ନୂଆଦିଲ୍ଲୀ, ୦୩/୦୪ : ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ସେନାରେ ବଡ଼ ପରିବର୍ତ୍ତନ। ପେଣ୍ଟାଗନରେ ହଲଚଲ। ହଟିଲେ ୟୁଏସ୍ ଆର୍ମି ଚିଫ୍ ଆର୍. ଜର୍ଜ। ସେନା ମୁଖ୍ୟଙ୍କୁ ବଳ ପୂର୍ବକ ଅବସର ଦେଲା ଆମେରିକା। ଆର.ଜର୍ଜଙ୍କର କାର୍ଯ୍ୟକାଳ ୨୦୨୭ ଯାଏଁ ଥିଲା। ହେଲେ ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗସେଥ୍ ତାଙ୍କୁ ତୁରନ୍ତ ଅବସର ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏନେଇ କୌଣସି ସ୍ପଷ୍ଟ କାରଣ ଦେଇ ନାହିଁ। ମଧ୍ୟପ୍ରାଚ୍ୟ ଯୁଦ୍ଧ ଘନଘଟା ଭିତରେ ଏହି ନିଷ୍ପତ୍ତି ନିଆଯାଇଛି।
ଜେନେରାଲ ଆର.ଜର୍ଜ ଅଗଷ୍ଟ ୨୦୨୩ରେ ଆମେରିକା ସେନା ମୁଖ୍ୟ ପଦରେ ନିୟୋଜିତ ହୋଇଥିଲେ। ତାଙ୍କର କାର୍ଯ୍ୟକାଳ ୨୦୨୭ରେ ଶେଷ ହେବାର ଥିଲା। ସେ ଜଣେ ଅଭିଜ୍ଞ ସୈନ୍ୟ ଅଧିକାରୀ। ସେ ଗଲ୍ଫ ଯୁଦ୍ଧ, ଇରାକ ଏବଂ ଆଫଗାନିସ୍ତାନ ଭଳି ବଡ଼ ଯୁଦ୍ଧରେ ଅଂଶଗ୍ରହଣ କରିଥିଲେ। ହେଲେ ଏବେ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ପେଣ୍ଟାଗନ୍ ମୁଖପାତ୍ର ସିନ୍ ପାର୍ନେଲ୍ ଏନେଇ ସୂଚନା ଦେଇଛନ୍ତି। ସେ ଆର. ଜର୍ଜଙ୍କ ଦେଶ ପ୍ରତି ଦଶନ୍ଧି ଧରି ସେବାକୁ ପ୍ରଶଂସା କରି କହିଥିଲେ ଯେ, ଏବେ ସେନାରେ ନେତୃତ୍ୱ ପରିବର୍ତ୍ତନର ସମୟ ଆସିଛି।
ଟ୍ରମ୍ପ ଦ୍ଵିତୀୟ ଥର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ହେଗସେଥ୍ ଡଜନେରୁ ଅଧିକ ଶୀର୍ଷ ଜେନେରାଲ ଏବଂ ଆଡମିରାଲଙ୍କୁ ବରଖାସ୍ତ କରିଛନ୍ତି। ଜର୍ଜଙ୍କ ବହିଷ୍କାର ପରେ ପେଣ୍ଟାଗନ ନେତୃତ୍ୱ ଭିତରେ ଅଶାନ୍ତି ପୁଞ୍ଜିଭୂତ ହୋଇଛି। ଗତ ଫେବୃଆରୀରେ ନୌସେନା ଆଡମିରାଲ୍ ଲିସା ଫ୍ରାନ୍ଚେଟି ଏବଂ ବାୟୁସେନାର ଦ୍ୱିତୀୟ-ଇନ୍-କମାଣ୍ଡ ଜେନେରାଲ ଜିମ୍ ସିଲ୍ଫଙ୍କ ସମେତ ଶୀର୍ଷ ସାମରିକ ନେତାମାନଙ୍କୁ ହେଗସେଥ୍ ହଟାଇ ଦେଇଥିଲେ। ସେହି ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତତ୍କାଳୀନ ଯୁଗ୍ମ ମୁଖ୍ୟ କର୍ମଚାରୀ ଜେନେରାଲ ଚାର୍ଲ୍ସ ସି.କ୍ୟୁ. ବ୍ରାଉନଙ୍କୁ ମଧ୍ୟ ବହିଷ୍କାର କରିଥିଲେ। ସେହିପରି ୧୨ରୁ ଅଧିକ ଶୀର୍ଷ ସାମରିକ ଜେନେରାଲ ଏବଂ ଆଡମିରାଲ୍ ଅବସର ନେଇଛନ୍ତି ନହେଲେ ସେମାନଙ୍କ ପଦବୀରୁ ହଟାଇ ଦିଆଯାଇଛି।
ଏହି ଖବରଟିକୁ ପଢନ୍ତୁ- ଯୁଦ୍ଧରୁ ଟାରିଫ୍ କୁ ଫେରିଲେ ଟ୍ରମ୍ପ; ଫାର୍ମାକୁ ୧୦୦% ଝଟକା, ମେଟାଲ୍ ଉପରେ କିମିଲା ଏତିକି ଶୁଳ୍କ