ନୂଆଦିଲ୍ଲୀ,୮।୫:  ଯେତେବେଳେ ବର୍ଷାର ପ୍ରଥମ ବୁନ୍ଦାଏ ପାଣି ସୁଖିଲା ମାଟିକୁ ଛୁଏଁ, ସେତେବେଳେ ପୃଥିବୀ ପୃଷ୍ଠରେ ଓଦା ମାଟିର ବାସ୍ନାରେ ଭରିଯାଏ। ଚାରିଆଡେ ଦେଖିବାକୁ ମିଳେ ଚିର ସବୁଜିମା। ହେଲେ ବର୍ଷା ପାଣିରେ କେବଳ ମାଟିର ବାସ୍ନା ନୁହେଁ ମାଟି ଭିତରେ ଶୋଇ ରହିଥିବା ବିହନ ବି ଅଙ୍କୁରିତ ହୋଇଥାଏ। ବୈଜ୍ଞାନିକଙ୍କ ନୂତନ ରିସର୍ଚ୍ଚ ଅନୁସାରେ, ବିହନ ବର୍ଷା ପାଣିର ଶବ୍ଦକୁ ଶୁଣି ପାରିଥାଏ। ଏହି ଶବ୍ଦ ସେମାନଙ୍କ ଜୀବନର ଆରମ୍ଭ ପାଇଁ ସଙ୍କେତ ପାଲଟିଯାଏ। ଆମେରିକାର ପ୍ରତିଷ୍ଠିତ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବା ଏମ୍‌ଆଇଟିର ବୈଜ୍ଞାନିକମାନେ ଏହି ଅଦ୍ଭୁତ ଆବିଷ୍କାର କରିଛନ୍ତି।

ଏମ୍‌ଆଇଟିର ବୈଜ୍ଞାନିକଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ବିଶେଷକରି ଧାନର ବିହନ ବର୍ଷାର ଶବ୍ଦ ଶୁଣିଲେ ୩୦ରୁ ୪୦% ଶୀଘ୍ର ଗଜା ହୁଏ। ଏହାର ଅର୍ଥ ହେଉଛି ବର୍ଷା ବିନ୍ଦୁର ଟପ୍ ଟପ୍ ଶବ୍ଦ ସେମାନଙ୍କୁ ସାଧାରଣଠାରୁ ଶୀଘ୍ର ଗଜା ହେବାରେ ସାହାଯ୍ୟ କରେ। ଏହି ଆବିଷ୍କାର ସେହି ଧାରଣା ଗୁଡିକୁ ବଦଳାଉଛି, ଯେଉଁଥିରେ ଆମେ ଉଦ୍ଭିଦଙ୍କୁ ନିଷ୍କ୍ରିୟ ଏବଂ ନିର୍ଜୀବ ବୋଲି ମାନୁଥାଉ। ବୈଜ୍ଞାନିକମାନେ ମତରେ ବିହନ କେବଳ ଆର୍ଦ୍ରତା ଏବଂ ପାଣି ପାଇଁ ଅପେକ୍ଷା କରେ ନାହିଁ, ବରଂ ସେମାନେ ତାଙ୍କ ଚାରିପାଖର ପରିବେଶକୁ ମଧ୍ୟ ଅନୁଭବ କରନ୍ତି ଏବଂ ସେହି ଅନୁସାରେ ନିଷ୍ପତ୍ତି ନିଅନ୍ତି ଯେ ଗଜା ହେବାର ସଠିକ୍ ସମୟ ଆସିଛି କି ନାହିଁ।

ଯେତେବେଳେ ବର୍ଷା ବିନ୍ଦୁ ମାଟି କିମ୍ବା ପାଣି ଉପରେ ପଡ଼େ, ସେମାନେ ଶବ୍ଦ ତରଙ୍ଗ ସୃଷ୍ଟି କରନ୍ତି। ଏହି ତରଙ୍ଗ ମାଟି ଏବଂ ପାଣି ଭିତରେ କମ୍ପନ ସୃଷ୍ଟି କରେ। ବିହନଗୁଡ଼ିକ ଏହି କମ୍ପନକୁ ଅନୁଭବ କରନ୍ତି। ବୈଜ୍ଞାନିକଙ୍କ ମତରେ, ବିହନରେ ଷ୍ଟାଟୋଲିଥ୍ ନାମକ କ୍ଷୁଦ୍ର କଣିକା ଥାଏ। ଏହି କଣିକାଗୁଡ଼ିକ ଷ୍ଟାର୍ଚରୁ ତିଆରି। ଯେତେବେଳେ ବର୍ଷାର ଶବ୍ଦ ଦ୍ୱାରା ସୃଷ୍ଟି ହେଉଥିବା କମ୍ପନ ଏହି ଷ୍ଟାଟୋଲିଥକୁ ହଲାଏ,ସେତେବେଳେ ବିହନ ଏକ ସଙ୍କେତ ପାଏ ଯେ ଏବେ ପର୍ଯ୍ୟାପ୍ତ ପାଣିମାଣରେ ପାଣି ଉପଲବ୍ଧ ରହିଛି।  ବୃଦ୍ଧି ପାଇଁ ପରିବେଶ ଅନୁକୂଳ। ଏହା ବିହନଗୁଡ଼ିକ ଦ୍ରୁତ ଗତିରେ ଗଜା ହୋଇଥାଏ।

ଏହାକୁ ପ୍ରମାଣିତ କରିବା ପାଇଁ, ଏମଆଇଟିର ଗବେଷକମାନେ ପ୍ରାୟ ୮୦୦୦ ଧାନ ବିହନ ଉପରେ ପରୀକ୍ଷଣ କରିଥିଲେ। କିଛି ବିହନକୁ ସାଧାରଣ, ଆର୍ଦ୍ର ପରିବେଶରେ ଦିଆଯାଇଥିଲା, ସେଭଳି ଆଉ କିଛି ବିହନ ଉପରେ ବର୍ଷା ଭଳି ଶବ୍ଦ ଓ ବୁନ୍ଦା ବୁନ୍ଦା ପାଣିର ପ୍ରଭାବ ପକାଯାଇଥିଲା। ଫଳାଫଳ ସ୍ପଷ୍ଟ ଥିଲା। ଯେଉଁ ବିହନକୁ ବର୍ଷାର ଶବ୍ଦ ଶୁଣାଯାଇଥିଲା ତାହା ୩୦-୪୦% ଦୃତ ଗତିରେ ଅଙ୍କୁରିତ ହେଉଥିଲେ। ପାଣିରେ ଧ୍ବନୀ ତରଙ୍ଗ ଅଧିକ ଭଲ ଭାବରେ ପ୍ରସାରିତ ହୁଏ, ତେଣୁ ପାଣି କିମ୍ବା ଓଦାଳିଆ ମାଟିରେ ଥିବା ବିହନ ଏହି ଶବ୍ଦକୁ ସହଜ ଭାବରେ ଅନୁଭବ କରିପାରେ।

ଏହି ଅଧ୍ୟୟନ ପ୍ରମାଣ କରେ ଯେ ଉଦ୍ଭିଦଗୁଡ଼ିକ ଆମେ ଭାବିଥିବା ଅପେକ୍ଷା ବହୁତ ଅଧିକ ବୁଦ୍ଧିମାନ ଏବଂ ସମ୍ବେଦନଶୀଳ। ସେମାନେ କେବଳ ଆଲୋକ, ପାଣି ଏବଂ ମାଟି ଉପରେ ନିର୍ଭର କରନ୍ତି ନାହିଁ, ବରଂ ଶବ୍ଦ ଏବଂ କମ୍ପନ ଉପରେ ମଧ୍ୟ ନିର୍ଭର କରନ୍ତି। ପୂର୍ବ ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ କୀଟପତଙ୍ଗ ଚୋବାଇବାର ଶବ୍ଦ ଶୁଣି ଗଛଗୁଡ଼ିକ ପତ୍ରରେ ତିକ୍ତ ରାସାୟନିକ ପଦାର୍ଥ ଉତ୍ପାଦନ କରନ୍ତି। କିଛି ଗଛ ଛୁଇଁଲେ ବନ୍ଦ ହୋଇଯାଏ, ଯେତେବେଳେ ଅନ୍ୟ କିଛି ଗନ୍ଧରେ ହେଲେ ପ୍ରତିକ୍ରିୟା ସୃଷ୍ଟି କରେ।ଏବେ ବର୍ଷା  ଶବ୍ଦ ଶୁଣିବାର କ୍ଷମତା ମଧ୍ୟ ଏହି ତାଲିକାରେ ଯୋଡି ହୋଇଛି। ଏହି ଆବିଷ୍କାର କୃଷି ବିଜ୍ଞାନ ପାଇଁ ମଧ୍ୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ଯଦି ସଠିକ୍ ଶବ୍ଦ କିମ୍ବା କମ୍ପନ ପ୍ରୟୋଗ କରି ବିହନଗୁଡ଼ିକ ଶୀଘ୍ର ଅଙ୍କୁରିତ ହୋଇପାରିବ, ତେବେ ଫସଲ ଶୀଘ୍ର ପ୍ରସ୍ତୁତ ହୋଇପାରିବ ଏବଂ ଚାଷୀମାନେ ଲାଭବାନ ହେବେ। ବର୍ଷାର ଟପ୍ ଟପ୍ ଶବ୍ଦ କେବଳ ମନୋରଞ୍ଜନ କରେ ନାହିଁ, ବରଂ ମାଟି ତଳେ ଲୁଚି ରହିଥିବା ବୀଜ ପାଇଁ ଜୀବନର ବାର୍ତ୍ତା ମଧ୍ୟ ବହନ କରେ। ଏହି ଆବିଷ୍କାର ଆମକୁ ପୁଣି ଥରେ ମନେ ପକାଇ ଦିଏ ଯେ ପ୍ରକୃତିର ପ୍ରତ୍ୟେକ ଛୋଟ ଜିନିଷର ଏକ ଉଦ୍ଦେଶ୍ୟ ରହିଛି। ଉଦ୍ଭିଦଗୁଡ଼ିକ ଚୁପ୍ ହୋଇ ଠିଆ ହୁଅନ୍ତି ନାହିଁ, ସେମାନେ ସେମାନଙ୍କ ଚାରିପାଖର ଦୁନିଆକୁ ଶୁଣନ୍ତି, ବୁଝନ୍ତି ଏବଂ ପ୍ରତିକ୍ରିୟା ଦିଅନ୍ତି।