ନୂଆଦିଲ୍ଲା,୧୮/୦୭: ଅବସର ନେବେ ରୋହତ ଶର୍ମା ! ଲର୍ଡ୍ସ ଦିନିକିଆ ହେବ ଶେଷ ମ୍ୟାଚ୍ । ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆରେ ଭାରତର ପରାଜୟଠାରୁ ରୋହିତଙ୍କୁ ନେଇ ଏ ଖବର ଅଧିକ ଚର୍ଚ୍ଚାରେ ରହିଛି । ସୋସିଆଲ ମିଡିଆ ଖୋଲିଦେଲେ କେବଳ ଏହି ଗୋଟିଏ ଖବର । ବିଭିନ୍ନ ଜାତୀୟ ଗଣାମାଧ୍ୟମରେ ବି ରୋହିତଙ୍କ ସନ୍ନ୍ୟାସକୁ ନେଇ ଚହଳ ପଡ଼ିଛି । ଲର୍ଡ୍ସରେ ଶେଷ ଦିନିକିଆ ମ୍ୟାଚ୍ ଖେଳିବେ ରୋହିତ ଶର୍ମା । ୨୦୨୭ ବିଶ୍ୱକପ ଖେଳିବେନି ହିଟ୍ମ୍ୟାନ୍ । ରୋହିତଙ୍କ ଅବସରକୁ ନେଇ ଚର୍ଚ୍ଚା ଉପରେ ମୁହଁ ଖୋଲୁଛି ବିସିସିଆଇ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ ସଚିବ ଦେବଜିତ୍ ସାଇକିଆ ବଡ଼ କଥା କହିଛନ୍ତି । ସେ ଶୁକ୍ରବାର ବିଳମ୍ବିତ ରାତିରେ ଗଣମାଧ୍ୟମକୁ ସୂଚନା ଦେଇ ରୋହିତଙ୍କ ଅବସର ଚର୍ଚ୍ଚାକୁ ଗୁଜବ ବୋଲି କହିଛନ୍ତି । ଲର୍ଡ୍ସରେ ରୋହିତ ଶେଷ ମ୍ୟାଚ୍ ଖେଳିବେ ନାହିଁ ବୋଲି କହିଛନ୍ତି ଦେବଜିତ୍ ସାଇକିଆ ।

ରୋହିତଙ୍କୁ ନେଇ ବିସିସିଆଇର ବଡ଼ ବୟାନ- ବିସିସିଆଇ ସଚିବ ଦେବଜିତ୍ ସାଇକିଆ ରୋହିତ ଶର୍ମାଙ୍କ ଅବସର ନେଇ ଚାଲିଥିବା ସମସ୍ତ ଗୁଜବର ଅନ୍ତ ଘଟାଇଛନ୍ତି । ଏହି ପ୍ରସଙ୍ଗରେ ନୀରବତା ଭାଙ୍ଗି ସେ ହିଟମ୍ୟାନଙ୍କ ପ୍ରଶଂସକଙ୍କୁ କିଛିଟା ଆଶ୍ୱସ୍ତି ଦେଇଛନ୍ତି । ସାଇକିଆ ସ୍ପଷ୍ଟ କରିଛନ୍ତି ଯେ, ଜୁଲାଇ ୧୯ରେ ଲର୍ଡ୍ସରେ ଭାରତ ବନାମ ଇଂଲଣ୍ଡ ତୃତୀୟ ଦିନିକିଆ ରୋହିତ ଶର୍ମାଙ୍କ କ୍ୟାରିୟରର ଶେଷ ମ୍ୟାଚ୍ ହେବନାହିଁ । ତାଙ୍କର ଏହି ବୟାନ ରୋହିତଙ୍କ ଫ୍ୟାନ୍ସଙ୍କୁ ଆଶ୍ୱସ୍ତି କରିଛି । ଦ୍ୱିତୀୟ ଦିନିକିଆ ପରେ ଚର୍ଚ୍ଚା ଜୋର ଧରିଥିଲା କି, ଲର୍ଡ୍ସ ଦିନିକିଆ ରୋହିତଙ୍କ କ୍ୟାରିୟରର ଶେଷ ମ୍ୟାଚ୍ ହୋଇପାରେ । ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗକର ଏ ବିଷୟେ ରୋହିତ ଶର୍ମାଙ୍କ ସହ କଥା ହୋଇଛନ୍ତି ଏବଂ ତାଙ୍କୁ କହିଦିଆଯାଇଛି ଯେ ସେ ୨୦୨୭ ଦିନିକିଆ ବିଶ୍ୱକପ ଯୋଜନାରୁ ବାଦ୍ ପଡିବେ । କିନ୍ତୁ ଏହାକୁ ଗୁଜବ ବୋଲି କହିଛନ୍ତି ବିସିସିଆଇ ସଚିବ ଦେବଜିତ୍ ସାଇକିଆ । ସେ କହିଛନ୍ତି, ରୋହିତ ଭାରତୀୟ କ୍ରିକେଟ୍ ଦଳର ଜଣେ ନିୟମିତ ସଦସ୍ୟ ଏବଂ ଯେପର୍ଯ୍ୟନ୍ତ ଦଳର ଯୋଜନାର ଅଂଶ ଅଛନ୍ତି ସେପର୍ଯ୍ୟନ୍ତ ଦେଶ ପାଇଁ ଖେଳିବେ । ଲର୍ଡ୍ସ ଦିନିକିଆ ତାଙ୍କର ଶେଷ ମ୍ୟାଚ୍ ନୁହେଁ । ରୋହିତଙ୍କ ଭବିଷ୍ୟତ ବିଷୟରେ ପ୍ରସାରିତ ରିପୋର୍ଟ ସମ୍ପୂର୍ଣ୍ଣ ମିଥ୍ୟା । ରୋହିତ ଶର୍ମା ଅବସର ନେବେ ନାହିଁ ।'' କିନ୍ତୁ ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବରକୁ ବିଶ୍ୱାସ କଲେ ରୋହିତ ହାର ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ସେ ଅବସର ନେବାକୁ ପ୍ରସ୍ତୁତ ନାହାନ୍ତି । ସେ ୨୦୨୭ ବିଶ୍ୱକପ୍ ଖେଳିବାକୁ ଚାହାଁନ୍ତି । ରୋହିତଙ୍କ ଭବିଷ୍ୟତକୁ ବହୁ କଳ୍ପନାଜଳ୍ପନା ଭିତରେ ଦେବଜିତ୍ ସାଇକିଆଙ୍କର ଏହି ବୟାନ ଆସିଛି ।

