୍ୟ ଦେଶମାନଙ୍କ ସହିତ କିପରି ପରମାଣୁ ସହଯୋଗ କରିବ । ବିଶେଷଜ୍ଞ କହିବା କଥା, ଯଦି ସାଉଦି ଆରବ ନିଜ ଦେଶରେ ୟୁରାନିୟମ ସମୃଦ୍ଧ କରିବା ଜାରି ରଖେ ଏବଂ ଏଥିରେ କଡ଼ା ନଜର ରଖା ନଯାଏ, ତେବେ ଭବିଷ୍ୟତରେ ପରମାଣୁ ଅସ୍ତ୍ର ବିକଶିତ ହେବାର ବିପଦ ବଢ଼ିପାରେ । ସାଉଦି ଯୁବରାଜ ମହମ୍ମଦ ବିନ୍ ସଲମାନ ପୂର୍ବରୁ କହିଛନ୍ତି ଯେ , ଯଦି ଇରାନ ପରମାଣୁ ଅସ୍ତ୍ର ହାସଲ କରେ, ତେବେ ସାଉଦି ଆରବ ମଧ୍ୟ ନିଜର ଅସ୍ତ୍ର ବିକଶିତ କରିବାକୁ ଚେଷ୍ଟା କରିବ ।
CNN ରିପୋର୍ଟ ଅନୁଯାୟୀ, ଏହି ଚୁକ୍ତିନାମା ପାଇଁ ସାଉଦି ଆରବକୁ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (IAEA)ର ଅତିରିକ୍ତ ପ୍ରୋଟୋକଲରେ ସାମିଲ ହେବାକୁ ପଡ଼ିବ ନାହିଁ । ଯାହା ବିଶ୍ୱବ୍ୟାପୀ ପରମାଣୁ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିବା ପାଇଁ ଡିଜାଇନ୍ କରାଯାଇଛି । ରିପୋର୍ଟ ଅନୁଯାୟୀ, ଏହା ବଦଳରେ ଆମେରିକା ଏବଂ ସାଉଦି ଆରବ ମଧ୍ୟରେ ଏକ ପୃଥକ ଦ୍ୱିପାକ୍ଷିକ ପର୍ଯ୍ୟବେକ୍ଷଣ ବ୍ୟବସ୍ଥା ପ୍ରତିଷ୍ଠା କରାଯିବ । ଏହି କାରଣରୁ ବିଶେଷଜ୍ଞମାନେ ଚିନ୍ତା ପ୍ରକାଶ କରିଛନ୍ତି ଯେ ,ଏହି ଚୁକ୍ତିନାମା ଭବିଷ୍ୟତରେ ବିଶ୍ୱ ପରମାଣୁ ସୁରକ୍ଷା ଏବଂ ପରମାଣୁ ଅସ୍ତ୍ରର ପ୍ରସାରକୁ ରୋକିବାରେ ପ୍ରଭାବ ପକାଇପାରେ ।