ନୂଆଦିଲ୍ଲୀ,୧୫/୦୧: ପାଟନାରେ ଅନ୍ଧବିଶ୍ୱାସର ଭୟଙ୍କର ଚିତ୍ର । ଜଣେ ୩୨ ବର୍ଷୀୟ ମହିଳାଙ୍କୁ ଡାହାଣୀ କହି ପିଟିପିଟି ହତ୍ୟା । ତାଙ୍କୁ ଉଦ୍ଧାର କରିବାକୁ ଆସିଥିବା ପରିବାରର ଅନ୍ୟ ୫ଜଣ ସଦସ୍ୟ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ମୃତ ମହିଳା ଜଣକ ବିହଟା ଅଞ୍ଚଳର ବାଜିତପୁର ଗାଁର ଜୁଲି ଦେବୀ ବୋଲି ଜଣାପଡିଛି।
ରିପୋର୍ଟ ଅନୁସାରେ, ମୃତକ ଜୁଲି ଦେବୀ ବାଜିତପୁର ଗାଁରେ ଥିବା ତାଙ୍କ ବାପଘରକୁ ଯାଇଥିଲେ। ଆଉ ଏହି ସମୟରେ, ପଡ଼ୋଶୀ ଘରର ଏକ ଛଅ ମାସର ଶିଶୁର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା। ଅନ୍ଧବିଶ୍ୱାସ ଯୋଗୁଁ ପରିବାର ଲୋକ ଜୁଲି ଦେବୀଙ୍କୁ ଡାହାଣୀ ବୋଲି ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପରେ କିଛି ଗ୍ରାମବାସୀ ଜୁଲି ଦେବୀ ଏବଂ ତାଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ।ଅଭିଯୋଗ ହୋଇଛି ଯେ, ଆକ୍ରମଣକାରୀମାନେ ଜୁଲିକୁ ଲୁହା ରଡ୍, ବାଡ଼ି ଏବଂ ଇଟାରେ ନିର୍ମମ ଭାବରେ ପିଟିଥିଲେ ଏବଂ ଘଟଣାସ୍ଥଳେ ତାଙ୍କର ମୃତ୍ୟୁ ହୋଇଥିଲା। ଯେତେବେଳେ ପରିବାର ସଦସ୍ୟମାନେ ହସ୍ତକ୍ଷେପ କରିବାକୁ ପହଞ୍ଚିଲେ, ସେମାନଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା, ଯାହା ଫଳରେ ୫ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବିହତା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି। ଏହି ମାମଲାରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢାଉ ଜାରି ରହିଛି। ଷ୍ଟେସନ ହାଉସ୍ ଅଫିସର ଅମିତ କୁମାର କହିଛନ୍ତି ଯେ, ମୃତ ମହିଳାଙ୍କ ପରିବାର ସଦସ୍ୟଙ୍କ ଅନୁସାରେ, ଜୁଲିଙ୍କୁ ଡାହାଣୀ କହି ହତ୍ୟା କରାଯାଇଥିଲା।