ଭୁବନେଶ୍ୱର, ୨୧/୦୫ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ଫଳ ଆସନ୍ତାକାଲି ପ୍ରକାଶ ପାଇବ । ଏକା ସାଙ୍ଗରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାର ଫଳ ପ୍ରକାଶ ପାଇବ । ବୁଧବାର ଅପରାହ୍ନ ୪ଟାରେ ଭୁବନେଶ୍ୱର ସ୍ଥିତ ସିଏଚ୍ଏସ୍ଇ କାର୍ଯ୍ୟାଳୟରେ ଫଳ ଘୋଷଣା କରାଯିବ । ଏହାର ୧ ଘଣ୍ଟା ପରେ ପରୀକ୍ଷାର୍ଥୀମାନେ www.result. odisha.gov.in, www.result. digilocker.gov.in ୱେବ୍ସାଇଟ୍ରେ ପରୀକ୍ଷା ଫଳ ଦେଖିପାରିବେ । ୩ ଲକ୍ଷ ୯୩ ହଜାର ୬୧୬ ଜଣ ପିଲାଙ୍କ ପରୀକ୍ଷା ଫଳ ପ୍ରକାଶ କରାଯିବ । ଏନେଇ ସିଏଚ୍ଏସ୍ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟକ୍ଷା ପରୀକ୍ଷା ଫଳ ଘୋଷଣାର ଏକ ଘଣ୍ଟା ପରେ ସାମ୍ସ ଇସ୍ପେସ୍ରୁ ସେମାନଙ୍କର ସ୍କୁଲର ଟାବୁଲେସନ ରେଜିଷ୍ଟର ପାଇ ପାରିବେ । ଯାହାକି ପିଲାମାନଙ୍କ ୨୦୨୫ ମସିହା ତତ୍କାଳ ପରୀକ୍ଷାର ଫର୍ମ ପୂରଣ ପାଇଁ ସହାୟକ ହେବ । ସୂଚନାଯୋଗ୍ୟ, ଯୁକ୍ତ ଦୁଇ ପରୀକ୍ଷା ଗତ ଫେବ୍ରୁଆରୀ ୧୮ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୮ରେ ଶେଷ ହୋଇଥିଲା । ମେ ୧ ତାରିଖ ସୁଦ୍ଧା ଖାତା ଦେଖା ଶେଷ ହୋଇଛି ।