ସୋରଡ଼ା,୩/୧୨ : ସୋରଡ଼ା ବ୍ଲକ ପଦ୍ମପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ପୁରିଲାଣି ୧୦୦ବର୍ଷରୁ ଊର୍ଦ୍ଧ୍ୱ ଦିନ I ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଛନ୍ତି ୩୨୫ପାଖାପାଖି ଛାତ୍ରଛାତ୍ରୀ I ଅଛନ୍ତି ୧୩ଜଣ ଶିକ୍ଷକ I ମାତ୍ର ସେଠାରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ବର୍ଷେ ହେବ ନିୟମିତ ବିଦ୍ୟାଳୟକୁ ଆସୁନଥିବାରୁ ବିଦ୍ୟାଳୟରେ ସମସ୍ୟା ଲାଗି ରହିଛି I ଅଭିଭାବକମାନେ ବାରମ୍ବାର ଶିକ୍ଷା ବିଭାଗକୁ ଗୁହାରି କରି କରି ନୟାନ୍ତ ହେବା ପରେ ବୁଧବାର ବିଦ୍ୟାଳୟକୁ ଚାବି ପକେଇବାକୁ ବାଧ୍ୟ ହୋଇଛନ୍ତି I ଫଳରେ ଆଜି ଛାତ୍ରଛାତ୍ରୀ, ଶିକ୍ଷକମାନେ ଫାଟକ ସମୁଖରେ ଆପେକ୍ଷା କରି ଫେରିଛନ୍ତି I ଖବରପାଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲୀପ ସ୍ୱାଇଁ, ଅତିରିକ୍ତ ଅଧିକାରୀ ସୁଶୀଳା ପାତ୍ର ପହଂଚି ଅଭିଭାବକମାନଙ୍କୁ ବହୁ ବୁଝାସୁଝା କରି ନିରାଶରେ ଫେରିଛନ୍ତି I

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏକ ବର୍ଷ ହେବ ନିୟମିତ ବିଦ୍ୟାଳୟକୁ ଆସୁନଥିବାରୁ ସମସ୍ତ ପ୍ରକାର ସମସ୍ୟା ଉପୁଜୁଛି I ତେଣୁ ତାଙ୍କୁ ଏଠାରୁ ତୁରନ୍ତ ବଦଳି କରାଯାଇ ନୂତନ ପ୍ରଧାନ ଶିକ୍ଷକ ନିଯୁକ୍ତି ପାଇଁ ଗ୍ରାମବାସୀ ଦାବି କରିଛନ୍ତି I ଶେଷ ଗୁରୁବାର ପାଇଁ ସ୍କୁଲ ଛୁଟି ଥିବାବେଳେ ଶୁକ୍ରବାର ପୁଣି ତାଲା ପକେଇବାକୁ ଗ୍ରାମବାସୀ ସଜବାଜ ଅଛନ୍ତି I ଅନ୍ୟପଟେ ଉକ୍ତ ପ୍ରଧାନ ଶିକ୍ଷକଙ୍କ ଅନୁପସ୍ଥିତ ରହିବା ସମସ୍ୟା ଉପରେ ପୂର୍ବରୁ ୩ଥର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟକୁ ଅବଗତ କରାଯାଇଛି I ସ୍ଥାନୀୟ ବିଭାଗ ମଧ୍ୟ ଜିଲ୍ଲା ଶିକ୍ଷା ବିଭାଗକୁ ଏହାରି ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଭାବେ ଜଣାଇଛନ୍ତି I କିନ୍ତୁ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କ ଉପରେ କାର୍ଯାନୁଷ୍ଠାନ କିଛି ହୋଇନି I ଜିଲ୍ଲାସ୍ତରରେ ଜିଲ୍ଲା ଶିକ୍ଷାଧିକାରୀ ମାନଙ୍କ ବାରମ୍ବାର ବଦଳି ସାଙ୍ଗକୁ ସ୍ଥାନୀୟ ଏଠାରେ ବର୍ଷେ ମଧ୍ୟରେ ୩ଟା ଗୋଷ୍ଠୀ ଶିକ୍ଷା ଅଧିକାରୀ ବଦଳି ଯୋଙ୍ଗୁ ଏପରି ସମସ୍ୟା ଗୁଡ଼ିକ ସମାଧାନ ହେବାରେ ବିଳମ୍ବ ହେଉଥିବା ମଧ୍ୟ ଦେଖାଦେଇଛି l ତେବେ ଜିଲ୍ଲା ଶିକ୍ଷଧିକାରୀ, ଉପଜିଲ୍ଲାପାଳ, ଜିଲ୍ଲପାଳ ଆସି ଏହି ସମସ୍ୟାର ସମାଧାନ କରିବାକୁ ଗ୍ରାମବାସୀ ଅଡ଼ି ବସିଛନ୍ତି I ସାଧନ ସଂଯୋଜକ ସୀମାଞ୍ଚଳ ବିଷୋୟୀଙ୍କ କହିବା ଅନୁଯାୟୀ ଶୁକ୍ରବାର ମଧ୍ୟ ଗ୍ରାମବାସୀ ବିଦ୍ୟାଳୟକୁ କାହାକୁ ଛାଡ଼ିବେନି ବୋଲି କହିଛନ୍ତି I ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀମାନଙ୍କୁ ଅବଗତ କରାଯାଇଛି ବୋଲି କହିଛନ୍ତି I