ଭୁବନେଶ୍ଵର, ୧୨/୦୫ : ରାଜଧାନୀରେ ପୁଲିସ ବାବୁଙ୍କ ଦବଙ୍ଗଗିରି। ଖାକିର ପାୱାର ଦେଖାଇଲେ ବାବୁ। ଜଣେ ଅତିରିକ୍ତ ଏସ୍‌ପି ପାହ୍ୟାର ଅଧିକାରୀଙ୍କ ଦବଙ୍ଗଗିରି ଘଟଣା ସାମ୍ନାକୁ ଆସିଛି। ପାର୍କିଂ ବିବାଦରୁ ପୁଲିସ ବାବୁ ଜଣଙ୍କ ଅନ୍ୟ ଜଣେ ବ୍ୟକ୍ତିଙ୍କ କାରକୁ ବାଡ଼େଇ କରିଦେଇଛନ୍ତି। ଗାଡ଼ି ଭାଙ୍ଗିବା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଭୁବନେଶ୍ଵର ଶାସ୍ତ୍ରୀ ନଗରରେ ଏଭଳି ଘଟଣା ଘଟିଛି। ବିଦେଶରେ ଥିବା କାର୍ ମାଲିକ ଘରକୁ ଫେରିବା ପରେ ସୋମବାର ସନ୍ଧ୍ୟାରେ ଖାରବେଳ ନଗର ଥାନାର ଦ୍ଵାରସ୍ଥ ହୋଇଛନ୍ତି। ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। 

ସୂଚନାନୁଯାୟୀ, ଶାସ୍ତ୍ରୀ ନଗରର ପ୍ଲଟ୍ ନଂ-୩୬୪ ରେ ସୁଜିତ୍ କୁମାର ନାଏକ ବ୍ୟକ୍ତି ଭଡାସୂତ୍ରରେ ରହୁଛନ୍ତି। ସେ କିଛି ଦିନ ତଳେ ଏକ ଦାମୀ କାର କିଣିଥିଲେ। କାରକୁ ତାଙ୍କ ଘର ସାମ୍ନା ରାସ୍ତାକଡ଼ରେ ପାର୍କିଂ କରିଥିଲେ। କାର୍ କିଣିବାର ୨ ଦିନ ପରେ ସୁଜିତ୍ ଅଫିସ କାମରେ ମାଲେସିଆ ପଳାଇଥିଲେ। ସୁଜିତଙ୍କ ଘରକୁ ଲାଗି ଅତିରିକ୍ତ ଏସ୍‌ପି ପାହ୍ୟାର ଜଣେ ଅଧିକାରୀ ମଧ୍ୟ ଭଡ଼ାସୂତ୍ରରେ ରହୁଛନ୍ତି। ତେବେ ତାଙ୍କ କାର ରଖିବାକୁ ଅସୁବିଧା ହେବାରୁ ସେ ବିରକ୍ତ ହୋଇ ସୁଜିତଙ୍କ କାରଟିକୁ ଭାଙ୍ଗି ଦେଇଛନ୍ତି। ସୁଜିତ ବିଦେଶରୁ ଫେରିବା ପରେ କାରଟି ଭାଙ୍ଗିରୁଜି ଯାଇଥିବା ଦେଖି ସିସି କ୍ୟାମେରା ଯାଞ୍ଚ କରିବାରୁ ସତ କଥା ସାମ୍ନାକୁ ଆସିଛି। ଗତ ୮ ତାରିଖ ରାତିରେ ପୁଲିସ ବାବୁ ଜଣକ ଏକ ବାଡ଼ି ଯୋଗେ ଉକ୍ତ କାରକୁ ଭାଙ୍ଗୁଥିବାର ସିସିଟିଭିରେ କଏଦ ହୋଇଛି। ଏନେଇ କାର୍ ମାଲିକ ଖାରବେଳନଗର ଥାନାରେ ଏତଲା ପରେ ପୁଲିସ ଛାନଭିନ୍ ଆରମ୍ଭ କରିଛି।

ଏହି ଖବରଟିକୁ ପଢନ୍ତୁ- Nitin Naveen Odisha visit : ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ରାଜ୍ୟ କାର୍ଯ୍ୟାଳୟରେ ବଡ଼ ବୈଠକ