ନୂଆଦିଲ୍ଲୀ, ୧୪/୦୨ : ମହିଳାଙ୍କୁ ଫ୍ରି ସ୍କୁଟି ବାଣ୍ଟୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯେଉଁମାନଙ୍କର ଦରମା ୫୦ ହଜାରରୁ ତଳେ ସେମାନଙ୍କୁ ମାଗଣାରେ ଗାଡି ଦେବେ ସରକାର। ଏକଥା ଆମେ କହୁନୁ, ଏକ ଭାଷଣରେ ଏକଥା ଖୋଦ୍ କହିଛନ୍ତି ପ୍ରଧାନମନ୍ତ୍ରୀ। ଯାହାର ଭିଡିଓ ଏବେ ଭାଇରାଲ୍ ହେବାକୁ ଲାଗିଛି। ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି। ତେବେ କ'ଣ ରହିଛି ଏହା ପଛର ସତ୍ୟତା ? କଣ ସତରେ ମାଗଣାରେ ଗାଡି ବାଣ୍ଟୁଛନ୍ତି ସରକାର ? ଆପଣ ବି ଏଭଳି ପୋଷ୍ଟ ଉପରେ ବିଶ୍ଵାସ କରି ସର୍ଚ୍ଚ କରୁଛନ୍ତି କି ? ତାହେଲେ ସାବଧାନ୍ ! ନହେଲେ ସରକାରଙ୍କ ନାଁରେ ଚୂନା ଲଗାଇଦେବେ ସାଇବର୍ ଠକ।
ପ୍ରଧାନମନ୍ତ୍ରୀ ମହିଳାଙ୍କୁ ମାଗଣାରେ ସ୍କୁଟି ବାଣ୍ଟୁଛନ୍ତି। ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ‘rounakkumartalks’ ରୁ ଏଭଳି ଏକ ପୋଷ୍ଟ ସେୟାର କରାଯାଇଛି। ଯାହାକୁ ନେଇ ଏବେ ପିଆଇବି ଫ୍ୟାକ୍ଟ ଚେକ୍ ଏକ୍ସରେ ଏନେଇ ପୋଷ୍ଟ କରିଛି। ଏଭଳି ଗୁଜବ ଉପରେ ବିଶ୍ଵାସ କରିବାକୁ ମନା କରିଛି। ଏହା ସହ ସରକାରୀ ଯୋଜନା ସମ୍ପର୍କିତ କୌଣସି ବିଜ୍ଞପ୍ତି myscheme.gov.in ୱେବସାଇଟ୍ ରେ ଦେଖିବା ପାଇଁ କହିଛି। ତେବେ ଏହି ଭିଡିଓଟି ସତ୍ୟ ନୁହେଁ ଏଆଇରେ ଏହି ଭିଡିଓକୁ ତିଆରି କରାଯାଇଛି। କେନ୍ଦ୍ର ସରକାର ଏଭଳି କୌଣସି ଯୋଜନା ଏବେ ଆରମ୍ଭ କରିନାହାଁନ୍ତି।
myScheme.com କ’ଣ?
ଭାରତ ସରକାରଙ୍କ ଡିଜିଟାଲ ପ୍ଲାଟଫର୍ମ, myScheme, ଲୋକମାନଙ୍କୁ ସରକାରୀ ଯୋଜନା ଖୋଜିବାରେ ସାହାଯ୍ୟ କରେ। ଏହା ମାଧ୍ୟମରେ ଲୋକମାନେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଯୋଜନା ବିଷୟରେ ଜାଣିପାରିବେ। ଏହା ବୟସ, ଲିଙ୍ଗ, ଆୟ, ବୃତ୍ତି, ସାମାଜିକ ବର୍ଗ, ରାଜ୍ୟ ଇତ୍ୟାଦି ବ୍ୟକ୍ତିଗତ ସୂଚନା ଉପରେ ଆଧାରିତ ସରକାରୀ ଯୋଜନାଗୁଡ଼ିକୁ ତାଲିକାଭୁକ୍ତ କରେ। ତେଣୁ ଆପଣଙ୍କୁ ବିଭିନ୍ନ ୱେବସାଇଟରେ ସୂଚନା ଖୋଜିବାର ଆବଶ୍ୟକତା ନାହିଁ। ଏହି ପୋର୍ଟାଲ୍ ମାଧ୍ୟମରେ, ଆପଣ ଯୋଗ୍ୟତା, ବର୍ଗ ଏବଂ ବୟସ ଆଧାରରେ ସରକାରୀ ଯୋଜନାଗୁଡ଼ିକ ପାଇପାରିବେ।
ଏହି ଖବରଟିକୁ ପଢନ୍ତୁ- ଇଞ୍ଜିନିୟରଙ୍କୁ ଏଆଇର ବ୍ଲାକ୍ମେଲ୍, ହତ୍ୟା ଉଦ୍ୟମ
MyScheme ପୋର୍ଟାଲ୍ କିପରି ବ୍ୟବହାର କରିବେ:
-ପ୍ରଥମେ, ଆପଣଙ୍କ ଡିଭାଇସରେ MyScheme ପୋର୍ଟାଲ୍ ଖୋଲନ୍ତୁ।
-Find Schemes for you ଉପରେ କ୍ଲିକ୍ କରନ୍ତୁ।
-ଏକ ନୂତନ ପୃଷ୍ଠା ଖୋଲିବ। ଏଥିରେ ଆବଶ୍ୟକୀୟ ବିବରଣୀ - ବୟସ, ରାଜ୍ୟ, ଆୟ, ଇତ୍ୟାଦି ଲେଖନ୍ତୁ।
- ଆପଣ ପ୍ରଦାନ କରିଥିବା ବିବରଣୀ ଉପରେ ଆଧାର କରି ସରକାରୀ ଯୋଜନାଗୁଡ଼ିକ ସ୍କ୍ରିନରେ ଦେଖାଯିବ।