ନୂଆଦିଲ୍ଲୀ, ୧୧।୪: ଦୀର୍ଘ ଦିନର ଶତ୍ରୁତା ପରେ ଆମେରିକା ଏବଂ ଇରାନ ମଧ୍ୟରେ ଶନିବାର ପାକିସ୍ତାନର ଇସଲାମାବାଦଠାରେ ଏକ ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏହି ଆଲୋଚନା ପୂର୍ବରୁ ଇରାନ ଏକ ଭାବପୂର୍ଣ୍ଣ ତଥା ଶାଣିତ ଆଭିମୁଖ୍ୟ ଗ୍ରହଣ କରିଛି । ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ୍ ଯେତେବେଳେ ଇସଲାମାବାଦରେ ପହଞ୍ଚିଲେ, ସେ ନିଜ ସହ କେବଳ ଦସ୍ତାବିଜ୍ ନୁହେଁ, ବରଂ ନିଷ୍ପାପ ଶିଶୁଙ୍କ ରକ୍ତଭିଜା ସ୍ମୃତି ମଧ୍ୟ ନେଇ ଆସିଥିଲେ ।
ସଭିଙ୍କୁ ଚକିତ କଲା ବିମାନ ଭିତରର ଦୃଶ୍ୟ:
ଇରାନ ନେତା ଗାଲିବାଫ୍ଙ୍କ ବିମାନ ଭିତରୁ ଏକ ଛାତିଥରା ଚିତ୍ର ସାମ୍ନାକୁ ଆସିଛି । ଇରାନରୁ ପାକିସ୍ତାନ ଯାତ୍ରା ସମୟରେ ବିମାନର ସିଟ୍ଗୁଡ଼ିକରେ କୌଣସି ଅତିଥି ନୁହେଁ, ବରଂ ମୀନାବ ଆକ୍ରମଣରେ ପ୍ରାଣ ହରାଇଥିବା ଶିଶୁଙ୍କ ଫଟୋ, ରକ୍ତଭିଜା ସ୍କୁଲ ବ୍ୟାଗ୍ ଏବଂ ଜୋତା ରଖାଯାଇଥିଲା । ଗାଲିବାଫ୍ ନିଜ ସିଟ୍ରେ ବସି ସେହି ନିଷ୍ପାପ ମୁହଁଗୁଡ଼ିକୁ ଏକଲୟରେ ଚାହିଁ ରହିଥିବାର ଦେଖାଯାଇଥିଲା । ଏହି ଦୃଶ୍ୟ ଦର୍ଶାଉଛି ଯେ, ଇରାନ ଆଜି ବି ମୀନାବ୍ର ସେହି କଷ୍ଟଦାୟକ କ୍ଷତକୁ ଭୁଲିପାରି ନାହିଁ ।
ଏହା ବି ପଢ଼ନ୍ତୁ... ଆର୍ଟେମିସ୍ -୨ ମିଶନ; ପୃଥିବୀକୁ ଫେରିଲେ ନାସା ମହାକାଶଚାରୀ, ସାନ୍ ଡିଏଗୋ ଉପକୂଳରେ ଅବତରଣ
କ’ଣ ଥିଲା ସେହି ‘ମୀନାବ’ ଆକ୍ରମଣ ?
ଗତ ଫେବୃଆରୀ ୨୮ ତାରିଖରେ ଇରାନର ମୀନାବ ସହରରେ ଏକ ଅଭାବନୀୟ ଘଟଣା ଘଟିଥିଲା । ଏକ ବାଳିକା ବିଦ୍ୟାଳୟ ଉପରେ ହୋଇଥିବା ଭୟଙ୍କର ଆକ୍ରମଣରେ ୧୬୫ରୁ ଅଧିକ ନିଷ୍ପାପ ଛାତ୍ରୀଙ୍କର ମୃତ୍ୟୁ ଘଟିଥିଲା । ଇରାନ ଏଥିପାଇଁ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣକୁ ଦାୟୀ କରିଆସୁଛି । ସେତେବେଳେ ସ୍କୁଲ ଚାରିଆଡ଼େ କେବଳ ରକ୍ତର ଛିଟା ଏବଂ ଶିଶୁଙ୍କ ଚିତ୍କାର ଶୁଭୁଥିଲା । ଏହି ଘଟଣା ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା ।
ଦୋଷ ଲଦାଲଦି ଓ ଆମେରିକାର ସ୍ପଷ୍ଟୀକରଣ:
ଏହି ଆକ୍ରମଣ ପାଇଁ ଇରାନ ସିଧାସଳଖ ଆମେରିକୀୟ ଅଧିକାରୀଙ୍କୁ ଦାୟୀ କରିଛି । ଅପରପକ୍ଷରେ, ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ଇରାନର ନିଜସ୍ୱ ଅସ୍ତ୍ରଶସ୍ତ୍ରର ସଠିକତା ନଥିବାରୁ ଏହା ଭୁଲବଶତଃ ନିଜ ସ୍କୁଲ ଉପରେ ପଡ଼ିଛି । ପ୍ରଥମେ ଆମେରିକା କହିଥିଲା ଯେ ସେମାନେ ସ୍କୁଲକୁ ନୁହେଁ, ବରଂ ସ୍କୁଲ ନିକଟରେ ଥିବା ଇରାନର ସାମରିକ ଘାଟିକୁ ଟାର୍ଗେଟ କରିଥିଲେ ।
ଶାନ୍ତି ଆଲୋଚନା କେତେ ସଫଳ ହେବ ?
ଇସଲାମାବାଦ ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମେରିକା-ଇରାନ ଯୁଦ୍ଧ ପରିସ୍ଥିତିକୁ ସମାପ୍ତ କରିବା । କିନ୍ତୁ ଆଲୋଚନା ପୂର୍ବରୁ ମୃତ ଶିଶୁଙ୍କ ସ୍ମୃତିକୁ ସାଙ୍ଗରେ ଆଣି ଇରାନ ଏହା ସ୍ପଷ୍ଟ କରିଦେଇଛି ଯେ ଶାନ୍ତି ଆଲୋଚନା ଏତେ ସହଜ ହେବନାହିଁ । ଇରାନର ଏହି ଆଭିମୁଖ୍ୟ ପ୍ରଶ୍ନ କରୁଛି— "ଯଦିଓ ଶାନ୍ତି ସ୍ଥାପନ ହୁଏ, ତେବେ କ’ଣ ସେହି ୧୬୫ ଶିଶୁଙ୍କ ହସ ଫେରିଆସିବ ?" ସାରା ବିଶ୍ୱର ନଜର ଏବେ ଶନିବାର ହେବାକୁ ଥିବା ଏହି ଶାନ୍ତି ବୈଠକ ଉପରେ ରହିଛି ।