ଭୁବନେଶ୍ୱର, ୧୧/୦୪: ଭୁବନେଶ୍ୱର ଏମ୍ସରେ ଦୟନୀୟ ସ୍ଥିତି । ବସିବାକୁ ଆଉ ଜାଗା ନାହିଁ । ଭିତରେ ବସିଲେ ସୁରକ୍ଷାକର୍ମୀ ନାଲିଆଖି ଦେଖାଉଛନ୍ତି । ‘ଏଠୁ ହଟ, ବାହାରକୁ ଯାଅ’ ବୋଲି କହୁଛନ୍ତି ବାହାର କରିଡରରେ ବି ସମାନସ୍ଥିତି । ଧର୍ମଶାଳାରେ ଜାଗା ମିଳୁନି । ତେଣୁ ମୁଣ୍ଡ କେଉଁଠି ଗୁଞ୍ଜିବେ ତାକୁ ନେଇ ଚିନ୍ତାରେ ବାରଦୁଆର ହେଉଛନ୍ତି ରୋଗୀ ସମ୍ପର୍କୀୟ ।
ଗତ ଗୁରୁବାର ଅପରାହ୍ଣରେ ଭୁବନେଶ୍ୱରରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଥିଲା । କିଛି ସମୟ ଧରି ବର୍ଷା ହେବା ପରେ ଏମ୍ସ ପରିସରରେ ପାଣି ଜମିଥିଲା । ସଂଧ୍ୟାରେ ରୋଗୀ ସମ୍ପର୍କୀୟମାନେ ସେହି ପାଣି କାଦୁଅରେ ହିଁ ମୁଣ୍ଡ ଗୁଞ୍ଜିଥିଲେ । ଏଭଳି ଦୃଶ୍ୟକୁ ସମସ୍ତେ ନାପସନ୍ଦ କରିଥିଲେ । ଏମ୍ସ ପ୍ରତିଷ୍ଠାକୁ ୨୬ବର୍ଷ ପୂରିଲାଣି । ଆଜି ପର୍ଯ୍ୟନ୍ତ ଏମ୍ସ ଭଳି ଜାତୀୟ ସ୍ତରୀୟ ସ୍ୱାସ୍ଥ୍ୟାନୁଷ୍ଠାନରେ ବିଶ୍ରାମଗୃହ ବ୍ୟବସ୍ଥିତ ହୋଇପାରିଲାନି । ଆଜିର ଦିନରେ ଏମ୍ସକୁ ପ୍ରତିଦିନ ୫ହଜାର ରୋଗୀ ଆସୁଛନ୍ତି । ବିଶେଷକରି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡରୁ ୬୦ ପ୍ରତିଶତ ରୋଗୀ ହସ୍ପିଟାଲ ଉପରେ ନିର୍ଭରଶୀଳ । ବାହାରୁ ଯେଉଁମାନେ ଆସୁଛନ୍ତି, ସେମାନେ ଦିନେ ନହେଲେ ଦୁଇଦିନ ଏମ୍ସରେ ରହୁଛନ୍ତି । ସମ୍ପ୍ରତି ଯେଉଁ ଧର୍ମଶାଳାଟି ଅଛି, ସେଥିରେ ସମସ୍ତ ରୋଗୀ ପରିଜନକୁ ଜାଗା ମିଳୁନି । ରାତି ହେଲେ ତ ସମସ୍ୟା ଦୁଇଗୁଣିତ ହୋଇପଡ଼ୁଛି । କ୍ୟାଣ୍ଟିନ ପାଖ ବିଶ୍ରାମାଗୃହରେ ଜାଗା ମିଳୁନି । ସେଠାରେ ବି ରୋଗୀ ପରିଜନ କେଉଁଆଡେ ଯିବେ, ଶୋଇବେ ସେନେଇ ବୁଦ୍ଧିବାଟ କିଛି ଦିଶୁନି । ଫଳରେ ରାସ୍ତାପାଶ୍ୱର୍ ନହେଲେ ପାର୍କିଂ ସ୍ଥଳକୁ ଯିବାକୁ ପଡ଼ୁଛି । ମଶା, ଡାଆଁଶରେ ରାତି କଟୁଛି । ତେଣୁ ଆଉ ଏକ ଧର୍ମଶାଳା ପାଇଁ ଦାବି ଉଠିଲାଣି । ହେଲେ ଜମି କାହିଁ? ଏମ୍ସ ପରିସରରେ ଯାହା ବି ଜମି ଅଛି, ସେଥିରେ ହସ୍ପିଟାଲ ଓ ଅନ୍ୟାନ୍ୟ ବିଭାଗ ତିଆରି ହେଉଛି । ତେଣୁ ସରକାର ଅଧିକ ଜମି ଦେଲେ କିଛି ହୋଇପାରିବ ବୋଲି କର୍ତ୍ତୃପକ୍ଷଙ୍କ ମତ ।
