ନୂଆଦିଲ୍ଲୀ ୨୨/୦୪: ବଲିଉଡ୍ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ଏଆଇ ଫଟୋ ବ୍ୟବହାର କରି ପାକିସ୍ତାନର ଏକ ପୋଷାକ ବ୍ରାଣ୍ଡ ଏବେ ବିବାଦରେ । ନିଜର ଶାଢ଼ି ଏବଂ ସାଲୱାର ସୁଟ୍ ଡିଜାଇନ୍କୁ ଲୋକପ୍ରିୟ କରାଇବା ଉଦ୍ଦେଶ୍ୟରେ ବ୍ରାଣ୍ଡ ପକ୍ଷରୁ ସେଥିରେ ଆଲିୟାଙ୍କ ଫଟୋକୁ ବ୍ୟବହାର କରାଯାଇଥିଲା । ଏହା ସାମ୍ନାକୁ ଆସିବା ପରେ ବ୍ରାଣ୍ଡକୁ ଅନେକ ସମାଲୋଚନା କରାଯାଉଛି ।
‘ବଜୟେଶା ଅଫିସିଆଲ’ ପକ୍ଷରୁ ଏପ୍ରିଲ ୧୬ ତାରିଖରେ ନିଜର ଇନ୍ଷ୍ଟାହ୍ୟାଣ୍ଡଲରେ ଆଲିୟାଙ୍କ କିଛି ଫଟୋ ପୋଷ୍ଟ କରାଯାଇଥିଲା । ସେଥିରେ ଆଲିୟାଙ୍କୁ ଗାଢ଼ ଲାଲ୍, ନୀଳ ଏବଂ କଳା ରଙ୍ଗର ସାଲୱାର ସୁଟ୍ରେ ଦେଖିବାକୁ ମିଳିଥିଲା । କ୍ୟାପସନ୍ରେ ଲେଖାଯାଇଥିଲା, ଆଲିୟା ଭଟ୍ଟ ବି ଆମର ସିଲ୍କ କଲେକସନ୍କୁ ପସନ୍ଦ କରନ୍ତି । କିନ୍ତୁ ତାହା ଆଲିୟାଙ୍କର କୌଣସି ଅଫିସିଆଲ ଫଟୋସୁଟ୍ ନଥିଲା । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟର ଅଭିନେତ୍ରୀଙ୍କର ପୁରୁଣା ଫଟୋକୁ ଏଆଇ ଏବଂ ଡିଜିଟାଲ୍ ଏଡିଟିଙ୍ଗ ଜରିଆରେ ବ୍ରାଣ୍ଡର ପୋଷାକରେ ସୁପରଇମ୍ପୋଜ କରାଯାଇଥିଲା ।
‘ବଜୟେଶା ଅଫିସିଆଲ’ର ସେହି ପୋଷ୍ଟ ଭାଇରାଲ୍ ହେବା ପରେ ଅନେକ ୟୁଜର ଏହାକୁ କପିରାଇଟ୍ର ଉଲ୍ଲଂଘନ ବୋଲି ଦର୍ଶାଇ ବ୍ରାଣ୍ଡକୁ ଟ୍ରୋଲ କରୁଛନ୍ତି । ସେମାନେ ଆଲିୟା ଏବଂ ତାଙ୍କ ଟିମ୍କୁ ନିଜ ପୋଷ୍ଟରେ ଟ୍ୟାଗ୍ କରୁଛନ୍ତି । ତେବେ ଆଲିୟାଙ୍କ ପକ୍ଷରୁ ଅଦ୍ୟାବଧି ଏଥିନେଇ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ । ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ଆଲିୟାଙ୍କୁ ଆଗକୁ ଥ୍ରିଲର ‘ଆଲ୍ଫା’ରେ ଦେଖିବାକୁ ମିଳିବ । ସେଥିରେ ତାଙ୍କ ସହ ଶର୍ବରୀ ୱାଘ, ଅନୀଲ କପୁର ଏବଂ ବବି ଦେଓଲ ନଜର ଆସିବେ । ଜୁଲାଇ ୧୦ରେ ଫିଲ୍ମଟି ରିଲିଜ୍ ହେବ ।
ଆହୁରି ପଢ଼ନ୍ତୁ...ଛାଡ଼ପତ୍ରର ୧୪ ବର୍ଷ ପରେ ୪୦ ବର୍ଷରେ ଦ୍ୱିତୀୟ ବିବାହ କରିବେ ଜେନିଫର ! ମିଷ୍ଟ୍ରିମ୍ୟାନଙ୍କ ସହ ଫଟୋ ଭାଇରାଲ