ଢେଙ୍କାନାଳ,୧୦/୧୧: ପଞ୍ଚାୟତ  ଅର୍ଥ ହଡ଼ପ୍‌ ଅଭିଯୋଗରେ ଓଡ଼ାପଡ଼ା ବ୍ଲକ୍‌ କଳାଙ୍ଗ ପଞ୍ଚାୟତର ପୂର୍ବତନ  ନିର୍ବାହୀ ଅଧିକାରୀ (ପିଇଓ) ତଥା  ବେଣୁଧର ପଟ୍ଟନାୟକ(୫୧)ଙ୍କୁ ଆଜି  ସଦର ଥାନା ପୁଲିସ ଗିରଫ କରିଛି ।  ପଞ୍ଚାୟତର ପୋଖରୀ, ହାଟ ଆଦି  ବିଭିନ୍ନ ନିଲାମ ଅର୍ଥ ୧ ଲକ୍ଷ ୯୯ ହଜାର  ୯୯୭ ଟଙ୍କା ହଡ଼ପ୍‌ କରିଥିବା ନେଇ  ଓଡ଼ାପଡ଼ା ବିଡିଓ ଦିଲ୍ଲିପ କୁମାର ଷଡ଼ଙ୍ଗୀ  ସଦର ଥାନାରେ ଲିଖିତ ଅଭିଯୋଗ  କରିଥିଲେ । ବେଣୁଧରଙ୍କ ଘର ସଦର  ଥାନା ଗୁଣ୍ଡିଚାପଡ଼ା ବେଶାଳିଆ ଗାଁରେ ।  

ସୂଚନା ଅନୁସାରେ, ବେଣୁଧର କଳାଙ୍ଗ  ପଞ୍ଚାୟତରେ ନିର୍ବାହୀ ଅଧିକାରୀ ଥିବା  ବେଳେ ଗତ ଅଗଷ୍ଟ ୧୩ ତାରିଖରୁ  ୨୧ ତାରିଖ ମଧ୍ୟରେ ପଞ୍ଚାୟତରେ  ଥିବା କେତୋଟି ପୋଖରୀ, ହାଟ ଆଦି  ନିଲାମ କରାଯାଇଥିଲା । ସେ ବାବଦରେ  ୧ ଲକ୍ଷ ୯୯ ହଜାର ୯୯୭ ଟଙ୍କା ଆଦାୟ  ହୋଇଥିଲା । ଯାହା ପଞ୍ଚାୟତର ଆୟ  ହୋଇଥିବା ବେଳେ ତାହା ପଞ୍ଚାୟତ  ଆକାଉଣ୍ଟରେ ରହିବା କଥା । ମାତ୍ର  ପୂର୍ବତନ ପିଇଓ ତାହା ପଞ୍ଚାୟତ  ଆକାଉଣ୍ଟରେ ରଖିନାହାନ୍ତି । ଏପରିକି  ପଞ୍ଚାୟତର କ୍ୟାସ୍‌ ବୁକ୍‌ ଓ ରିସିଭିଡ୍‌  ବୁକ୍‌ ନଂ-୭ କୁ ନେଇଯାଇଛନ୍ତି । ଘଟଣା  ଜଣାପଡ଼ିବା ପରେ ବିଡିଓ ତାଙ୍କୁ ବ୍ଲକ୍‌  କାର୍ଯ୍ୟାଳୟକୁ ବଦଳି କରିଥିଲେ । ମାତ୍ର  ସେ ସେବେଠାରୁ ଅଢ଼େଇ ମାସ ହେଲା  ଛୁଟି ନନେଇ ଅନୌପଚାରିକ ଭାବେ  ଅନୁପସ୍ଥିତ ରହିଛନ୍ତି । ଟଙ୍କା ଦାଖଲ  ଓ କାର୍ଯ୍ୟରେ ଯୋଗଦେବାକୁ ବାରମ୍ବାର  ନୋଟିସ୍‌ ପଠାଯାଉଥିଲେ ହେଁ, ନୋଟିସ୍‌  ଗ୍ରହଣ କରୁନଥିଲେ । 

ଶେଷରେ ଗତ  ଅକ୍ଟୋବର ୨୨ ତାରିଖରେ କଳାଙ୍ଗ  ସରପଞ୍ଚ ବିଡିଓଙ୍କୁ ଏନେଇ ଲିଖିତ  ଭାବେ ଜଣାଇବା ପରେ ବିଡିଓ ଶ୍ରୀ  ଷଡ଼ଙ୍ଗୀ ଅକ୍ଟୋବର ୨୩ ତାରିଖରେ  ସଦର ଥାନାରେ ଅଭିଯୋଗ କରିଥିଲେ । ଶେଷରେ ସଦର ପୁଲିସ ତାଙ୍କୁ  ବେଶାଳିଆ ସ୍ଥିତ ଘରୁ ଗିରଫ କରିଛି ।  କେବଳ ଏହି ନିଲାମ୍‌ ଟଙ୍କା ନୁହେଁ,  ଆହୁରି ଅନେକ ଅର୍ଥ ହଡ଼ପ୍‌ ହୋଇଥିବା  ଅଭିଯୋଗ ହେଉଛି । କଳାଙ୍ଗରୁ ବଦଳି  ହୋଇଥିଲେ ହେଁ, ସେ ନୂତନ ପିଇଓଙ୍କୁ  ଦାୟିତ୍ୱ ହସ୍ତାନ୍ତର କରିନାହାନ୍ତି । ଏଥି  ପୂର୍ବରୁ ସେ ଗଦାଶିଳା, ଗୋବିନ୍ଦପ୍ରସାଦ  ପଞ୍ଚାୟତରେ କାର୍ଯ୍ୟ କରିଥିବା ବେଳେ  ସେଠାରେ ବି ଏପରି ହେରଫେର୍‌  ହୋଇଥିବା ଆଶଙ୍କାରେ ଯାଞ୍ଚ କରାଯାଉଛି  ବୋଲି ବିଡିଓ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ।