ଚନ୍ଦନେଶ୍ଵର,୧୨/୫ (ଆ.ପ୍ର)ପ୍ରବଳ ଗରମ । ଆକାଶରୁ ଖାଲି ନିଆଁ ବର୍ଷୁଛି । ୪୦ଡିଗ୍ରୀରୁ ଅଧିକ ଚାପମାତ୍ରା । ଆଉ ଏଭଳି ଉତ୍ତପ୍ତ ତାପାମାତ୍ରାରେ ଜଳି ଯାଉଛି ପାନ ବରଜର ଲଟାସବୁ । ପାନଲଟା,ପାନ ପତ୍ର ସବୁ ଜଳି ନାଲି ପଡି ଯାଉଛି । ପାଣି,ସାର,ଔଷଧ କିଛି କାମ କରୁନାହିଁ । ନା ମିଳୁଛି ପାନକୁ କୃଷିର ମାନ୍ୟତା ନା ସରକାରୀ ସହାୟତା । କେବଳ ନିଜ ଭାଗ୍ୟକୁ ଆଦରି ଗୁମୁରି, ଗୁମୁରି କାନ୍ଦିବା ଛଡା ଅନ୍ୟ କିଛି ଉପାୟ ନାହିଁ । ଏଭଳି ଏକ ଅଭାବନୀୟ ପରିସ୍ଥିତି ଆସିଛି ବାଲେଶ୍ଵର ଜିଲ୍ଲା ଭୋଗରାଇର ଗୋଛିଦାଡେଘରି ପଂଚୟତ ଅଧୀନ ମଙ୍ଗରାଜପୁର ଗାଁର ହିମାଂଶୁ ପ୍ରଧାନଙ୍କ ପାଇଁ ।
ବିବରଣୀରୁ ପ୍ରକାଶ,ମଙ୍ଗରାଜପୁର ଗାଁର ହିମାଂଶୁ ପ୍ରଧାନଙ୍କ ୩ଜଣ ଭାଇ ସମସ୍ତେ ଏହି ପାନ ବରଜକୁ ଜୀବିକା ଭାବେ ନେଇ କାମ କରନ୍ତି । ପରିବାରର ପ୍ରାୟ ୧ ୨ଜଣ ସଦସ୍ୟ। ପାନ ବରଜରେ ୧୬ହଜାରରୁ ଅଧିକ ଲଟା । ଗୋଟିଏ ଗୋଟିଏ ପାନ ତୋଳିଲେ ୪ ପଣ( ଏକ ପଣ ୮୦କଡା) ହୁଏ । ଏବେ ପ୍ରତି ଲଟାରେ ୧ ୨/୧୩ଟି ପାନ ରହିଥିଲା । ପାନ ପଣକୁ ୧୫ ଶହରୁ ୨ହଜାର ଟଙ୍କା ଏବେ ବଜାର ଦର ରହିଛି । ମାତ୍ର ପ୍ରବଳ ଗରମ ସବୁ ସ୍ୱପ୍ନକୁ ଉଜାଡି ଦେଇଛି । ପ୍ରାୟ ୧ଲକ୍ଷ ଟଙ୍କାର ପାନ ସହିତ ସମ୍ପୂର୍ଣ ବରଜଟି ନଷ୍ଟ ହେବାକୁ ବସିଛି । ଏଭଳି ପରିସ୍ଥିତିରେ ଘରେ ୨ଦିନ ହେଲା ଚୁଳି ଜଳୁନି । ନିୟମିତ ବରଜରେ ପାଣି ଦେବା ସହିତ ଯେତେ ସାର, ଔଷଧ ପ୍ରୟୋଗ କଲେ ବି କିଛି ସୁଫଳ ମିଳୁନାହିଁ ।
ପାନ,ଧାନ, ମୀନର ଅଂଚଳ ଭୋଗରାଇର ୨୦ରୁ ଅଧିକ ପଞ୍ଚାୟତରେ ଲୋକ ପାନଚାଷ ଉପରେ ନିର୍ଭର କରନ୍ତି । ଦୀର୍ଘ ବର୍ଷ ହେଲା ପାନ ଓ ତା’ର ଯୋଡି ଖଡିକୁ କୃଷିର ମାନ୍ୟତା ପାଇଁ ଦାବୀ କରି ଆସୁଛନ୍ତି ଭୋଗରାଇବାସୀ ।