କିଏ ଏହି ମଡେଲ ଅନିସା ଶେଖ? ଭାରତୀୟ ଡିଜାଇନରଙ୍କ ଲେହେଙ୍ଗା ପିନ୍ଧି ପାକିସ୍ତାନକୁ କରୁଛନ୍ତି ରିପ୍ରେଜେଣ୍ଟ

ମୁମ୍ବାଇ ୨୮/୧୧: ଆଜିକାଲି ଜଣେ ପାକିସ୍ତାନୀ ମଡେଲ ସୋସିଆଲ ମିଡିଆରେ ଚର୍ଚ୍ଚାରେ । ଯିଏକି ନିକଟରେ ଏକ ଲୋକପ୍ରିୟ ଫ୍ୟାଶନ ସୋ’ର ରାମ୍ପରେ ତାଙ୍କ ଲୁକ୍କୁ ନେଇ ଆଲୋଚନାରେ ରହିଛନ୍ତି। ଏହି ମଡେଲ୍ ଜଣଙ୍କ ହେଉଛନ୍ତି ଅନିସା ଶେଖ। ଯାହାଙ୍କ ବୟସ ମାତ୍ର ୨୦ ବର୍ଷ। ଅନିସା ଜଣେ ପାକିସ୍ତାନୀ-ଆମେରିକୀୟ ମଡେଲ ହେବା ବ୍ୟତୀତ ଅଭିନେତ୍ରୀ ଏବଂ ଗାୟିକା । ଅକ୍ଟୋବରରେ, ଅନିସା ମିସ୍ ଗ୍ରାଣ୍ଡ ପାକିସ୍ଥାନ ୨୦୨୨ ଭାବରେ ଚର୍ଚ୍ଚାକୁ ଆସିଥିଲେ ଏବଂ ଆଜିକାଲି ସେ ନ୍ୟୁୟର୍କ ଫ୍ୟାଶନ ୱିକ୍ରେ ବ୍ୟସ୍ତ ଅଛନ୍ତି।

ନିକଟରେ ଅନିସା ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି, ଯାହା ନ୍ୟୁୟର୍କ ଫ୍ୟାଶନ ୱିକ୍ରୁ ଆସିଛି। ଫ୍ୟାଶନ୍ ୱିକ୍ରେ ଅନିସା ପିନ୍ଧିଥିବା ଲେହେଙ୍ଗାକୁ ଜଣେ ଭାରତୀୟ ଡିଜାଇନର୍ ପ୍ରସ୍ତୁତ କରିଛି। ଏହି ଫଟୋଗୁଡିକ ସେୟାର କରି ଅନିସା ଏକ ଲମ୍ବା ନୋଟ୍ ଲେଖିଛନ୍ତି ଏବଂ ଏହି ପୋଷାକ ବାଛିବା ପଛର କାରଣ ବର୍ଣ୍ଣନା କରିଛନ୍ତି।
ଅନିସା ତାଙ୍କ ପୋଷ୍ଟରେ ଲେଖିଛନ୍ତି- ‘ଯେତେବେଳେ ଜଣେ ଇଣ୍ଟରଭ୍ୟୁୟର କହିଲେ-‘ ଆପଣ ତ ପାକିସ୍ତାନକୁ ରିପ୍ରେଜେଣ୍ଟ କରୁଛନ୍ତି, କିନ୍ତୁ ନ୍ୟୁୟର୍କ ଫ୍ୟାଶନ ୱିକ୍ରେ ଜଣେ ଭାରତୀୟ ଡିଜାଇନରଙ୍କ ଡ୍ରେସ୍ ପିନ୍ଧି ୱାକ୍ କରୁଛ।’

ଏହି ପ୍ରଶ୍ନର ଉତ୍ତର ଦେଇ ଅନିସା ତାଙ୍କ ପୋଷ୍ଟରେ ଲେଖିଛନ୍ତି- ‘ଯଦି ଆମେ ଅନ୍ୟମାନଙ୍କ ଦ୍ୱାରା ନିର୍ମିତ ଅଳଙ୍କାର, ୬ ଇଞ୍ଚ ହିଲ୍ ଏବଂ ନକଲି ଆଇଲ୍ୟାସେଜ୍ ଲଗାଇ ଫ୍ୟାଶନ୍ ପ୍ରଦର୍ଶନ କରିପାରିବା, ତେବେ ଦକ୍ଷିଣ ଏସୀୟ ଲୋକଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ଡ୍ରେସ୍ ପିନ୍ଧି ଖୁସି କାହିଁକି ହୋଇପାରିବାନି। ଫ୍ୟାଶନର ଅର୍ଥ ଦେଶ ବିଦେଶର ଡିଜାଇନରମାନଙ୍କ ସହ ଆସିବା।

ଅନିସା ଆହୁରି ଲେଖିଛନ୍ତି- ‘ଯଦି ଫ୍ୟାଶନ ଏକତା, ଯୁଦ୍ଧ ଏବଂ ହିଂସାକୁ ଶେଷ କରିବା ପାଇଁ ପ୍ରଥମ ପଦକ୍ଷେପ, ତେବେ ମୁଁ ଗର୍ବର ସହିତ ଏହାକୁ ପ୍ରତିନିଧିତ୍ୱ କରିବି।’ ଅନିସା ଏବେ ତାଙ୍କ ଏହି ବିବୃତ୍ତିକୁ ନେଇ ଆଲୋଚନାରେ ଅଛନ୍ତି। ତାଙ୍କ ପୋଷ୍ଟ ଏବଂ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ବହୁ ରଙ୍ଗର ଲେହେଙ୍ଗାରେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି।