ବିଶ୍ୱରେ ଏମିତି ଅନେକ ଅଦ୍ଭୁତ ଜିନିଷ ରହିଛି ଯାହାକୁ ବୁଝିବା ବୈଜ୍ଞାନିକଙ୍କ ପକ୍ଷେ ମଧ୍ୟ ସମ୍ଭବ ହେଉନାହିଁ । ଅନେକ ସ୍ଥାନ ରହିଛି ଯାହାର ରହସ୍ୟ ଭେଦ କରିବାରେ ହାର୍ ମାନିଯାଉଛନ୍ତି ବୈଜ୍ଞାନିକ । ଏଭଳି ଅନେକ ଜିନିଷ ଯାହା ଆମକୁ ଆଶ୍ଚର୍ଯ୍ୟ କରିଥାଏ । ଆମ ଦେଶରେ ମଧ୍ୟ ରହିଛି କିଛି ଏଭଳି ଚମତ୍କାରୀ ଜିନିଷ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏକ ଶିବ ମନ୍ଦିର ସମ୍ପର୍କରେ ଯେଉଁଠାରେ ରହିଥିବା ମୂର୍ତ୍ତିକୁ ଆଜି ପର୍ଯ୍ୟନ୍ତ କେହି ସ୍ପର୍ଶ ମଧ୍ୟ କରିପାରୁନାହାନ୍ତି । ତେବେ ଚାଲନ୍ତୁ ଜାଣିବା ଏହାର କାରଣ ।
ଛତିଶଗଡ ଜଗଦଲପୁର ଜିଲ୍ଲା ମୁଖ୍ୟାଳୟଠୁ ପ୍ରାୟ ୩୫ କିଲୋମିଟର ଦୂରରେ ଇନ୍ଦ୍ରାବତୀ ନଦୀ କୂଳେ ସ୍ଥିତ ଏହି ଶିବମନ୍ଦିର । ମନ୍ଦିର ପରିସରରେ ଥିବା ୧୦ମ ଶତାବ୍ଦୀର ମୂର୍ତ୍ତିକୁ ଛିନ୍ଦଗାଁର ଗ୍ରାମବାସୀ ଛୁଇଁବାକୁ ଭୟ କରନ୍ତି । ତାଙ୍କ ରାଜା ୭୪ ବର୍ଷ ପୂର୍ବେ ତାଙ୍କୁ ଏପରି କରିବାକୁ ବାରଣ କରିଥିଲେ । ରାଜାଙ୍କ ସେହି ଆଦେଶ ଏବେବି ମନ୍ଦିର ପରିସରରେ ଟଙ୍ଗା ହୋଇଛି । ଗ୍ରାମବାସୀ ନିଜ ରାଜାଙ୍କୁ ଅତ୍ୟନ୍ତ ସମ୍ମାନ ଦେଉଥିଲେ ଏବଂ ସେଥିପାଇଁ ଆଜି ବି ତାଙ୍କ ଆଦେଶକୁ ଅବମାନନା କରୁନାହାନ୍ତି ।
ଦେଶର ସ୍ୱାଧୀନତା ସହିତ ୭୦ ବର୍ଷ ପୂର୍ବରୁ ରାଜତନ୍ତ୍ର ବ୍ୟବସ୍ଥା ସମାପ୍ତ ହୋଇଯାଇଛି । କିନ୍ତୁ ଛିନ୍ଦଗ୍ରାମର ଗ୍ରାମବାସୀ ଆଜି ବି ୧୯୪୨ରେ ଜାରି ହୋଇଥିବା ଆଦେଶକୁ ପାଳନ କରିଆସୁଛନ୍ତି । ଇନ୍ଦ୍ରାବତୀ କୂଳରେ ସ୍ଥିତ ଛିନ୍ଦଗାଁର ଗୋରେସ୍ୱର ମହାଦେବଙ୍କ ମନ୍ଦିରରେ ପୂରାତନ ଶିବଲିଙ୍ଗ ବ୍ୟତୀତ ଭଗବାନ ନରସିଂହ, ନଟରାଜ ଓ ମାତା କଙ୍କାଲିନଙ୍କ ପୂରୁଣା ମୂର୍ତ୍ତି ସବୁ ରହିଛି । ଏହି କାରଣରୁ ଏହି ମନ୍ଦିର ବହୁତ ପ୍ରସିଦ୍ଧ ।