ଖଲ୍ଲିକୋଟ,୨୩/୧୧ : ମୃତ୍ୟୁ ପରେ ବି ଅଙ୍ଗଦାନ କରି ଅମର ରହିଲେ ଜଣେ ଓଡ଼ିଆ ଦାଦନ ଶ୍ରମିକ । ଦାଦନ ଶ୍ରମିକ ଜଣଙ୍କ ହେଲେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଆମ୍ବଝର ନୂଆପଲ୍ଲୀ ଗ୍ରାମର କବିରାଜ ପ୍ରଧାନଙ୍କ ସାନ ପୁଅ ପଞ୍ଚୁ (୩୯) । ସୁରଟରେ ପଞ୍ଚୁଙ୍କ ଏକ ଦୁର୍ଘଟଣାରେ ବ୍ରେନ ଡେଡ ଘୋଷଣା ପରେ ଅଙ୍ଗଦାନ କଲେ ପରିବାର ।
ସୂଚନା ଅନୁସାରେ, ପଞ୍ଚୁ ଗତ ୧୫ବର୍ଷ ଧରି ସୁରତର କଡୋଦରାଠାରେ ରହି ସୂତାକଳରେ କାରିଗର ଭାବେ କାମ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ। ଗତ ୧୭ତାରିଖରେ କାମରୁ ଫେରୁଥିବା ସମୟରେ ପଞ୍ଚୁ ରାସ୍ତାରେ ପଡ଼ି ଯାଇ ବେହୋସ ହୋଇଯାଇଥିଲେ। ତାଙ୍କର କିଛି ବନ୍ଧୁ ଖବରପାଇ ତାଙ୍କୁ ସେଠାକାର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଯାଇଥିଲେ । ଚିକିତ୍ସା ଅବସ୍ଥାରେ ୨୧ତାରିଖ ଦିନ ଡାକ୍ତର ତାଙ୍କୁ ବ୍ରେନ ଡେଡ ଘୋଷଣା କରିଥିଲେ ।
ଅଙ୍ଗଦାନ ମହତ ଦାନ ଏ ବିଷୟରେ ଡାକ୍ତର ତାଙ୍କ ବଡ଼ ଭାଇ ଓ ଫୋନ ଯୋଗେ ସୁରତ ପ୍ରବାସୀ ଓଡ଼ିଆ ସମାଜ ସେବୀ ଶ୍ରୀକାନ୍ତ ରାଉତଙ୍କ ସହଯୋଗରେ ପରିବାରଙ୍କୁ ବୁଝାସୁଝା କରିବା ପରେ ଅଙ୍ଗଦାନ କରିବାକୁ ସହମତି ପ୍ରଦାନ କରାଯାଇଥିଲା। ମୃତ ପଞ୍ଚୁ ପ୍ରଧନଙ୍କ ଦୁଇଟି କିଡ଼ନୀ ଓ ଲିଭରକୁ ଦାନ କରାଯାଇଥିଲା। ଫଳରେ ତିନି ଜଣଙ୍କ ଜୀବନରେ ଆଶାର କିରଣ ସଂଚାର ହୋଇଛି । ଅଙ୍ଗ ଦାତାଙ୍କ ପ୍ରୋତ୍ସାହନ ପାଇଁ ଓଡ଼ିଶା ସରକାର ୨୦୧୯ଠାରୁ ସୁରଜ ଆୱାର୍ଡ଼ରେ ପରିବାରଙ୍କୁ ସମ୍ମାନିତ କରି ଆସୁଛନ୍ତି । ଗୁଜୁରାଟ ସରକାରଙ୍କ ସହାୟତାରେ ପଞ୍ଚୁ ପ୍ରଧାନଙ୍କ ମର ଶରୀର ସୁରଟରୁ ବାହାରିଯାଇଛି। ସୋମବାର ମୃତଦେହ ନିଜ ଗ୍ରାମ ଆମ୍ବଝର ନୂଆପଲ୍ଲୀରେ ପହଂଚିବ ବୋଲି ଜଣାପଡ଼ିଛି।