ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ : ପିଇଓ ନିଲମ୍ବିତ , ୭ ଦିନ ମଧ୍ୟରେ ଅର୍ଥ ଭରଣା ନ କଲେ ଥାନାରେ ରୁଜୁ ହେବ ମାମଲା

ଭୋଗରାଇ,୨୯/୧୧,(ଆ.ପ୍ର.) ସରକାରୀ ଅର୍ଥ ଆତ୍ମସାତ,ଉଚ୍ଚ ଅଧିକାରୀଙ୍କ ଆଦେଶ ଅବମାନନା ଅଭିଯୋଗରେ ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ମନ୍ଦାରସାହି ପଞ୍ଚାୟତର ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପିଇଓ) ହରିଶଙ୍କର ଧଳଙ୍କୁ ବାଲେଶ୍ଵର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ନିଲମ୍ବିତ କରିଛନ୍ତି। ନଭେମ୍ବର ୧୪ ତାରିଖ ଜିଲ୍ଲା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଆଦେଶ ନଂ ୧୪୪ ରେ ପିଇଓ ଶ୍ରୀ ଧଳଙ୍କୁ ଜିଲ୍ଲାପାଳ ଶ୍ରୀ ସିନ୍ଧେ ନିଲମ୍ବିତ କରିଛନ୍ତି। ଏହାସହିତ ନଭେମ୍ବର ୧୮ ତାରିଖ ଜିଲ୍ଲା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଆଦେଶ ନଂ ୩୩୨୯ ରେ ନିର୍ଦ୍ଦିଷ୍ଟ ୭ ଦିନ ମଧ୍ୟରେ ସମସ୍ତ ଅର୍ଥ ଫେରସ୍ତ ପାଇଁ ଶ୍ରୀ ଧଳଙ୍କୁ ନୋଟିସ୍ ଦେବା ସହିତ ଏହି ଆଦେଶକୁ ଅବମାନନା କଲେ ତାଙ୍କ ବିରୋଧରେ ସ୍ଥାନୀୟ ଥାନାରେ ଏତାଲା ଦେବାକୁ ଜିଲ୍ଲାପାଳ ଶ୍ରୀ ସିନ୍ଧେ ଭୋଗରାଇ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପଞ୍ଚାୟତବାସୀଙ୍କ ଲିଖିତ ଅଭିଯୋଗ ଆଧାରରେ ଜିଲ୍ଲାପାଳ ଶ୍ରୀ ସିନ୍ଧେ ଜିଲ୍ଲା ପଞ୍ଚାୟତ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କୁ ତଦନ୍ତ କରି ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶ କ୍ରମେ ଗତ ଅକ୍ଟୋବର ୨୬ ତାରିଖରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ବେହେରା ମନ୍ଦାରସାହି ପଞ୍ଚାୟତ କାର୍ଯ୍ୟାଳୟରେ ଉପସ୍ଥିତ ହୋଇ ଅଭିଯୁକ୍ତ ପିଇଓ ଶ୍ରୀ ଧଳ ଓ ଅଭିଯୋଗକାରୀ ମାନଙ୍କ ସମେତ ଜିପିଇଓ ନରେନ୍ଦ୍ର ନାରାୟଣ ଜେନା,ସରପଞ୍ଚ ମମତା ସାହୁ,ଜିଲ୍ଲା ପରିଷଦ ସଦସ୍ୟ ସନ୍ତୋଷ ଜେନାଙ୍କ ଉପସ୍ଥିତିରେ ତଦନ୍ତ କରି ସମସ୍ତ ଅଭିଯୋଗର ସତ୍ୟତା ଯାଞ୍ଚ କରିଥିଲେ।
ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ଏହି ତଦନ୍ତ ରିପୋର୍ଟ କ୍ରମେ ଆର୍ଥିକ ଅନିୟମିତତା ଓ ଆତ୍ମସାତ ଘଟଣାରେ ଲିପ୍ତ ପୂର୍ବତନ ପିଇଓ ହରିଶଙ୍କର ଧଳଙ୍କୁ ଜିଲ୍ଲାପାଳ ଶ୍ରୀ ସିନ୍ଧେ ନିଲମ୍ବିତ କରିଛନ୍ତି। ଏହାସହିତ ନିର୍ଦ୍ଦିଷ୍ଟ ୭ ଦିନ ପୂରଣ ହେବା ପରେ ନିଲମ୍ବିତ ପିଇଓ ଶ୍ରୀ ଧଳଙ୍କ ବିରୋଧରେ ସ୍ଥାନୀୟ ଭୋଗରାଇ ଥାନାରେ ମାମଲା ରୁଜୁ ହେବ।
ଅନ୍ୟପକ୍ଷରେ ଶ୍ରୀ ଧଳ ଚାକିରି କରାଇ ଦେବା ପ୍ରତିଶ୍ରୁତି ଦେଇ ବସ୍ତା, ବାଲିଆପାଳ, ଜଳେଶ୍ଵର ଓ ଭୋଗରାଇ ବ୍ଲକ ଅଞ୍ଚଳର ଶତାଧିକ ବେକାର ଯୁବକ ଯୁବତୀଙ୍କୁ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି।