ସୋରଡ଼ା,୨୪/୧୨ : ଅନୁସୂଚିତ ଅଞ୍ଚଳକୁ ପଞ୍ଚାୟତ ଗୁଡ଼ିକର ସମ୍ପ୍ରସାରଣ(ପେସା)ଆଇନ ଅନୁଯାୟୀ ସମ୍ପ୍ରଦାୟ ନେତୃତ୍ୱାଧୀନ ଶାସନ ପାଳନ ଦିବସ ପଞ୍ଚାୟତିରାଜ ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପ୍ରତିବର୍ଷ ଡିସେମ୍ବର ୨୩ ଏବଂ ୨୪ତାରିଖରେ ପେସା ମହୋତ୍ସବ ମିଳିତ ଭାବେ ପାଳନ କରନ୍ତି । ସୋରଡ଼ା ବ୍ଲକରେ ବୁଧବାର ଏହି ଦିବସ ପାଳନ କରାଯାଇଛି । ବିଡିଓ ତନ୍ମୟ ପାତ୍ର ଓ ଏବିଡିଓ ସଂଜୀବ ରାଜ ସେନାପତିଙ୍କ ପ୍ରତ୍ୟେକ୍ଷତତ୍ତ୍ବାବଧାନ ତଥା ବ୍ଲକ ପେସା ସଂଯୋଜକ ରଞ୍ଜନ ସାହୁଙ୍କ ସଂଯୋଜନାରେ ବ୍ଲକର ୨୩ଟି ପଞ୍ଚାୟତରେ ସ୍ଵତନ୍ତ୍ର ଗ୍ରାମସଭା ଆୟୋଜନ କରାଯାଇଛି ।

ଉପସ୍ଥିତ ସରପଞ୍ଚ, ସମିତି ସଭ୍ୟ ଓ ସମସ୍ତ ଅଞ୍ଚଳର ବାସିନ୍ଦାମାନଙ୍କୁ ପେସା ଆଇନ ସମ୍ବନ୍ଧରେ ବିସ୍ତୃତ ସୂଚନା ଦିଆଯାଇଛି । ପ୍ରତି ପଞ୍ଚାୟତମାନଙ୍କରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀମାନେ ଉପସ୍ଥିତ ରହି ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିଛନ୍ତି । ସୂଚନାଯୋଗ୍ୟ ଯେ, ପେସା ଆଇନ ଆଦିବାସୀ ସମ୍ପ୍ରଦାୟଗୁଡ଼ିକୁ ସେମାନଙ୍କ ପଞ୍ଚାୟତିରାଜ ବ୍ୟବସ୍ଥା ବିସ୍ତାର କରି ସଶକ୍ତ କରିଥାଏ । ସେମାନଙ୍କୁ ସେମାନଙ୍କ ଜମିରୁ ଅପସାରିତ କିମ୍ବା ବିଚ୍ଛିନ୍ନ ହେବାରୁ ରକ୍ଷା କରିଥାଏ । ଉଦ୍ଦେଶ୍ୟ ହେବ ଏହି ଆଇନ ବିଷୟରେ ସଚେତନତା ପ୍ରସାର କରିବା ଏବଂ ଅନୁସୂଚିତ ଅଞ୍ଚଳରେ ସ୍ଥାନୀୟ ସ୍ତରୀୟ ସଂସ୍ଥାଗୁଡ଼ିକର କ୍ଷମତା ଉନ୍ନତ କରିବା ।

ଭାରତରେ ଜନଜାତି ସମ୍ପ୍ରଦାୟ ଜନସଂଖ୍ୟାର ପ୍ରାୟ ୮.୬%। ସମ୍ବିଧାନର ଧାରା ୨୪୪ ଅନୁଯାୟୀ ଉଲ୍ଲେଖନୀୟ ଜନଜାତି ଜନସଂଖ୍ୟା ଥିବା ଅଞ୍ଚଳଗୁଡ଼ିକୁ ଭାରତର ରାଷ୍ଟ୍ରପତି ଅନୁସୂଚିତ ଅଞ୍ଚଳ ଭାବେ ନାମିତ କରିଛନ୍ତି । ଯାହାଦ୍ୱାରା ଆଦିବାସୀମାନେ ସେମାନଙ୍କର ସ୍ଥାନୀୟ ସମ୍ବଳ, ବିକାଶ ଏବଂ ସାମାଜିକ ଜୀବନ ଉପରେ ନିୟନ୍ତ୍ରଣ ରଖିପାରିବେ । ୧୯୯୬ମସିହାରେ ପଞ୍ଚାୟତ (ଅନୁସୂଚିତ ଅଞ୍ଚଳକୁ ସମ୍ପ୍ରସାରଣ) ଆଇନ (ପେସା) କାର୍ଯ୍ୟକାରୀ ହୋଇଥିଲା । ଯାହା ଅନୁସୂଚିତ ଅଞ୍ଚଳର ଆଦିବାସୀ ସମ୍ପ୍ରଦାୟକୁ ସ୍ୱ-ଶାସନ ପାଇଁ ସମାନ କ୍ଷମତା ଦେଇଥିଲା । ଏହି ଐତିହାସିକ ଆଇନ ଆଦିବାସୀ ସମ୍ପ୍ରଦାୟର ଜମି, ଜଳ, ଜଙ୍ଗଲ ସମ୍ପ୍ରଦାୟ, ସଂସ୍କୃତି ଏବଂ ଶାସନ ବ୍ୟବସ୍ଥା ଉପରେ ସେମାନଙ୍କର ଅଧିକାରକୁ ପୁନରୁଦ୍ଧାର ଏବଂ ସୁରକ୍ଷା କରେ । ଏହା ଆଦିବାସୀ ଗ୍ରାମସଭାକୁ ସଶକ୍ତ କରି ଆଦିବାସୀ ସମ୍ପ୍ରଦାୟକୁ ବିକେନ୍ଦ୍ରୀକୃତ ଗଣତନ୍ତ୍ର ବିସ୍ତାର କରେ। ପେସା ଆଇନ ଏହା ମଧ୍ୟ ସ୍ୱୀକାର କରେ ଯେ, ଆଦିବାସୀ ସମ୍ପ୍ରଦାୟଗୁଡ଼ିକର ଅନନ୍ୟ ପାରମ୍ପରିକ ଶାସନ ବ୍ୟବସ୍ଥା ଏବଂ ବିଶେଷ ବିକାଶମୂଳକ ଆବଶ୍ୟକତା ରହିଛି।