ମୋଦୀଙ୍କ ମନ୍ କି ବାତ୍ରେ ପ୍ରଶଂସା ପରେ ଏବେ ସର୍ବୋଚ୍ଚ ସମ୍ମାନ; କୃଷି କ୍ଷେତ୍ରର ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ପଟ୍ଟାୟତ ସାହୁଙ୍କୁ ମିଳିବ ପଦ୍ମଶ୍ରୀ

ଜୁନାଗଡ଼,୨୫/୦୧: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍ ନାନ୍ଦୋଲ ଗ୍ରାମର ପଟ୍ଟାୟତ ସାହୁ ବହୁ ପାରମ୍ପରିକ ଲୁପ୍ତ ହୋଇଯାଉଥିବା ଔଷଧୀୟ ବୃକ୍ଷରାଜିକୁ ସଂରକ୍ଷଣ କରି ଚର୍ଚ୍ଚାରେ ରହିଆସିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ତାଙ୍କ ବହୁ ଚର୍ଚ୍ଚିତ ରବିବାର ମନକି ବାତ୍ରେ ପଟ୍ଟାୟତଙ୍କର ଔଷଧୀୟ ବୃକ୍ଷ ଚାଷକୁ ନେଇ ଚର୍ଚ୍ଚା କରିଥିଲେ। ଉଦାହରଣ ପ୍ରଧାନମନ୍ତ୍ରୀ ଦେବା ପରେ, ଶ୍ରୀ ସାହୁ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ୬୫ ଡିସିମିଲ ଜାଗାରେ ୨୫୦୦ରୁ ଊର୍ଦ୍ଧ୍ବ ଔଷଧୀୟ ବୃକ୍ଷ ଲଗାଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ଏହି ବୃକ୍ଷଗୁଡ଼ିକୁ ବିଭିନ୍ନ ରାଜ୍ୟ ଏବଂ ଦେଶରୁ ଆଣି ନିଜ ବଗିଚାରେ ଲଗାଇଛନ୍ତି। ସାଇକଲ୍ ହିଁ ତାଙ୍କ ସାହାରା ପାଲଟିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସରକାରୀ ଭାବେ ତାଙ୍କୁ କୌଣସି ସହାୟତା ମିଳୁନାହିଁ। ତେବେ କୃଷିକ୍ଷେତ୍ରରେ ଅଗ୍ରଣୀ ପାଇଁ ପଟ୍ଟାୟତ ସାହୁଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯିବ।