ବ୍ରହ୍ମପୁର,୦୪/୧୨: ପୀତବାସ ପଣ୍ଡା ହତ୍ୟା ଘଟଣାରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ବିଜେଡି ନେତା ମଦନ ଦଳେଇ, ସହଯୋଗୀ ଶୂନ୍ୟ ଚନ୍ଦ୍ର ଦାସ, ପୂର୍ବତନ ମେୟର ଶିବ ଶଙ୍କର ଦାଶ ଓ ସୁନୀଲ ହୋତାଙ୍କ ଜାମିନ ଆବେଦନ ଶୁଣାଣି ବୁଧବାର ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ କୋର୍ଟରେ ଧାର୍ଯ୍ୟ ହୋଇଥିଲା । ଏଥିପାଇଁ କୋର୍ଟ ସିଡି (କେସ୍ ଡାଏରୀ) ଦାଖଲ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ପୁଲିସ ସିଡି ଦାଖଲ କରିପାରିନି । ଫଳରେ ଏହାର ଶୁଣାଣି ଆସନ୍ତା ୯ ତାରିଖରେ କରିବାକୁ କୋର୍ଟ ଧାର୍ଯ୍ୟ କରିବା ସହ ସିଡି ଦାଖଲ କରିବାକୁ ପୁଲିସକୁ ପୁଣି ନିର୍ଦ୍ଦେଶ ଦେଇଥିବା ପବ୍ଲିକ୍ ପ୍ରସିକ୍ୟୁଟର ବିଶ୍ୱଜିତ ବରାଳ କହିଛନ୍ତି ।
ହତ୍ୟା ମାମଲାରେ ବିକ୍ରମ, ଶିବଶଙ୍କର, ମଦନ ଓ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ସମୟରେ ପୁଲିସ ସମ୍ବିଧାନର ଧାରା ୨୧ ଓ ୨୨କୁ ଉଲ୍ଲଂଘନ କରିଛି । ଏହି ଆଧାରରେ ଉପରୋକ୍ତ ୩ ଜଣଙ୍କୁ ଜାମିନ ଦେବାକୁ ସେମାନଙ୍କ ଓକିଲ କୋର୍ଟକୁ ଜଣାଇଥିଲେ । ବିକ୍ରମଙ୍କ ପାଇଁ ହାଇକୋର୍ଟ ବରିଷ୍ଠ ଆଇନଜୀବୀ ମାନସ ଚାନ୍ଦ, ଦୀପକ ପଟ୍ଟନାୟକଙ୍କ ସହ ବହୁ ଆଇନଜୀବୀ ଜାମିନ ଦେବାକୁ କୋର୍ଟକୁ ଅନୁରୋଧ କରିଥିଲେ । ସୁନିଲ ହୋତାଙ୍କ ଜାମିନ ଶୁଣାଣି ପାଇଁ ତାଙ୍କ ଓକିଲ ଚକ୍ରପାଣି ନାହାକ କୋର୍ଟକୁ ସମୟ ମାଗି ପରବର୍ତ୍ତୀ ସମୟରେ ଶୁଣାଣି ସକାଶେ ଅନୁରୋଧ କରିଛନ୍ତି ।
ପୁଲିସ ଅକ୍ଟୋବର ୧୫ରୁ ୨୨ ତାରିଖ ମଧ୍ୟରେ ବିଭିନ୍ନ ଲୋକଙ୍କୁ ବୈଦ୍ୟନାଥପୁର ଥାନା, ଆମ୍ବପୁଆ ରିଜର୍ଭ ଅଫିସ ଓ ଏସ୍ପି ଅଫିସକୁ ଡାକି ପଚରାଉଚରା କରିଥିଲା । ବେଆଇନ୍ ଭାବେ ପୁଲିସ କିଛି ଲୋକଙ୍କୁ ୨୪ ଘଣ୍ଟାରୁ ଅଧିକ ସମୟ ଅଟକ ରଖି ସେମାନଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ କରିଛି । ତେଣୁ ଉପରୋକ୍ତ ୩ଟି ଜାଗାର ୧୫ରୁ ୨୨ ତାରିଖ ମଧ୍ୟରେ ସିସିଟିଭି ଫୁଟେଜ୍ କୋର୍ଟରେ ପୁଲିସ ଦାଖଲ କରୁ ବୋଲି ଆଇନଜୀବୀ ଦୀପକ ପଟ୍ଟନାୟକ ବ୍ରହ୍ମପୁର ଏସ୍ଡିଜେଏମ୍ କୋର୍ଟରେ ପିଟିସନ୍ କରିଥିଲେ । ତାହା ଖାରଜ ହୋଇଥିବା ପିପି ବରାଳ କହିଛନ୍ତି । ଶିବ ଶଙ୍କରଙ୍କ ଗିରଫକୁ ବେଆଇନ ଦର୍ଶାଇ ତାଙ୍କ ଓକିଲ ଏସ୍ଡିଜେଏମ୍ କୋର୍ଟରେ ପିଟିସନ୍ କରିଛନ୍ତି । ତାହା ମଧ୍ୟ ଖାରଜ ହୋଇଥିବା ପିପି କହିଛନ୍ତି । ପୀତବାସ ପଣ୍ଡାଙ୍କୁ ଅକ୍ଟୋବର ୬ କୁମାର ପୂର୍ଣ୍ଣିମା ରାତି ୧୦ଟାରେ ବୈକୁଣ୍ଠନଗର ଛକରେ ଗୁଳି କରି ହତ୍ୟା କରାଯାଇଥିଲା । ଏହି ମାମଲାରେ ବିକ୍ରମ କୁମାର ପଣ୍ଡାଙ୍କ ସହ ୧୬ ଜଣଙ୍କୁ ପୁଲିସ ଗିରଫ କରିଛି ।