ସର୍ବୋଦୟ ନେତା ଜୟରାମ ଜେନାଙ୍କ ପରଲୋକ

ରାୟଗଡ଼ା ,୨୩।୧ ସର୍ବୋଦୟ ନେତା ଜୟରାମ ଜେନା (୮୬)ଙ୍କ ସୋମବାର ପରଲୋକ ଘଟିଛି। ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ଜେନା ଗତ ୨୦୨୦ ମସିହାରେ କରୋନାରେ ଆକ୍ରାନ୍ତ ହେବା ପରେ ଦୁର୍ବଳ ହୋଇଯାଇଥିଲେ। ସେବେଠାରୁ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇଥିଲେ। କିଛି ଦିନ ପୂର୍ବେ କଟକ ଠାରେ ଚିକିତ୍ସିତ ହୋଇଥିଲେ। ସୋମବାର ତାଙ୍କର ନିଜ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ତାଙ୍କ ଘରକୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସୁଅ ଛୁଟିଥିଲା। ସ୍ବର୍ଗତ ଜେନାଙ୍କ ଶେଷ ଦର୍ଶନ କରିଥିଲେ ଅନେକ ଆଇନଜୀବୀ, ବୁଦ୍ଧିଜୀବି, ସାମ୍ବାଦିକ, ବ୍ୟବସାୟୀ ଓ ରାଜନେତା।
ପ୍ରକାଶଥାଉ କି, ସ୍ବର୍ଗତ ଜେନା ନିଜ ଜୀବନ କାଳରେ ସର୍ବଦା ସମାଜର କଲ୍ୟାଣ ପାଇଁ ଚିନ୍ତା କରୁଥିଲେ। ମୁଖ୍ୟତଃ ସମାଜର ଅବହେଳିତ ଲୋକଙ୍କ ପାଇଁ ସଂଗ୍ରାମ କରିବା ସହିତ ସେମାନଙ୍କୁ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଚେଷ୍ଟା କରିଥିଲେ। ବିନୋବା ଭାବେ ଓ ମାହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଲୋକସେବା ନିଜର ଧର୍ମ ବୋଲି ଗ୍ରହଣ କରିଥିଲେ। ଭୁଦାନ ଓ ଅହିଂସା ଆନ୍ଦୋଳନ ସାମିଲ ମଧ୍ୟ ହୋଇଥିଲେ। ରାୟଗଡ଼ା ଠାରେ ଅନାଥ ପିଲାଙ୍କ ଥଇଥାନ ପାଇଁ ସେବା ସମାଜ ପରିଚାଳନା କରୁଥିଲେ। ଏଭଳିକି ରାୟଗଡ଼ା ଜିଲ୍ଲାରେ ମାଓବାଦୀଙ୍କ ସହିତ ଆଲୋଚନା କରିବା ପାଇଁ ମଧ୍ୟ ଯାଇଥିଲେ।