ନୂଆଦିଲ୍ଲୀ, ୬।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର । ଚଳିତ ମେ’ ମାସ ଶେଷ ଭାଗରେ ଏସବିଆଇର ବ୍ୟାଙ୍କିଙ୍ଗ୍ ସେବା ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି । କର୍ମଚାରୀ ସଂଘ ପକ୍ଷରୁ ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଥିବାରୁ, ସପ୍ତାହ ଶେଷ ଛୁଟିକୁ ମିଶାଇ ଲଗାତାର ୪ ଦିନ ଧରି ବ୍ୟାଙ୍କ ଶାଖାଗୁଡ଼ିକରେ କାର୍ଯ୍ୟ ବନ୍ଦ ରହିପାରେ । ଅଲ୍ ଇଣ୍ଡିଆ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଷ୍ଟାଫ୍ ଫେଡେରେସନ୍ (AISBISF) ପକ୍ଷରୁ ମେ’ ୨୫ ଏବଂ ୨୬ ତାରିଖରେ ଧର୍ମଘଟ ପାଇଁ ନୋଟିସ୍ ଦିଆଯାଇଛି । ତେବେ ଏହି ଧର୍ମଘଟ ପୂର୍ବରୁ କ୍ୟାଲେଣ୍ଡର ଅନୁଯାୟୀ ବ୍ୟାଙ୍କ ଛୁଟି ରହୁଛି:

ମେ’ ୨୩ (ଶନିବାର): ଚତୁର୍ଥ ଶନିବାର ଯୋଗୁଁ ବ୍ୟାଙ୍କ ବନ୍ଦ

ମେ’ ୨୪ (ରବିବାର): ସାପ୍ତାହିକ ଛୁଟି

ମେ’ ୨୫ (ସୋମବାର): କର୍ମଚାରୀ ସଂଘର ଧର୍ମଘଟ

ମେ’ ୨୬ (ମଙ୍ଗଳବାର): କର୍ମଚାରୀ ସଂଘର ଧର୍ମଘଟ

ଏହିପରି ଭାବେ ଲଗାତାର ୪ ଦିନ ଧରି ବ୍ୟାଙ୍କ କାର୍ଯ୍ୟାଳୟଗୁଡ଼ିକରେ କୌଣସି କାର୍ଯ୍ୟ ହେବ ନାହିଁ । ଯଦି ଏହି ସମୟ ମଧ୍ୟରେ କୌଣସି ସରକାରୀ ଛୁଟି ପଡ଼େ, ତେବେ ଧର୍ମଘଟ ମେ’ ୨୭ ଯାଏଁ ମଧ୍ୟ ଲମ୍ବିପାରେ ବୋଲି ସଂଘ ଚେତାବନୀ ଦେଇଛି ।

ଧର୍ମଘଟର କାରଣ ଓ ଦାବି:

କର୍ମଚାରୀ ସଂଘର କହିବା ଅନୁଯାୟୀ, ଦୀର୍ଘ ଦିନ ଧରି ପଡ଼ି ରହିଥିବା କର୍ମଚାରୀଙ୍କ ସମସ୍ୟା, ନିଯୁକ୍ତି ନୀତି ଏବଂ ପେନସନ୍ ସୁବିଧାକୁ ନେଇ ସରକାର ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ସମାଧାନ ହେଉନାହିଁ । ସଂଘ ମୋଟ୍ ୧୬ ଦଫା ଦାବି ଉପସ୍ଥାପନ କରିଛି, ଯେଉଁଥିରେ ମୁଖ୍ୟ ଗୁଡ଼ିକ ହେଲା:

୧. ସପୋର୍ଟ ଷ୍ଟାଫ୍ ଓ ସୁରକ୍ଷା କର୍ମୀ ପଦବୀରେ ନୂତନ ନିଯୁକ୍ତି

୨. ମେସେଞ୍ଜର ଏବଂ ସଶସ୍ତ୍ର ଗାର୍ଡ ସଂଖ୍ୟା ହ୍ରାସ ନ କରି ସେହି ପଦବୀରେ ସିଧାସଳଖ ନିଯୁକ୍ତି

୩. ନ୍ୟାସନାଲ ପେନସନ୍ ସିଷ୍ଟମ୍ (NPS) ଅଧୀନରେ ନମନୀୟତା ଓ ପେନସନ୍ ଗଣନାରେ ପରିବର୍ତ୍ତନ

୪. ଆଉଟସୋର୍ସିଂ ପ୍ରକ୍ରିୟାକୁ ରୋକିବା ଏବଂ କ୍ୟାରିୟର ପ୍ରଗତିର ଢାଞ୍ଚାରେ ସଂଶୋଧନ

ପ୍ରତିବାଦର କାର୍ଯ୍ୟସୂଚୀ:

ଧର୍ମଘଟ ପୂର୍ବରୁ ସଂଘ ପକ୍ଷରୁ ବିଭିନ୍ନ ପ୍ରକାର ଆନ୍ଦୋଳନ କରାଯିବ । ମେ’ ୫ ରୁ ୧୮ ତାରିଖ ମଧ୍ୟରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ, ସୋସିଆଲ ମିଡିଆ କ୍ୟାମ୍ପେନ୍ ଏବଂ ସାମ୍ବାଦିକ ସମ୍ମିଳନୀ କରାଯିବ । ଏହା ସହିତ ମେ’ ୧୯ରେ ଅର୍ଥମନ୍ତ୍ରୀ ଏବଂ ମେ’ ୨୧ରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।

ଗ୍ରାହକଙ୍କ ଉପରେ ପ୍ରଭାବ:

ଯଦି ଏହି ଧର୍ମଘଟ ହୁଏ, ତେବେ ଏସବିଆଇ ଶାଖାଗୁଡ଼ିକରେ ନଗଦ କାରବାର, ଚେକ୍ କ୍ଲିୟରାନ୍ସ ଏବଂ ଅନ୍ୟାନ୍ୟ ଜରୁରୀ ବ୍ୟାଙ୍କିଙ୍ଗ୍ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିବ । ତେବେ ଡିଜିଟାଲ ବ୍ୟାଙ୍କିଙ୍ଗ୍ ଅର୍ଥାତ୍ Net Banking, UPI ସେବା ଚାଲୁ ରହିବ, କିନ୍ତୁ ବ୍ୟାକ-ଏଣ୍ଡ ପ୍ରୋସେସିଂରେ କର୍ମଚାରୀଙ୍କ ଅନୁପସ୍ଥିତି ଯୋଗୁଁ କିଛି କାରବାରରେ ବିଳମ୍ବ ହୋଇପାରେ । ବ୍ୟାଙ୍କ ଗ୍ରାହକମାନଙ୍କୁ ସେମାନଙ୍କର ଜରୁରୀ କାର୍ଯ୍ୟ ଏହି ତାରିଖ ପୂର୍ବରୁ ଶେଷ କରିବାକୁ କିମ୍ବା ଡିଜିଟାଲ ପ୍ଲାଟଫର୍ମ ବ୍ୟାବହାର କରିବାକୁ ପରାମର୍ଶ ଦିଆଯାଇଛି ।

ଆହୁରି ପଢ଼ନ୍ତୁ... Petrol Diesel Price: ନିର୍ବାଚନ ରେଜଲ୍ଟ ପୂର୍ବରୁ ବଦଳିଲା ପେଟ୍ରୋଲ-ଡିଜେଲ ଦାମ, ଆପଣଙ୍କ ସହରରେ କେତେ ? ଚେକ୍ କରନ୍ତୁ ରେଟ୍