ନୂଆଦିଲ୍ଲୀ, ୦୭/୦୫: ୪ଟି ରାଜ୍ୟରେ ନିର୍ବାଚନ ଶେଷ ହୋଇଛି । ବର୍ତ୍ତମାନ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ନେଇ ଅନୁମାନ କରାଯାଉଛି । ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଅଶୋଧିତ ତେଲ ଦର ଲଗାତର ଉପର ମୁହାଁ ହୋଇଛି । ବ୍ୟାରେଲ ପିଛା ଅଶୋଧିତ ତେଲ ୭୦ ଡଲାରରୁ ୧୦୦ ଡଲାରକୁ ବଢ଼ିଗଲାଣି । ଏଭଳି ସ୍ଥିତିରେ ତେଲ କମ୍ପାନି ଗୁଡିକ ବଡ଼ କ୍ଷତି ସହୁଛନ୍ତି । ଏହାକୁ ଦେଖିଲେ ବେଶି ଦିନ ଧରି କମ୍ପାନି ତେଲ ଦରକୁ ନିମ୍ନରେ ରଖିବା ସ୍ଥିତିରେ ନ ରହି ପାରନ୍ତି ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) କହିଛି । କମ୍ପାନି ଗୁଡିକ ଦରବୃଦ୍ଧି ଚାପକୁ କମାଇବା ଦିଗରେ ପେଟ୍ରୋଲ-ଡିଜେଲ ରିଟେଲ୍ ମୂଲ୍ୟରେ ବୃଦ୍ଧି କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

ଆଇଏମ୍ଏଫ୍‌ର ଏସିଆ ପାସିଫିକ ନିର୍ଦ୍ଦେଶକ କ୍ରିଷ୍ଣା ଶ୍ରୀନିବାସନ କହିଛନ୍ତି, ତେଲ ଉପରେ ଭାରତ ଉତ୍ପାଦ ଟିକସ ହ୍ରାସ କରିଛି । ସାର କ୍ଷେତ୍ରରେ ମଧ୍ୟ ସବ୍‌ସିଡି ଜାରି କରାଯାଇଛି । ଏହା କିଛି ଦିନ ଧରି ଜାରି ରହିବ । ମାତ୍ର ଆର୍ଥିକ ଦୃଷ୍ଟିରୁ ଏହାକୁ ଦୀର୍ଘ ସମୟ ଯାଏ ଚଳାଇ ହେବନି । ନିର୍ଦ୍ଦିଷ୍ଟ ସମୟରେ ଦର ବୃଦ୍ଧି ପ୍ରସଙ୍ଗକୁ ବିଚାର କରିବାକୁ ପଡିବ । ଯାହା ଭାରତ ଲାଗି ପ୍ରଯୁଯ୍ୟ ହୋଇପାରେ । ଏଭଳି ଦର ବୃଦ୍ଧି ଦ୍ୱାରା ଯୋଗାଣ କ୍ଷେତ୍ରରେ ରହୁଥିବା କମ୍ପାନିଙ୍କ ଚାପକୁ କିଛିଟା କମାଇପାରେ । ତେବେ ସମସ୍ୟାରେ ରହିଥିବା ନିର୍ଦ୍ଦିଷ୍ଟ ବର୍ଗଙ୍କୁ ସବ୍‌ସିଡି ଯୋଗାଣ ଉପରେ ଫୋକସ୍ କରିବାକୁ ହେବ । ତେବେ ଆଇଏମ୍ଏଫ୍‌ର ଏହି ଯୁକ୍ତି ସହ ସହମତ ହୋଇନାହାନ୍ତି ସରକାର ।

ଅଧିକ ପଢ଼ନ୍ତୁ;-  SBI ଗ୍ରାହକଙ୍କ ପାଇଁ ବଡ଼ ଖବର, ମେ’ ମାସ ଶେଷରେ ଲଗାତାର ୪ ଦିନ ବନ୍ଦ ରହିପାରେ ବ୍ୟାଙ୍କ ସେବା

ଆର୍‌ବିଆଇ ଡେପୁଟି ଗଭର୍ଣ୍ଣର ପୁନମ ଗୁପ୍ତା କହିଛନ୍ତି, ଦେଶର ବିତ୍ତୀୟ ସ୍ଥିତି ଦୃଢ଼ ରହିଛି । ୨୦୩୨ ବେଳକୁ ମୋଟ ଋଣ ୭୭.୭%କୁ ଖସିପାରେ । ସୁଚିନ୍ତିତ ବିତ୍ତୀୟ ପରିଚାଳନା, ଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି ଦେଶର ଜିଡିପିରେ ସ୍ଥିତାବସ୍ଥା ଆଣିଛି । ନିର୍ବାଚନ ପରେ ପେଟ୍ରୋଲ-ଡିଜେଲ ଦର ବଢ଼ିବା ନେଇ ନ୍ୟୁଜ ଏଜେନ୍ସି ପିଟିଆରେ ଏକ ରିପୋର୍ଟ ଆସିଥିଲା । ଦର ବୃଦ୍ଧି ଖବରକୁ ସରକାର ଖଣ୍ଡନ କରିଥିଲେ । ନିକଟରେ କମର୍ସିଆଲ ଗ୍ୟାସ ଦର ସିଲିଣ୍ଡର ପିଛା ୯୯୩ ଟଙ୍କା ବଢ଼ିଛି । ୫ କିଲୋ ବିଶିଷ୍ଟ ଏଲ୍‌ପିଜି ସିଲିଣ୍ଡର ଏବଂ ବିମାନ ଇନ୍ଧନ ଦର ମଧ୍ୟ ବଢ଼ାଯାଇଛି ।