ଏବେ ବି ଟଳିନି ବିପଦ- ରୋହିତ ଶର୍ମାଙ୍କ ଫର୍ମ ବର୍ତ୍ତମାନ ଚିନ୍ତାର କାରଣ । ୨୦୨୭ ବିଶ୍ୱକପ ପାଇଁ ଆହୁରି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ରହିଛି । ଯଦି ହିଟମ୍ୟାନ ତାଙ୍କ ଫର୍ମା ଏବଂ ଖେଳିବା ଶୈଳୀରେ ଉନ୍ନତି ନ ଆଣନ୍ତି, ତେବେ ତାଙ୍କୁ ଦଳରୁ ବାହାର କରାଯାଇପାରେ । ଗତ ୮ଟି ମ୍ୟାଚରେ ରୋହିତ ୩୩ ହାରରେ ଏବଂ ୮୬.୬ ଷ୍ଟ୍ରାଇକ୍ ରେଟରେ ମାତ୍ର ୨୪୧ ରନ୍ କରିଛନ୍ତି । ଯେଉଁଥିରେ ତାଙ୍କ ବ୍ୟାଟରୁ କେବଳ ଗୋଟିଏ ଅର୍ଦ୍ଧଶତକ ଆସିଛି ।

ଏହା ବି ପଢନ୍ତୁ...ଅଧାରେ ରହିବ କି ୨୦୨୭ ବିଶ୍ବକପ ସ୍ବପ୍ନ, ଜାଣନ୍ତୁ ରୋହିତଙ୍କ କ୍ୟାରିୟରରେ ଶତ୍ରୁ କିଏ ?

