ମୁମ୍ବାଇ, ୨।୬: ଦେଶରେ ଦ୍ରୁତ ଗତିରେ ବଢ଼ୁଥିବା ଡିଜିଟାଲ୍ ଠକେଇ ଓ ସାଇବର ସ୍କାମ୍କୁ ରୋକିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ବଡ଼ ଏବଂ ଐତିହାସିକ ପଦକ୍ଷେପ ନେବାକୁ ଯାଉଛି । ବ୍ୟାଙ୍କ ଆକାଉଣ୍ଟରୁ ଗ୍ରାହକଙ୍କ ବିନା ଅନୁମତିରେ ଗାଏବ ହେଉଥିବା ଟଙ୍କାକୁ ସୁରକ୍ଷିତ ରଖିବା ପାଇଁ RBI ଏବେ ସମସ୍ତ ପ୍ରକାରର ଡେବିଟ୍ ଟ୍ରାଞ୍ଜାକ୍ସନ୍ ପାଇଁ ଏକ ‘କିଲ୍ ସ୍ଵିଚ୍’ ବ୍ୟବସ୍ଥା ଆଣିବାକୁ ଯୋଜନା କରୁଛି । ଏହି ସୁବିଧା ଆସିବା ପରେ ଗ୍ରାହକମାନେ ମାତ୍ର ଗୋଟିଏ କ୍ଲିକରେ ନିଜ ଆକାଉଣ୍ଟରୁ ହେଉଥିବା ସମସ୍ତ ଅନଲାଇନ୍ ପେମେଣ୍ଟକୁ ତୁରନ୍ତ ବନ୍ଦ କରିପାରିବେ । ଗତ ମେ’ ୨୯ ତାରିଖରେ ଜାରି ହୋଇଥିବା RBI ର ବାର୍ଷିକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି । ଯଦି କୌଣସି ଗ୍ରାହକଙ୍କୁ ନିଜ ଆକାଉଣ୍ଟରେ କୌଣସି ସନ୍ଦେହଜନକ କାରବାର ହେଉଥିବା ପରି ମନେହୁଏ, ତେବେ ସେ ବିନା କୌଣସି ବିଳମ୍ବରେ ଏହି ‘କିଲ୍ ସ୍ଵିଚ୍’ ବ୍ୟବହାର କରି ଠକେଇରୁ ରକ୍ଷା ପାଇପାରିବେ ।
କ’ଣ ଏହି ‘Kill Switch’ ଏବଂ ଏହା କେମିତି କାମ କରିବ ?
ସହଜ ଭାଷାରେ କହିବାକୁ ଗଲେ, 'କିଲ୍ ସ୍ଵିଚ୍' ହେଉଛି ଏକ ଜରୁରୀକାଳୀନ ବଟନ୍ । ଯେମିତି କୌଣସି ବଡ଼ ଫ୍ୟାକ୍ଟ୍ରିରେ ଦୁର୍ଘଟଣା ସମୟରେ ଏକ ନାଲି ରଙ୍ଗର ବଟନ୍ ଦବାଇ ସମ୍ପୂର୍ଣ୍ଣ ମେସିନାରୀକୁ ଏକ ସେକେଣ୍ଡରେ ସ୍ତବ୍ଧ କରିଦିଆଯାଏ, ଡିଜିଟାଲ୍ ଦୁନିଆରେ ଏହି 'କିଲ୍ ସ୍ଵିଚ୍' ଠିକ୍ ସେହିଭଳି କାମ କରିବ । ଏହି ବଟନ୍କୁ ଦବାଇବା ମାତ୍ରେ ବ୍ୟାଙ୍କ ଆକାଉଣ୍ଟ ସହିତ ଜଡ଼ିତ ସମସ୍ତ ଡିଜିଟାଲ୍ କାରବାର ଯଥା- UPI, ନେଟ୍ ବ୍ୟାଙ୍କିଙ୍ଗ୍ ଏବଂ କାର୍ଡ ପେମେଣ୍ଟ ତୁରନ୍ତ ବ୍ଲକ୍ ହୋଇଯିବ, ଯାହାଦ୍ୱାରା ହ୍ୟାକର୍ ବା ସ୍କାମରମାନେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଚୋରି କରିପାରିବେ ନାହିଁ ।
'ସ୍ଵିଚ୍-ଅନ୍' ଏବଂ 'ସ୍ଵିଚ୍-ଅଫ୍' ର ମିଳିବ ସୁବିଧା:
ରିଜର୍ଭ ବ୍ୟାଙ୍କ ସୂଚନା ଅନୁସାରେ, ସମସ୍ତ ପ୍ରକାରର ଡିଜିଟାଲ୍ ପେମେଣ୍ଟ ପାଇଁ 'ସ୍ଵିଚ୍-ଅନ୍' ଏବଂ 'ସ୍ଵିଚ୍-ଅଫ୍' ସୁବିଧା ପ୍ରଦାନ କରାଯିବ । ବର୍ତ୍ତମାନ ଏହି ସୁବିଧା କେବଳ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ କାରବାର ଯେପରିକି ଘରୋଇ, ଆନ୍ତର୍ଜାତୀୟ ଏବଂ ଟ୍ୟାପ୍ ଆଣ୍ଡ ପେ’ ପାଇଁ ଉପଲବ୍ଧ ଅଛି । ଗ୍ରାହକମାନେ ବ୍ୟାଙ୍କ ଆପ୍ କିମ୍ବା ୱେବସାଇଟକୁ ଯାଇ ନିଜ ପସନ୍ଦ ଅନୁସାରେ କାର୍ଡକୁ ଅନ୍ କିମ୍ବା ଅଫ୍ କରିପାରୁଛନ୍ତି ଏବଂ ଟ୍ରାଞ୍ଜାକ୍ସନ୍ ଲିମିଟ୍ ମଧ୍ୟ ସେଟ୍ କରିପାରୁଛନ୍ତି । ଏବେ ଏହି ସମାନ ନିୟନ୍ତ୍ରଣ ସମସ୍ତ ପ୍ରକାରର ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ପାଇଁ ଲାଗୁ କରିବାକୁ RBI ଯୋଜନା କରୁଛି, ଯାହାଫଳରେ ଗ୍ରାହକଙ୍କ ନିଜ ପଇସା ଉପରେ ସମ୍ପୂର୍ଣ୍ଣ କଣ୍ଟ୍ରୋଲ୍ ରହିବ ।
