ଭୁବନେଶ୍ୱର,୧୮/୦୮: ଯୁକ୍ତ ତିନି ପ୍ରଥମ ନାମଲେଖା ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟର ସମସ୍ତ ରାଉଣ୍ଡ ନାମଲେଖା ମାସେ ହେଲାଣି ଶେଷ ହୋଇଯାଇଛି । ଏପରିକି ଯୁକ୍ତ ତିନି ପ୍ରଥମ ବର୍ଷର ପାଠପଢ଼ା ମଧ୍ୟ ଜୁଲାଇ ୧୦ରୁ ମଧ୍ୟ ଆରମ୍ଭ ହେଲାଣି । କେବଳ ଏତିକି ନୁହେଁ ମାସେ ତଳୁ ଯୁକ୍ତ ଦୁଇ ଇନ୍ଷ୍ଟାଣ୍ଟ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି । ଏବେ ବି ୯୮ ହଜାରରୁ ଅଧିକ ସିଟ୍ ଖାଲି ପଡ଼ିଛି । ହେଲେ ଏଯାବତ୍ ଯୁକ୍ତ ତିନି ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ବିଜ୍ଞପ୍ତି ପ୍ରକାଶ ପାଇନି । ଖୁବ୍ଶୀଘ୍ର ଏହି ପ୍ରକ୍ରିୟା ଆରମ୍ଭ କରିବାକୁ ଇନ୍ଷ୍ଟାଣ୍ଟ ପରୀକ୍ଷାରେ ପାସ୍ ହୋଇଥିବା ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି । ଏପରିକି କିଛି ବ୍ୟକ୍ତି ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ଦାବି କରିଛନ୍ତି ।
ସୂଚନାଯୋଗ୍ୟ, ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଏପ୍ରିଲ୍ ୧୬ ତାରିଖରୁ ଆରମ୍ଭ ହୋଇଥିଲା । ଆବେଦନ ଜୁନ୍ ୪ ତାରିଖ ଯାଏ ଚାଲିଥିଲା । ଜୁନ୍ ୧୨ରେ ପ୍ରଥମ ରାଉଣ୍ଡ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ହୋଇ ଜୁଲାଇ ୧୫ ତାରିଖ ସୁଦ୍ଧା ଏହି ପ୍ରଥମ ପର୍ଯ୍ୟାୟ ନାମଲେଖାର ସମସ୍ତ ରାଉଣ୍ଡ ନାମଲେଖା ଶେଷ ହୋଇଛି । ଏପରିକି ଜୁଲାଇ ୧୦ ତାରିଖରୁ ନାମଲେଖାଇଥିବା ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟ ପ୍ରଥମ ରାଉଣ୍ଡ ନାମଲେଖା ମେଧା ତାଲିକା ପ୍ରକାଶ ସମୟରେ କୁହାଯାଇଥିଲା, ଯୁକ୍ତ ଦୁଇ ସପ୍ଲିମେଣ୍ଟାରୀ କିମ୍ବା ଇନ୍ଷ୍ଟାଣ୍ଟ ପରୀକ୍ଷାର ରେଜଲ୍ଟ ପ୍ରକାଶ ହେବା ମାତ୍ରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ପ୍ରକାଶ ହେବ ।
ସିଏଚ୍ଏସ୍ଇ ପରିଚାଳିତ ଯୁକ୍ତ ଦୁଇ ଇନ୍ଷ୍ଟାଣ୍ଟ ପରୀକ୍ଷା ଫଳ ଗତ ମାସ ୧୮ ତାରିଖରୁ ପ୍ରକାଶ ପାଇସାରିଛି । ଏଥିରେ ୯୧୩ଜଣ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ପିଲାଙ୍କ ଅଭିଯୋଗ କ୍ଲାସ୍ ଆରମ୍ଭ ମାସେ ହେଲାଣି ହୋଇଗଲାଣି । ଏପଟେ ଯଦି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟାରେ ବିଳମ୍ବ ହୁଏ ତେବେ ପାଠ ବହୁତ ଆଗକୁ ଯାଇଥିବ । ବୁଝିବାର ଅସୁବିଧା ହେବ । କେବଳ ଏତିକି ନୁହେଁ ଯୁକ୍ତ ତିନିରେ ନାମଲେଖା ପାଇଁ ଥିବା ୨ ଲକ୍ଷ ୭୬ ହଜାର ୮୧୩ ସିଟ୍ରୁ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୭୮ ହଜାର ୬୦୮ ଜଣ ନାମଲେଖାଇଛନ୍ତି । ଆହୁରି ୯୮ ହଜାର ୨୦୫ସିଟ୍ ଖାଲି ପଡ଼ିଛି ।