ମୁମ୍ବାଇ,୦୮/୧୧: ସିନ୍ଧେ ସରକାରରେ ମହାରାଷ୍ଟ୍ରର ଗୌରବ ଫେରିଛି । କିଛି ଲୋକଙ୍କ ରାଜନୀତିର ଆଧାର ହେଉଛି ଲୁଟିବା । ମହାଅଗାଡି ଗାଡିରେ ଚକ କି ବ୍ରେକ୍ କିଛି ନାହିଁ, ହେଲେ ଡ୍ରାଇଭର ସିଟ୍ ପାଇଁ ଝଗଡା ଲାଗିଛନ୍ତି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନେଇ ଧୁଲେରୁରେ ଏକ ଜନସଭାକୁ ସମ୍ବୋଧନ କରିବା ବେଳେ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ''ଭାଜପାକୁ ତୁମ ସମସ୍ତଙ୍କ ଆର୍ଶୀବାଦ ଦରକାର। ମହାରାଷ୍ଟ୍ରବାସୀଙ୍କୁ ମୁଁ ଯାହା ମାଗିଛି ସେ ହୃଦୟରୁ ଦେଇଛନ୍ତି । ମହାରାଷ୍ଟ୍ର ଏନଡିଏ ଉପରେ ବିଶ୍ବାସ କରେ । ଗତ ୨ ବର୍ଷରେ ମହାରାଷ୍ଟ୍ରକୁ ଯେଉଁ ବିକାଶ ହୋଇଛି ସେ ଗାଡି ଅଟକିବ ନାହିଁ । ଆଗାମୀ ୫ ବର୍ଷରେ ମହାରାଷ୍ଟ୍ର ପ୍ରଗତି ନୂଆ ଶିଖର ଛୁଇଁବ । ମହାଅଗାଡି ଗାଡିରେ ଚକ କି ବ୍ରେକ କିଛି ନାହିଁ, ହେଲେ ଡ୍ରାଇଭର ସିଟ୍ ପାଇଁ ଝଗଡା ଲାଗିଛନ୍ତି । ଜନତାଙ୍କ ସେବା ପାଇଁ ଭାଜପା ରାଜନୀତି କରେ । ବିକଶିତ ମହାରାଷ୍ଟ୍ର ଓ ବିକଶିତ ଭାରତ ପାଇଁ ମା ଓ ଭଉଣୀଙ୍କ ଜୀବନ ସହଜ କରିବା ଓ ସେମାନଙ୍କୁ ସଶକ୍ତ କରିବା ଜରୁରୀ । ମହାରାଷ୍ଟ୍ରର ମହାୟୁତି ସରକାର ଆମ ଭିଜନକୁ ଆଗକୁ ନେଉଛି । 

ସେ ଆହୁରି କହିଛନ୍ତି, କଂଗ୍ରେସ ଜାମ୍ମୁକାଶ୍ମୀରରେ ସରକାର ଗଠନ କରିବା ମାତ୍ରେ ହିଁ କାଶ୍ମୀର ବିରୋଧରେ ଷଡଯନ୍ତ୍ର ଆରମ୍ଭ କରିଛି । କଂଗ୍ରେସ ମେଣ୍ଟ ସେଠାରେ ଧାରା ୩୭୦ ଲାଗୁ ନେଇ ଏକ ପ୍ରସ୍ତାବ ପାରିତ କରିଛି । ବିଜେପି ବିଧାୟକ ବିରୋଧ କରିବାରୁ ତାଙ୍କୁ ଗୃହରୁ ବାହାର କରିଦିଆଗଲା । ଦୁନିଆର କୌଣସି ଶକ୍ତି ନାହିଁ ଦେଶରେ ଧାରା ୩୭୦ ଲାଗୁ କରିବ। ଆଦିବାସୀଙ୍କ ଜାତି ପରସ୍ପର ଲଢନ୍ତୁ ଏହା କଂଗ୍ରେସର ଏଜେଣ୍ଡା । ମହାରାଷ୍ଟ୍ରରେ ମାଝୀ ଲଡକୀ ବେହନ ଯୋଜନାକୁ ଅଟକାଇବାକୁ ବିରୋଧୀ ଉଦ୍ୟମ କରିଥିଲା ।  ''

ଚଳିତ ମାସ ୨୦ ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହେବ । ୨୮୮ ଆସନରେ ମତଦାନ କରିବେ ଭୋଟର । ନଭେମ୍ବର ୨୩ ତାରିଖରେ ଭୋଟ ଗଣତି ହେବ । ନିର୍ବାଚନ ନେଇ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଜୋରଦାର କରିଛନ୍ତି ।