ନୂଆଦିଲ୍ଲୀ,୨୩/୦୮: ବିହାର ପାଟଣାର ଦାନିଆୱାନରେ ମର୍ମନ୍ତୁଦ ଦୁର୍ଘଟଣା । ଅଟୋ-ଟ୍ରକ ମୁହାଁମୁହିଁ ଧକ୍କା । ଫଳରେ ଅତିକମରେ ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ, ସମସ୍ତ ଯାତ୍ରୀ ଅଟୋରେ ଗଙ୍ଗା ସ୍ନାନ କରିବାକୁ ନାଳନ୍ଦାରୁ ଫତୁହା ଯାଉଥିଲେ । ସେହି ସମୟରେ ଏହି ଦୁର୍ଘଟଣା ହୋଇଥିଲା। ରାସ୍ତାରେ ଏକ ଦ୍ରୁତଗାମୀ ଟ୍ରକ୍ ଅଟୋକୁ ମୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୮ଜଣଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଦୁର୍ଘଟଣା ପରେ, ଟ୍ରକ୍ ଡ୍ରାଇଭର ଗାଡ଼ି ନେଇ ଘଟଣାସ୍ଥଳରୁ ଖସି ପଳାଇଥିଲା। ଏନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ଯାହା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲା । ଯେଉଁଠାରୁ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ପାଟନାକୁ ସ୍ଥାନାନ୍ତର କରାଯାଇଛି । କୁହାଯାଉଛି ଯେ ସମସ୍ତ ଲୋକ ନାଳନ୍ଦା ଜିଲ୍ଲାର ହିଲସା ଥାନା ଅଞ୍ଚଳରେ ଅବସ୍ଥିତ ରେରି ମାଲମା ଗାଁର ବାସିନ୍ଦା ଥିଲେ । ଆଜି ସକାଳେ ଫତୁହା ଗଙ୍ଗାରେ ସ୍ନାନ କରିବାକୁ ଯାଉଥିଲେ। ସମସ୍ତେ ଗୋଟିଏ ଗାଁର ବାସିନ୍ଦା ଥିବା ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ସାତ ଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି। ତେବେ ପୁଲିସ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରୁଥିବା ବେଳେ ଫେରାର୍ ଟ୍ରକ୍ ଡ୍ରାଇଭରଙ୍କୁ ମଧ୍ୟ ଖୋଜା ଚାଲିଛି।