AI ରୋକିବ ଠକେଇ: ଆସୁଛି 'ଡିଜିଟାସ ପେମେଣ୍ଟ୍ସ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ' (DPIP)
ଡିଜିଟାଲ୍ କାରବାରକୁ ଅଧିକ ସୁରକ୍ଷିତ କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଚଳିତ ବର୍ଷ DPIP ଅର୍ଥାତ୍ 'ଡିଜିଟାଲ୍ ପେମେଣ୍ଟସ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ' ଲଞ୍ଚ କରିବାକୁ ପ୍ରସ୍ତୁତି ଚଳାଇଛି । ଏହା କେମିତି କାମ କରିବ ? ଏହି ପ୍ଲାଟଫର୍ମ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ ମେସିନ୍ ଲର୍ଣ୍ଣିଂ ସାହାଯ୍ୟରେ ଦେଶରେ ହେଉଥିବା ପ୍ରତିଟି ଅନଲାଇନ କାରବାର ଉପରେ ରିୟଲ୍-ଟାଇମ୍ ନଜର ରଖିବ । ପେମେଣ୍ଟ ହେବା ମାତ୍ରେ ଏହି ସିଷ୍ଟମ ପଲକ ପଡ଼ିବା ପୂର୍ବରୁ ହିଁ ସେହି ଟ୍ରାଞ୍ଜାକ୍ସନରେ କେତେ ପରିମାଣର ଠକେଇ ବା ସ୍କାମର ଆଶଙ୍କା ରହିଛି, ତାହାର ସ୍କୋର କହିଦେବ । ଏହା ପୂର୍ବରୁ ମଧ୍ୟ RBI ପ୍ରଥମ ଥର ପାଇଁ କରାଯାଉଥିବା ବଡ଼ ପରିମାଣର ପର୍ସନ-ଟୁ-ପର୍ସନ (P2P) UPI ଟ୍ରାଞ୍ଜାକ୍ସନ ପାଇଁ କିଛି ସମୟ ନେବାକୁ ପ୍ରସ୍ତାବ ଦେଇଥିଲା, ଯାହାଦ୍ୱାରା ଭୁଲ୍ ଆକାଉଣ୍ଟକୁ ଟଙ୍କା ଯିବାରୁ ରକ୍ଷା କରାଯାଇପାରିବ ।
୫୨ ପ୍ରତିଶତ ଲୋକ ଆପଣେଇଛନ୍ତି ଡିଜିଟାଲ ପେମେଣ୍ଟ:
RBI ର ଏକ ସର୍ଭେରୁ ଜଣାପଡ଼ିଛି ଯେ ଦେଶର ପ୍ରାୟ ୫୨ ପ୍ରତିଶତ ଉପଭୋକ୍ତା ବର୍ତ୍ତମାନ କ୍ୟାଶ୍ ବଦଳରେ ଡିଜିଟାଲ୍ ପେମେଣ୍ଟକୁ ଆପଣେଇ ସାରିଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ଡିଜିଟାଲ୍ କାରବାରର ଦ୍ରୁତ ଗତି ଏବଂ ସହଜ ସୁବିଧା । ତେବେ ଏହି ବ୍ୟବହାର ବଢ଼ିବା ସହିତ ସାଇବର ଅପରାଧୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏଭଳି ପରିସ୍ଥିତିରେ RBI ର ଏହି ପ୍ରସ୍ତାବିତ 'କିଲ୍ ସ୍ଵିଚ୍' ଏବଂ AI ଆଧାରିତ DPIP ପ୍ଲାଟଫର୍ମ ଗ୍ରାହକମାନଙ୍କ ମଧ୍ୟରେ ସୁରକ୍ଷା ଭାବନା ଏବଂ ବ୍ୟାଙ୍କିଙ୍ଗ୍ ସିଷ୍ଟମ ପ୍ରତି ଭରସା ବଢ଼ାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏଥିରେ କୌଣସି ସନ୍ଦେହ ନାହିଁ ।
ଆହୁରି ପଢ଼ନ୍ତୁ... ସ୍କୁଲ ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ନଷ୍ଟ କରୁଛି ସୋସିଆଲ ମିଡିଆ ! ମାମଲା ରଫାଦଫା ପାଇଁ ୨୫୬ କୋଟି ଗଣିଲେ ମେଟା ଓ ଗୁଗଲ୍