ଅଧିକ ପଢ଼ନ୍ତୁ :- ରାଜଧାନୀରୁ ଆତଙ୍କୀ ଗିରଫ: ଉଠାଇ ନେଲା ଦିଲ୍ଲୀ ସ୍ପେଶାଲ୍ ବ୍ରାଞ୍ଚ, ଲାପଟପ୍ ଓ ମୋବାଇଲ ଜବତ
ଅପରପକ୍ଷେ, ଏମ୍ସରେ ଆଉ ଏକ କେନ୍ଦ୍ରୀୟ ଟିକଟ କାଉଣ୍ଟର ପାଇଁ ପୂର୍ବରୁ ପ୍ରସ୍ତାବ ଦିଆଯାଇଥିଲା । ଅନେକଥର ଆଲୋଚନା ମଧ୍ୟ ହୋଇଛି । ଯେଉଁଭଳି ଭାବରେ ଏମ୍ସରେ ରୋଗୀ ସଂଖ୍ୟା ବଢୁଛନ୍ତି, ସେଥିପାଇଁ ଆଉ ଏକ ଟିକଟ କାଉଣ୍ଟର ନିହାତି ଦରକାର ହୋଇପଡ଼ିଛି । ହେଲେ ଏହା ଆଗେଇ ପାରିନି । ଏବେ ଯେଉଁ କାଉଣ୍ଟର ଅଛି, ସେଠାରେ ରାତି ୪ଟାରୁ ଭିଡ଼ ଲାଗୁଛି । ଲୋକେ ପାଣିବୋତଲ, ବ୍ୟାଗ୍ ରଖି ଟିକଟ ପାଇଁ ଜଗୁଛନ୍ତି । ସକାଳ ୮ଟାରେ କାଉଣ୍ଟର ଖୋଲୁଥିବା ବେଳେ ସାଢେ ୯ଟା ଭିତରେ ନ୍ୟୁରୋଲୋଜି, ନେଫ୍ରୋଲୋଜି, ଗ୍ୟାଷ୍ଟ୍ରୋଲୋଜି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଟିକଟ ସରିଯାଉଛି । ଫଳରେ ରୋଗୀମାନେ ହତାଶ ହୋଇ ପୁଣି ଆରଦିନକୁ ଅପେକ୍ଷା କରୁଛନ୍ତି । ଟିକଟ କାଉଣ୍ଟରରେ ଅସମ୍ଭାଳ ଭିଡ଼ ଜମୁଛି । ଏନେଇ ହସ୍ପିଟାଲର ନବନିଯୁକ୍ତ ଅଧୀକ୍ଷକ ଡାକ୍ତର ପ୍ରଭାସ ତ୍ରିପାଠୀଙ୍କ କହିବା କଥା, ନୂଆ ଟିକଟ କାଉଣ୍ଟର ବିଷୟରେ ତାଙ୍କ ପାଖରେ ଏବେ ଯାଏ କୌଣସି ସୂଚନା ନାହିଁ । ଉପରିସ୍ତ ଅଧିକାରୀ ଏ ବିଷୟରେ ନିଷ୍ପତ୍ତି ନେଇଥାଇପାରନ୍ତି ।
ପ୍ରକାଶ ଥାଉକି, ଗତବର୍ଷ ମାର୍ଚ୍ଚ ମାସରେ ଏମ୍ସ ଗଭର୍ଣ୍ଣିଂ ବଡ଼ି ବୈଠକରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇଥିଲେ । ଏ ଅବସରରେ ଏମ୍ସକୁ ଅଧିକ ୧୦୦ ଏକର ଜମି ଯୋଗାଇବାକୁ କର୍ତ୍ତୃପକ୍ଷ ତାଙ୍କୁ ନିବେଦନ କରିଥିଲେ । ସାଂସଦ ଏନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ । ତେବେ ଅଧିକ ୧୦୦ଏକର ଜମି ମିଳିଲେ, ନୂଆ ନୂଆ ପ୍ରକଳ୍ପ ହେବାର ସମ୍ଭାବନା ରହିଛି ।