ଭୁବନେଶ୍ୱର,୧୩/୦୫ : ପାର୍କିଂ ବିବାଦରୁ ପୁଲିସ ବାବୁଙ୍କ ଦବଙ୍ଗଗିରି ଘଟଣା ନୂଆ ମୋଡ଼ ନେଇଛି । ପୁଲିସ ବାବୁଜଣକ ସତରେ ଜଣେ ଅତିରିକ୍ତ ଏସ୍‌ପି ପାହ୍ୟାର ଅଧିକାରୀ, ନା ସେ ନକଲି ପୁଲିସ ପରିଚୟରେ ବର୍ଷ ବର୍ଷ ଧରି ସମସ୍ତଙ୍କୁ ଭୁଆଁ ବୁଲାଉଥିଲେ । ଏନେଇ ପୁଲିସ ଦ୍ୱନ୍ଦ୍ୱରେ ପଡ଼ିଛି । ସେପଟେ ଧରାପଡ଼ିବା ଭୟରେ ସେ ଫୋନ୍‌ ସୁଇଚ୍‌ ଅଫ୍‌ କରି କେଉଁଆଡ଼େ ଗାଏବ୍‌ ହୋଇଯାଇଛନ୍ତି।

କାର ଭଙ୍ଗାରୁଜା ଘଟଣାରେ ଶାସ୍ତ୍ରୀନଗର ପ୍ଲଟ ନଂ ୩୬୪ରେ ରହୁଥିବା ସୁଜିତ୍‌ କୁମାର ନାଏକ ସୋମବାର ସନ୍ଧ୍ୟାରେ ଥାନାର ଦ୍ୱାରସ୍ଥ ହୋଇଥିଲେ । ସେତେବେଳକୁ ଖୋଦ୍‌ ସୁଜିତ୍‌ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ଜାଣିନଥିଲେ । ତାଙ୍କ ପାଖରେ ଏକ ସିସି କ୍ୟାମେରା ଫୁଟେଜ୍‌ ଥିଲା । ଯେଉଁଥିରେ ଧଳା ସାର୍ଟ ଓ ପ୍ୟାଣ୍ଟ ପିନ୍ଧିଥିବା ଜଣେ ବ୍ୟକ୍ତି ତାଙ୍କ କାରକୁ ଏକ ବାଡିରେ ଭାଙ୍ଗୁଥିବାର ଦୃଶ୍ୟ କଏଦ୍‌ ହୋଇଥିଲା । ପୁଲିସ ଅଭିଯୋଗପତ୍ର ରଖିବା କ୍ଷଣି ଏକ ପିସିଆର ଭ୍ୟାନ୍‌ ଘଟଣାସ୍ଥଳକୁ ଯାଇ ଆଖପାଖ ଲୋକଙ୍କୁ ପଚରାଉଚରା କରିଥିଲା । ଆଉ ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ସାମ୍ନାରେ ଗୋଟିଏ ଘେରା ମାରି ଫେରିଆସିଥିଲା । କାହିଁକି ନା, ଶାସ୍ତ୍ରୀନଗର ବାସିନ୍ଦାଙ୍କ ନଜରରେ ସମ୍ପୃକ୍ତ ବ୍ୟକ୍ତି ହେଉଛନ୍ତି ଜଣେ ଉଚ୍ଚପଦସ୍ଥ ପୁଲିସ ଅଧିକାରୀ । ଖୋଦ୍‌ ଥାନା ଅଧିକାରୀ ଏକଥା ସମ୍ପୃକ୍ତ ବ୍ୟକ୍ତିଙ୍କୁ ଫୋନ୍‌ କରିଥିଲେ । ଟ୍ରୁ କଲରରେ ତାଙ୍କ ନାଁ ‘ଅତିରିକ୍ତ ଏସ୍‌ପି ରଜନୀକାନ୍ତ’ ବୋଲି ଦର୍ଶାଇଥିଲା । ଯେହେତୁ, ସେ ଜଣେ ଉଚ୍ଚପଦସ୍ଥ ପୁଲିସ ଅଧିକାରୀ । ପୁଲିସ ତାଙ୍କୁ ରାତିରେ ଥାନାକୁ ଡକାଇବା ଉଚିତ୍‌ ମଣିଲାନି ।

ମଙ୍ଗଳବାର ଦିନତମାମ ଉକ୍ତ ସିସି କ୍ୟାମେରା ଫୁଟେଜ୍‌ଟି ଭାଇରାଲ ହେବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରାପଡ଼ିବା ଭୟ ଘାରିଥିଲା । ଜଣେ ସ୍ଥାନୀୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟସ୍ଥତାରେ ସେ ତରବର ହୋଇ ସୁଜିତ୍‌ଙ୍କ ସହ ବ୍ୟକ୍ତିଗତ ମୁଲଚାଲ କରିଦେଇଛନ୍ତି । କାର ଭଙ୍ଗା ବାବଦକୁ କ୍ଷତିପୂରଣ ମଧ୍ୟ ଦେଇଛନ୍ତି । ପୁଲିସ ତନାଘନାରୁ ସବୁ ସତ ସାମ୍ନାକୁ ଆସିଛି । ସମ୍ପୃକ୍ତ ବ୍ୟକ୍ତିଜଣକ ନିଜକୁ ପୁଲିସ ଅଧିକାରୀ ଦର୍ଶାଇ ବିଭିନ୍ନ ଜାଗାରେ ଏମିତି ରୁବାବ୍‌ ଦେଖାଉଥିଲେ । ଏମିତିକି ଡିଜିଙ୍କ ଅଫିସରେ କାର୍ଯ୍ୟ କରୁଛନ୍ତି ବୋଲି ସବୁଠି କହି ବୁଲୁଥିଲେ । ତାଙ୍କ ଥାଟବାଟ ଓ ଚାଲିଚଲଣ ଦେଖି ଖୋଦ୍‌ ପୁଲିସ ବି ଅନେକଥର ବାଉଳା ହୋ​​​​​​​ଇଛି । ସେପଟେ ଏକ ପୁଲିସ ଟିମ୍‌ ସନ୍ଧ୍ୟାରେ ତାଙ୍କୁ ଖୋଜିବାକୁ ଶାସ୍ତ୍ରୀନଗର ଯାଇ ନିରାଶ ହୋଇ ଫେରିଛି । ତାଙ୍କ ଫୋନ୍‌ ମଧ୍ୟ ସୁଇଚ୍‌ ଅଫ ଆସୁଥିବାରୁ ପୁଲିସ ତାଙ୍କୁ ଧରିପାରି ନାହିଁ । ସମ୍ପୃକ୍ତ ବ୍ୟକ୍ତି ଧରାପଡ଼ିବା ପରେ ହିଁ ପ୍ରକୃତ ସତ ଜଣାପଡ଼ିବ ବୋଲି ପୁଲିସ କହିଛି ।

ଏହି ଖବରଟିକୁ ପଢନ୍ତୁ- Odisha Police : ପୁଲିସ ବାବୁଙ୍କ ଦବଙ୍ଗଗିରି, ନିଜ କାର୍ ପାର୍କିଂ କରିବାକୁ ଜାଗା ନହେବାରୁ ଅନ୍ୟ ଗାଡ଼ିକୁ ବାଡ଼େଇ କଲେ ଗୁଣ୍ଡ