ଟିକାବାଲି,୧୪/୫ :  ସରକାର ଗରିବମାନଙ୍କ ପାଇଁ ମାଳ ମାଳ ଯୋଜନା କରିଥିବା ବେଳେ ଏପରି ଏକ ପରିବାର ଅଛନ୍ତି, ଯେଉଁ ମାନେ ଗୋଟିଏ ଛୋଟିଆ କୁଡ଼ିଆ ଭିତରେ ଦୟନୀୟ ଭାବରେ ଜୀବନ ବିତାଉ ଥିବା ଦେଖିବାକୁ ମିଳିଛି | ଏପରି ଘଟଣା ଦେଖିବାକୁ ମିଳିଛି ଟିକାବାଲି ବ୍ଲକ ଅନ୍ତର୍ଗତ ପାବୁରିଆ ପଞ୍ଚାୟତର କୁଟିଗୁଡା ପିପଳସାହିରେ |

 କୁବେର ଦିଗାଲଙ୍କ ଜଣେ   ମାନସିକ ଭିନ୍ନକ୍ଷମ ବ୍ୟକ୍ତି ହୋଇଥିବା ବେଳେ ଦୃଷ୍ଟି ଶକ୍ତି ମଧ୍ୟ ଠିକ ନାହିଁ। କିନ୍ତୁ ଆଜି ପର୍ଯ୍ୟନ୍ତ ସେ ବିକଳାଙ୍ଗ ଭତ୍ତା ପାଉନାହାନ୍ତି।  ପୁଅ ରାହୁଲ   ଅଭାବ ଅନଟନ ପାଇଁ ପାଠ ପଢ଼ାରେ ଡୋରୀ ବାନ୍ଧି ବାପା ମାଆଙ୍କୁ ଘର ଚଳାଇବାରେ ସାହାଯ୍ୟ କରୁଛନ୍ତି ।  ଝିଅ ସନୁପ୍ରିୟା   ବର୍ତ୍ତମାନ ଦଶମ ଶ୍ରେଣୀରେ ପଢ଼ନ୍ତି | ଏହାଛଡା କୁବେରଙ୍କ ଅବିବାହିତ କାକା ବୃନ୍ଦାବନ ମଧ୍ୟ ସାଙ୍ଗରେ ରହୁଛନ୍ତି। ଘରର ପରିସ୍ଥିତି ଭଲ ନ ଥିବାରୁ  କୁବେରଙ୍କ ସ୍ତ୍ରୀ ସୁଲୋଚନା ଜି ଉଦୟଗିରି ଯାଇ ଦିନ ମଜୁରୀଆ ଭାବରେ କାମ କରନ୍ତି | ଦୀର୍ଘ ବର୍ଷ ହେବ   କୁବେରଙ୍କ ପରିବାର ଗୋଟିଏ ଛୋଟିଆ କୁଡିଆ ଭିତରେ ରହି ଆସୁଛନ୍ତି | ଅସହାୟ କୁବେରଙ୍କ ଭିନ୍ନୟମ ପ୍ରମାଣ ପତ୍ର ନଥିବାରୁ ସେ ଆଜି ପର୍ଯ୍ୟନ୍ତ ଭତ୍ତା ପାଇ ପାରୁ ନାହାନ୍ତି।

ଏ ନେଇ ପାବୁରିଆ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଞ୍ଜୟ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ କୁବେରଙ୍କ ସ୍ତ୍ରୀ ସୁଲୋଚନାଙ୍କ ନାଁରେ କାର୍ଯ୍ୟାଦେଶ ହୋଇ  ପ୍ରଥମ କିସ୍ତିରେ ୪୦ ହଜାର ଟଙ୍କା ଦିଆ ଯାଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ସେହିଭଳି ଭିନ୍ନକ୍ଷମ ପ୍ରମାଣ ପତ୍ର ନେଇ ପଞ୍ଚାୟତରେ ଆବେଦନ କରିବାକୁ ସେ କହିଥିଲେ  ।