ଭୁବନେଶ୍ୱର, ୦୮/୦୩: ଆସନ୍ତା ଶିକ୍ଷାବର୍ଷ (୨୦୨୫-୨୬) ପାଇଁ  ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ୧୦ ତାରିଖରୁ  ଆରମ୍ଭ ହେବ । ସ୍ନାତକୋତ୍ତର ନାମଲେଖା ପାଇଁ ଏକକ ପିଜି ପ୍ରବେଶିକା  ପରୀକ୍ଷା (ସିପେଟ୍‌) ପରୀକ୍ଷା କରାଯିବ । ଏଥିପାଇଁ ସୋମବାରଠୁ ନାମଲେଖା  ଆବେଦନ ଆରମ୍ଭ ହେବ । ପିଜି ନାମଲେଖା ପାଇଁ ଏହି ସିପେଟ୍‌ ପରୀକ୍ଷା  ନିହାତି ଆବଶ୍ୟକ ବୋଲି କୁହାଯାଇଛି । ମେ ମାସରେ ପ୍ରଥମ ସପ୍ତାହରେ  ପରୀକ୍ଷା ଅନୁଷ୍ଠିତ ହେବ । ଜୁଲାଇ ୧୦ ସୁଦ୍ଧା ପାଠପଢ଼ା ଆରମ୍ଭ ହେବ ।  ଏନେଇ ଶୁକ୍ରବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ଜଣାଇ ଦିଆଯାଇଛି । 

ସିପେଟ୍‌ ପରୀକ୍ଷା ମାର୍କ ଅନିବାର୍ଯ୍ୟ ମାନଦଣ୍ଡ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ  ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ମେଧା (ମେରିଟ୍‌ ବେସ୍‌ଡ) ଆଧାରିତ ହେବ ।  ବିଭାଗ ପକ୍ଷରୁ କୁହାଯାଇଛି, ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପିଜି  ନାମଲେଖା ପାଇଁ ଏହି ପରୀକ୍ଷା ହେବ । ଏହି ପରୀକ୍ଷା ପାଇଁ କମନ୍‌ ଆପ୍ଲିକେସନ  ଫର୍ମ ଦ୍ୱାରା ସାମ୍‌ସ ୱେବ୍‌ସାଇଟ୍‌ରେ ଆବେଦନ କରାଯିବ । ଏନେଇ ସବିଶେଷ  ତଥ୍ୟ ଆଗାମୀ ଦିନରେ ଦିଆଯିବ । ଠିକ୍‌ ସମୟରେ ପରୀକ୍ଷା ଓ ପରୀକ୍ଷା  ଫଳ ଘୋଷଣା କରାଯିବ । ଏହାଦ୍ୱାରା ସମସ୍ତ ଛାତ୍ରଛାତ୍ରୀ ଉପକୃତ ହେବେ।