କେନ୍ଦ୍ରାପଡ଼ା,୩୧ା୩(ଆପ୍ର): ଦୀର୍ଘ ମାସର ବ୍ୟବଧାନ ପରେ ପୁଣି ବିଜେପିକୁ ଫେରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ସେ ପୁଣି ବେଶ୍ ଜମାଣିଆ ଢଙ୍ଗରେ ମଧ୍ୟ । ରାଷ୍ଟ୍ରୀୟ ସଭାପତି ଅମିତ ଶାହ ତାଙ୍କ ସହିତ ଫୋନ୍ରେ କଥାହୋଇ ମାନଭଞ୍ଜନ କରିବା ପରେ ଦଳର ଦୁଇ ବରିଷ୍ଠ ନେତା ତାଙ୍କ ଘରେ ପହଞ୍ଚି ହାତଧରି ଆଣିଥିଲେ ପାର୍ଟି ଅଫିସ୍କୁ । ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମରେ ଯୋଗଦାନ ତାଙ୍କର ପ୍ରାଧାନ୍ୟକୁ ବେଶ୍ ବଢ଼ାଇ ଦେଇଥିବା ଚର୍ଚ୍ଚା ହୁଏ । ଆଉ ଯଦି ଦଳ ଚାହେଁ ସେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ବୋଲି ବି ଇସାରା ଦେଇ ସାରିଛନ୍ତି । ହେଲେ ସେ ଦଳ ଛାଡ଼ିବା ପରେ କେନ୍ଦ୍ରାପଡା ବିଜେପି ନେତା ନିଜନିଜ ମଧ୍ୟରେ ଏକ ପ୍ରକାର ଭାଗବଣ୍ଟା ଛିଡ଼ାଇ ଦେଇଥିବା ଆଲୋଚନା ଜମିଥିଲା । ଓଜିପି ଟିକେଟ୍ରୁ କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ଜିତିବା ପରେ ସ୍ଥାଣୁ ହୋଇ ପ୍ରାୟ ଥିବା ଉତ୍କଳ କେଶରୀ ପରିଡ଼ା ବିଜେପିରେ ମିଶିଥିଲେ । ସେ ପାଟକୁରା ନିର୍ବାଚନମଣ୍ଡଳୀରେ ଲଢ଼ି ଏକଦା ବିଧାୟକ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ ।
କେନ୍ଦ୍ରାପଡ଼ା ବିଧାନସଭା ଆସନ ସଂରକ୍ଷିତ ଘୋଷଣା ପରେ ସେ ପାଟକୁରା ରାଜନୀତିରେ ବେଶ୍ ସକ୍ରିୟ ଥିଲେ । ତେଣୁ ସେ ବିଜେପିରେ ଯୋଗଦେବା ପରେ ଚଳିତ ନିର୍ବାଚନରେ ପାଟକୁରାରୁ ଲଢ଼ିବା ନେଇ ଆଲୋଚନା ଜୋର୍ ଧରିଥିଲା । ଅବଶ୍ୟ ତାଙ୍କ ବ୍ୟତିରକେ ଗତଥର ପ୍ରାର୍ଥୀ ମାନସ ମହାନ୍ତି, ଉମାକାନ୍ତ ପଟ୍ଟନାୟକଙ୍କ ସମେତ ଆଉ କିଛି ଆଶାୟୀଙ୍କ ନାଁ ଚର୍ଚ୍ଚାରେ ରହିଥିଲା । ଏବେ ପୁଣି ଦଳରେ ବିଜୟଙ୍କ ଯୋଗଦାନ । ତା' ସାଙ୍ଗକୁ ବିଜୟ ଗତଥର ମହାକାଳପଡ଼ାରୁ ପ୍ରାର୍ଥୀ ହୋଇଥିବାବେଳେ ଏଠାରୁ ମଧ୍ୟ ତାଙ୍କର ପ୍ରାର୍ଥିତ୍ୱ ସମ୍ଭାବନା ରହିଛି । ତେବେ ମହାକାଳପଡ଼ା ନିମନ୍ତେ ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନମୋହନ ଜେନା, ଗତଥରର ଲୋକସଭା ପ୍ରାର୍ଥୀ ବଷ୍ଣିୁ ସାହୁଙ୍କ ସମେତ କିଛି ଯୁବନେତାଙ୍କ ନାଁ ଚର୍ଚ୍ଚା ହେଉଥିଲେ ମଧ୍ୟ ଭୁବନ ଟିକେଟ ପାଇବା ଦୌଡ଼ରେ ଢ଼େର ଆଗରେ ଥିବାର ଜଣାପଡ଼େ । ଏଣେ ସେ ମାଟିର ପୁଅ ବୋଲି ତାଙ୍କର ସମର୍ଥକମାନେ ଦାବି କରିଆସୁଛନ୍ତି । ସବୁକିଛି ନିର୍ଭର କରୁଛି ବିଜୟଙ୍କ ଉପରେ । ସେ କେଉଁଠୁ ଲଢ଼ିବାକୁ ଚାହୁଁଛନ୍ତି? ବିଜୟ ପାଟକୁରାରୁ ସର୍ବାଧିକ ଥର ବିଧାୟକ ନିର୍ବାଚିତ ହୋଇଆସିଛନ୍ତି । ବିଜେଡିରୁ ଯିବାପରେ ୨୦୦୪ରେ ଓଜିପିରୁ ପାଟକୁରା ନିର୍ବାଚନମଣ୍ଡଳୀରେ, ୨୦୦୯ରେ ବିଜେପିରୁ ପାଟକୁରା ଓ ୨୦୧୪ରେ ବିଜେପିରୁ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରୁ ଲଢି ଆସୁଛନ୍ତି ବିଜୟ । ତେବେ ଏଥର ସେ କେଉଁ ନିର୍ବାଚନମଣ୍ଡଳୀକୁ ବାଛୁଛନ୍ତି ତାହା ଦେଖିବାକୁ ବାକି ରହିଲା ।