ନୂଆଦିଲ୍ଲୀ,୩୧/୦୭: ଆମେରିକାର F-35 ଫାଇଟର ଜେଟ୍ ଦୁର୍ଘଟଣାଗ୍ରସ୍ତ। କାଲିଫର୍ନିଆର ଫ୍ରେସନୋ ନିକଟସ୍ଥ ଲେମୁର ନାଭାଲ ଏୟାରଷ୍ଟେସନ ନିକଟରେ ଏହି ଦୁର୍ଘଟଣା ହୋଇଛି। ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି ।
ସୂଚନା ମୁତାବକ, F-35C ନାମକ ଲଢ଼ୁଆ ବିମାନ ଉଡ଼ାଣ ସମୟରେ ହଠାତ୍ ବିମାନରରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଯାହା ଫଳରେ ପାଇଲଟଙ୍କୁ ହଠାତ୍ ବିମାନରୁ ବାହାରକୁ ବାହାରିବାକୁ ପଡିଥିଲା। ପାଇଲଟ୍ ସଠିକ୍ ସମୟ ମଧ୍ୟରେ ସିଟ୍ ଇଜେକ୍ଟ କରିଥିଲେ । ପରେ ପାରାସୁଟ୍ ସାହାଯ୍ୟରେ ସୁରକ୍ଷିତ ଭାବରେ ଅବତରଣ କରିଥିଲେ । ତାଙ୍କୁ ସାମାନ୍ୟ ଆଘାତ ଲାଗିଥିବା ବେଳେ ଡା଼କ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣା ଦିନବେଳେ ଘଟିଛି, ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ବିମାନଟି କ୍ରାସ୍ ପରେ ଜଳିଯାଇଛି। ତେବେ ଏହି ଘଟଣାକୁ ନେଇ ଆମେରିକା ନୌସେନା ତଦନ୍ତ ଆରମ୍ଭ କରିଛି । ବିଶେଷଜ୍ଞଙ୍କ ମତରେ, ଏହି ଦୁର୍ଘଟଣା F-35 ଲଢ଼ୁଆ ବିମାନର ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଛି। ଗତ କିଛି ବର୍ଷ ମଧ୍ୟରେ, ଏହି ବିମାନ ସହିତ ଜଡିତ ଅନେକ ଘଟଣା ସାମ୍ନାକୁ ଆସିଛି, ଯାହା ପୁଣି ଏହାର ରକ୍ଷଣାବେକ୍ଷଣ ଏବଂ ବୈଷୟିକ ବ୍ୟବସ୍ଥା ଉପରେ ଆଲୋଚନା ଆରମ୍ଭ କରିଛି।