ମାଲକାନଗିରି ୨୩/୧୨(ଆପ୍ର ) : ମାଲକାନଗିରି ଜିଲ୍ଲାର ରାଖାଲଗୁଡା ଓ ଏମଭି ୨୬ ଗ୍ରାମକୁ ପିସିସି ସଭାପତି ଭକ୍ତ ଚରଣ ଦାସ ପରିଦର୍ଶନ କରିବା ସହ ଗ୍ରାମବାସୀଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ଶାନ୍ତି ଓ ଭାଇଚାରା ବଜାଇ ରଖିବା ପାଇଁ ପରାମର୍ଶ ଦେଇ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ।
ରାଖାଲଗୁଡା ଗ୍ରାମ ସଭାରେ ପିସିସି ସଭାପତି ଶ୍ରୀ ଦାସ କହିଥିଲେ ଯେ, ମାଲକାନଗିରି ଜିଲ୍ଲାରେ ଆଦିବାସୀଙ୍କ ପ୍ରତି ଅତ୍ୟାଚାର ହେଉଛି । ଦୁଷ୍କର୍ମ ଏବଂ ଗଣଦୁଷ୍କର୍ମ ଘଟୁଛି। ରାଜ୍ୟରେ ମଧ୍ୟ ଏ ସବୁ ଘଟଣା ବ୍ୟାପିବାରେ ଲାଗିଛି। ଯେତେବେଳେ ସମାଜର ଶେଷ ବ୍ୟକ୍ତି ନ୍ୟାୟ,କର୍ମ, ସମ୍ମାନ ପାଇ ନାହାନ୍ତି ସେ ପର୍ଯ୍ୟନ୍ତ ଏ ଦେଶ କେବେ ଆଗକୁ ବଢ଼ି ପାରିବ ନାହିଁ। ଆଦିବାସୀଙ୍କ ମାଆଙ୍କ ହତ୍ୟାରେ ଯେଉଁମାନେ ସାମିଲ ଅଛନ୍ତି ସେମାନଙ୍କ ଦଣ୍ଡ ଦେବା ଉଚିତ। ୨୦୦୬ ମସିହାରେ କଂଗ୍ରେସ ଆଣିଥିବା ଆଇନ ଅନୁଯାଇ ପଟ୍ଟା ଦିଆଯାଉ ବୋଲି ଦାବି କରିଥିଲେ।
ଏମଭି୨୬ ଗ୍ରାମରେ ବଙ୍ଗାଳୀ ସମାଜକୁ ଶାନ୍ତି ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ସମସ୍ୟା ସମାଧାନର ପ୍ରୟାସ କରନ୍ତୁ। ସରକାରଙ୍କ ଠାରେ ଅପିଲ କରିବି ଆପଣଙ୍କର ଘରଦ୍ୱାର ଭାଙ୍ଗିଛି କେମିତି ଶୀଘ୍ର ହୋଇପାରିବ ସେ ଦିଗରେ ଆମେ ସମସ୍ତେ ପ୍ରୟାସ କରିବା । ଆଦିବାସୀ ଏବଂ ଆପଣଙ୍କ ସମାଜ ମଧ୍ୟରେ ଏକ ସବୁଦିନିଆ ଭାଇଚାରା ସୃଷ୍ଟି ଏବଂ ବସତି ସ୍ଥାପନ କରାଯିବାର ବ୍ୟବସ୍ଥା କରିବା ପାଇଁ କଂଗ୍ରେସ ଦଳ ଉଦ୍ୟମ କରିବ ବୋଲି କହିଥିଲେ।
ସିଏଲପି ନେତା ରାମଚନ୍ଦ୍ର କାଡ଼ାମ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ସତ୍ୟଜିତ ଗମାଙ୍ଗ, ପବିତ୍ର ସାଉଁତା, ଓଡିଶା ମହିଳା କଂଗ୍ରେସ ପ୍ରଭାରୀ ଶ୍ରୀମତୀ କର୍ମା, ମହିଳା କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତି,ପୂର୍ବତନ ବିଧାୟକ ଭୁଜବଳ ମାଝୀ, କଂଗ୍ରେସ ନେତା ମୁନା ତ୍ରିପାଠୀ, ଗୋବିନ୍ଦ ପାତ୍ର, ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି ସଭାପତି ଜି. ଶ୍ରୀନିବାସ ରାଓ,ଲାଲୁ ବାବୁ, ମିଡ଼ିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସ, ନିଶିକାନ୍ତ ମିଶ୍ର, ମନୋଜ ନାୟକ, ଅନାମ ଦ୍ୟାନ, ହାରାବତୀ ଗଣ୍ଡ, ମାଲା ପାଢ଼ୀ, ପୂର୍ବତନ ବିଧାୟକ ନିମାଇଁ ସରକାର ଆଦି ନେତୃବୃନ୍ଦ ସାମିଲ ହୋଇଥିଲେ ।