ଦିଗପହଣ୍ଡି,୦୨/୦୬: ବାରମ୍ବାର ଦାବି ପରେ କେହି କର୍ଣ୍ଣପାତ କଲେନାହିଁ । ରାଜପଥରେ କଲଭର୍ଟ ନିର୍ମାଣ ସହ ଜଳ ନିଷ୍କାସନ ନେଇ ପ୍ରଶାସନକୁ ଦାବି କରିଆସୁଥିଲେ ହେଲେ କେହି ଶୁଣିଲେ ନାହିଁ । ଶେଷରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଲୋକ । ଗଞ୍ଜାମ ଦିଗପହଣ୍ଡି -ଆସିକା ରାଜପଥର ପୁଞ୍ଜିକାୟା ଛକଠାରେ କଲଭର୍ଟ ନିର୍ମାଣ ସହ ଜଳନିଷ୍କାସନ ଦାବିରେ ଆଜି ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ ।
ଆଜି ପୂର୍ବାହ୍ନ ୧୦ଟାରୁ ଏହି ଆନ୍ଦୋଳନ ଚାଲୁ ରହିଛି । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହାନ ଅଟକି ରହିଛି । ଦୀର୍ଘ ୩ ଘଣ୍ଟା ଧରି ଏହି ଆନ୍ଦୋଳନ ଚାଲିଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବାରୁ ଆନ୍ଦୋଳନକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ନଗରପାଳ ପ୍ରଫୁଲ କୁମାର ପଣ୍ଡାଙ୍କ ଅଭିଯୋଗ ଅନୁସାରେ ଦିଗପହଣ୍ଡି-ଆସିକା ଜାତୀୟ ରାଜପଥ ଗତ ଦୁଇ ବର୍ଷ ହେଲା ନିର୍ମାଣ କାର୍ଯ୍ୟ ଚାଲିଥିଲେ ମଧ୍ୟ ସହର ଦେଇ ଯାଇଥିବା ଅଧିକାଂଶ ରାସ୍ତା ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି ।
ପୁଞ୍ଜିକାୟା ଛକ ସହରର ଜନଗହଳି ଅଞ୍ଚଳ ଏଠାରେ ରସ୍ତା ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ଛାଡି ଦିଆଯାଇଛି ଏବଂ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଇନଥିବା ଯୋଗୁଁ ସାମନ୍ୟ ବର୍ଷାରେ ରାସ୍ତା ମଝିରେ ବର୍ଷାପାଣି ଲହଡି ମାରୁଛି । ଯାତାୟତରେ ନାହିଁ ନଥିବା ଅସୁବିଧା ହେଉଛି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ଓ ଦିଗପହଣ୍ଡି ତହସିଲଦାରଙ୍କୁ ଅନେକ ବର ଅଭିଯୋଗ କରାଯାଇଥିଲେ ମଧ୍ୟ ଦାବି ପ୍ରତି କେହି କର୍ଣ୍ଣପାତ କରିନଥିଲେ । ତେଣୁ ବାଧ୍ୟ ହୋଇ ରାସ୍ତା ଅବରୋଧ ଡାକରା ଦିଆଯାଇଛି ।
ଆନ୍ଦୋଳନରେ ଦିଗପହଣ୍ଡି ନଗର ପାଳ ପ୍ରଫୁଲ କୁମାର ପଣ୍ଡା, କଉଁସିଲର ଦୀପକ କୁମାର ମିଶ୍ର, ଜଗୁ ବେହେରାଙ୍କ ସମେତ ସ୍ଥାନୀୟ ବ୍ୟବସ୍ୱାୟିକ ସଂଘ ଓ ସାଧାରଣ ଲୋକ ଏହି ରାସ୍ତା ଅବରୋଧରେ ସାମିଲ ହୋଇଛନ୍ତି । ଆଗକୁ ବର୍ଷା ଋତୁ ଆସୁଛି । ଏଣୁ ଆସନ୍ତା ସପ୍ତାହେ ମଧ୍ୟରେ ଲୋକଙ୍କ ଦାବିକୁ ଅଗ୍ରାଧିକାର ଭିତ୍ତିରେ ପୂରଣ ନକଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି କଉନିସିଲର ଦୀପକ କୁମାର ମିଶ୍ର ଚେତାବନୀ ଦେଇଛନ୍ତି ।