ରୋହିତଙ୍କୁ ତାଙ୍କ ହିଟମ୍ୟାନ୍ ଅବତାର ଦେଖାଇବାକୁ ପଡ଼ିବ- ରୋହିତ ଏବେ ବି ରନ୍ କରିବେ କିନ୍ତୁ, ତାଙ୍କ ଷ୍ଟ୍ରାଇକ୍ ରେଟ୍ ବର୍ତ୍ତମାନ ସବୁଠାରୁ ବଡ଼ ସମସ୍ୟା ହୋଇ ରହିଛି । ରୋହିତଙ୍କୁ ତାଙ୍କ ଖେଳରେ ପରିବର୍ତ୍ତନ ଆଣିବାକୁ ପଡିବ । ହିଟମ୍ୟାନ୍ ଅବତାର ଦେଖାଇବାକୁ ପଡିବ । ସେ ଦଳକୁ ଏମିତି ଆକ୍ରମଣାତ୍ମକ ଆରମ୍ଭ ଦେଉଥିଲେ ଯାହା ତାଙ୍କୁ ହିଟମ୍ୟାଚ୍ ଟ୍ୟାଗ୍ ଦେଇଥିଲା । ୨୦୨୩ ବିଶ୍ୱକପରେ ମଧ୍ୟ ସେ ଏହି ଶୈଳୀରେ ବ୍ୟାଟିଂ କରିଥିଲେ । କିନ୍ତୁ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ତାଙ୍କୁ ଅଧିନାୟକ ପଦରୁ କାଢି ଦିଆଗଲା । ଏହା ପରେ ସେ ନିଜର ସ୍ଥାନ ସୁରକ୍ଷିତ ପାଇଁ ବିପଦପୂର୍ଣ୍ଣ ସଟ୍ ଖେଳିବା ବନ୍ଦ କରିଦେଲେ । ଆଟାକିଂ ଖେଳ ବଦଳରେ ସେ ପ୍ରତିରକ୍ଷାମୂଳକ ଗେମ୍ ଗ୍ରହଣ କରିବା ଆରମ୍ଭ କଲେ । ୱିକେଟ୍ ବଞ୍ଚାଇବା ପ୍ରୟାସରେ, ତାଙ୍କର ରନ୍ ହାର ହ୍ରାସ୍ ପାଇଲା, ଯାହା ସିଧାସଳଖ ତାଙ୍କ ଷ୍ଟ୍ରାଇକ୍ ରେଟ୍ ଉପରେ ପ୍ରଭାବ ପକାଇଲା । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେ ରୋହିତ ୪୭ ବଲରେ ୨୬ ରନ୍ କରିଥିଲେ । ଯେଉଁଥିରେ ଗୋଟିଏ ଚୌକା ଏବଂ ଗୋଟିଏ ଛକା ମାରିଥିଲେ ।

ଏହା ବି ପଢନ୍ତୁ...ରୋହିତ ଶର୍ମାଙ୍କୁ ଶିକ୍ଷା ଦେବା ପାଇଁ ଯଶସ୍ୱୀ ଜୟସୱାଲଙ୍କୁ ଟିମ୍ ଇଣ୍ଡିଆରୁ ବାହାର କରାଯାଇଛି କି?    

ଯଦି ରୋହିତ ୨୦୨୭ ବିଶ୍ୱକପ୍ ଖେଳିବାକୁ ଚାହାନ୍ତି, ତେବେ ତାଙ୍କୁ ପୁଣି ଥରେ ଖେଳ ଧାରା ପରିବର୍ତ୍ତନ କରିବାକୁ ପଡିବ । ତାଙ୍କୁ ସେହି ଆକ୍ରମଣାତ୍ମକ କ୍ରିକେଟ୍ ଖେଳିବାକୁ ପଡିବ ଯାହା ପାଇଁ ସେ ଜଣାଶୁଣା । ରୋହିତ ଶର୍ମାଙ୍କୁ ପୁଣି ଥରେ ତାଙ୍କର ହିଟମ୍ୟାନ୍ ଅବତାର ପ୍ରଦର୍ଶନ କରିବାକୁ ପଡ଼ିବ । ଜୁଲାଇ ୧୯ ତାରିଖ ଶେଷ ଦିନିକିଆ ପରେ ରୋହିତଙ୍କୁ ଲମ୍ବା ବିରତି ମିଳିବ । ଭାରତର ପରବର୍ତ୍ତୀ ଦିନିକିଆ ସିରିଜ୍ ସେପ୍ଟମ୍ବରରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଅନୁଷ୍ଠିତ ହେବ । ଏହା ତାଙ୍କୁ ୨୦୨୭ ବିଶ୍ୱକପ ପାଇଁ ତାଙ୍କ ବ୍ୟାଟିଂ ଏବଂ ଯୋଜନାକୁ ସଜାଡ଼ିବା ପ୍ରଚୁତ ସମୟ ଦେବ । ୨୦୨୭ ବିଶ୍ୱକପ ପାଇଁ ଭାରତର ପ୍ରାୟ ୨୦ରୁ ୨୨ଟି ଦିନିକିଆ ମ୍ୟାଚ୍ ବାକି ଅଛନ୍ତି । ତେଣୁ ରୋହିତ ଶର୍ମାଙ୍କୁ ଦଳରେ ନିଜର ସ୍ଥାନ ସୁରକ୍ଷିତ କରିବା ପାଇଁ ପ୍ରଦର୍ଶନ କରିବାକୁ ପଡିବ ।