ପାତ୍ରପୁର, ୧୫।୫ : ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଥିବା ତୁମ୍ବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଶ୍ୟାମ ସୁନ୍ଦର ମିଶ୍ରଙ୍କୁ ଜଣେ ରୋଗୀଙ୍କ ସମ୍ପର୍କୀୟ ଗାଳି ଗୁଳଜ କରିବା ସହ ମାଡ ମାରିଥିବା ଅଭିଯୋଗ ହୋଇଛି। ଗୁରୁବାର ଜରଡ଼ା ଥାନାରେ ଡାକ୍ତର ଶ୍ୟାମ ସୁନ୍ଦର ମିଶ୍ର ଲିଖିତ ଅଭିଯୋଗ କରିଛନ୍ତି ।
ଆକ୍ରମଣର ଶିକାର ହୋଇଥିବା ଡାକ୍ତର ମିଶ୍ରଙ୍କ ଅଭିଯୋଗ ଅନୁଯାୟୀ ବୁଧବାର ପାତ୍ରପୁର ମେଡ଼ିକାଲ ରେ ତାଙ୍କର ରାତ୍ରୀ ଡ୍ୟୁଟି ଥିଲା ।ରାତ୍ର ପ୍ରାୟ ଗୋଟାଏ ବେଳେ ସୁମାଣ୍ଡି ଗ୍ରାମର କିଛି ବ୍ୟକ୍ତି ସରସ୍ୱତୀ ନାମ୍ନୀ ଜଣେ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆଣିଥିଲେ । ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ । ଡାକ୍ତରଖାନା ଲେବର ରୁମ ପାଖର ଗେଟ କାହିଁକି ବନ୍ଦ ହୋଇଛି କହି ରୋଗୀଙ୍କ ସହ ଆସିଥିବା ତାଙ୍କ ସମ୍ପର୍କୀୟ ମାନେ କାର୍ଯ୍ୟରତ ଡାକ୍ତର ଶ୍ୟାମ ସୁନ୍ଦର ମିଶ୍ରଙ୍କ ବେକ ଧରି ଟାଣି ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଘଟଣା ନେଇ ଆକ୍ରମଣର ଏକଘଣ୍ଟା ପରେ ଡାକ୍ତର ମିଶ୍ର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଡାକ୍ତର ସମ୍ବିତ ବେଗରାୟଙ୍କୁ ଫୋନ ଯୋଗେ ସୂଚନା ଦେଇଥିଲେ । ଗୁରୁବାର ଏନେଇ ଲିଖିତ ଏତଲା ଜରଡ଼ା ପୋଲିସକୁ ଦିଆଯାଇଛି । ଘଟଣା ନେଇ ଜରଡ଼ା ଥାନା ଆଇଆଇସି ଟୁନା ସାସମଲଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରାଯାଉଥିବା କହିଛନ୍ତି।