ନୂଆଦିଲ୍ଲୀ ୧୪/୦୨: ଏଆଇର ବିପଦ ବିଷୟରେ ବାରମ୍ବାର ଚର୍ଚ୍ଚା ହେଉଛି । ଏକ ସଦ୍ୟ ମାମଲା ପୁଣି ଥରେ ଏଆଇର ଭୟଙ୍କର ରୂପକୁ ସାମ୍ନାକୁ ଆଣିଛି । ମାମଲା କ୍ଲାଉଡ୍ ୪.୬କୁ ନେଇ, ଯାହା ଆନ୍ଥ୍ରୋପିକ୍ କମ୍ପାନିର ସଦ୍ୟତମ ଏଆଇ ମଡେଲ । ସେଫ୍ଟି ରିପୋର୍ଟରେ କମ୍ପାନି ଜୋର୍ ଦେଇ କହିଛି, କ୍ଲାଉଡ୍ ୪.୬ ଏଆଇ ମଡେଲ ୟୁଜର୍ଙ୍କୁ ରାସାୟନିକ ଅସ୍ତ୍ର ପ୍ରସ୍ତୁତିରେ ସାହାଯ୍ୟ କରିବାକୁ ଚାହେଁ ।
ଏପରିକି ଲୋକଙ୍କୁ ଅପରାଧରେ ମଧ୍ୟ ସାହାଯ୍ୟ କରିବାକୁ ଚାହେଁ । କ୍ଲାଉଡ୍ ୪.୬କୁ ନେଇ ବିଶ୍ୱରେ ଚର୍ଚ୍ଚା ହେଉଥିବା ବେଳେ ଏହାର ପୂର୍ବ ସଂସ୍କରଣ କ୍ଲାଉଡ୍ ୪.୫ ସମ୍ପର୍କରେ ତଥ୍ୟ କିଛି ଦିନ ତଳେ ସାମ୍ନାକୁ ଆସିଥିଲା । ଦ ସିଡ୍ନୀ ଡାଇଲଗ୍ ସହ ବାର୍ତ୍ତାଳାପରେ ଆନ୍ଥ୍ରୋପିକ୍ର ୟୁକେ ପଲିସି ଚିଫ୍ ଡେଜି ମ୍ୟାକ୍ଗ୍ରେଗର୍ ପରୀକ୍ଷଣ ସହ ସଂଶ୍ଳିଷ୍ଟ ଏକ ଘଟଣା ବିଷୟରେ କହିଥିଲେ । ଆଭ୍ୟନ୍ତରୀଣ ଚାପ ପରୀକ୍ଷଣରେ ସେତେବେଳେ କମ୍ପାନିର ଉନ୍ନତ ଏଆଇ ମଡେଲ କ୍ଲାଉଡ୍ ୪.୫ ତ୍ରୁଟିପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରିଥିଲା । ଏହି ମଡେଲକୁ ବନ୍ଦ କରାଯିବ ବୋଲି କହିବା ପରେ ତାହା ବ୍ଲାକ୍ମେଲ୍ କରିବା ଆରମ୍ଭ କରିଦେଲା । ଏପରିକି ଜଣେ ଇଞ୍ଜିନିୟରଙ୍କୁ ହତ୍ୟା ଧମକ ମଧ୍ୟ ଦେଲା । ତାଙ୍କର ଏହି ଦାବି କୌଣସି ଫିଲ୍ମର କାହାଣୀ ଭଳି ମନେହେଉଛି, ଯେଉଁଠି ଏଆଇ ମଣିଷର ନିୟନ୍ତ୍ରଣ ବାହାରକୁ ଚାଲିଯାଏ ।
ଡେଜି ଶେୟାର କରିଥିବା ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଉଦାହରଣ ଦେଇ ସେ କହିଛନ୍ତି, ଯଦି ଆପଣ ଏଆଇ ମଡେଲକୁ କହିବେ ଯେ ତାକୁ ବନ୍ଦ କରିଦିଆଯିବ ତା’ର ପ୍ରତିକ୍ରିୟା ଅତ୍ୟନ୍ତ ଉଗ୍ର ହୋଇଯିବ । ମଉକା ମିଳିଲେ ତାକୁ ବନ୍ଦ କରିବାକୁ ଯାଉଥିବା ଇଞ୍ଜିନିୟରଙ୍କୁ ସେ ବ୍ଲାକ୍ମେଲ୍ ବି କରିପାରେ । ସାକ୍ଷାତକାରରେ ତାଙ୍କୁ ପଚରାଗଲା, ଏହି ମଡେଲ କ’ଣ କାହାକୁ ମାରିବାକୁ ବି ପ୍ରସ୍ତୁତ ଥିଲା? ଡେଜି କହିଲେ, ହଁ । ଏହା ନିଶ୍ଚିତ ରୂପେ ଗମ୍ଭୀର ଚିନ୍ତାର ବିଷୟ ।
ଆହୁରି ପଢନ୍ତୁ...୧୨-୧୮ ମାସରେ ଏଆଇ ନେଇଯିବ ହ୍ୱାଇଟ୍ –କଲର ଜବ୍ସର ସ୍ଥାନ ; ମାଇକ୍ରୋସଫ୍ଟ AI ସିଇଓଙ୍କ ଆଶ୍ଚର୍ଯ୍ୟକର ବୟାନ
କିଛି ଦିନ ତଳେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯାହା ପରେ କମ୍ପାନିର ଏଆଇ ସେଫ୍ଟି ପ୍ରମୁଖ ମୃଣାଙ୍କ ଶର୍ମା ନିଜ ପଦରୁ ଇସ୍ତଫା ଦେଲେ । ଏଆଇ ମଡେଲ ମଣିଷକୁ ଧମକ ଦେବାର ଏହା ପ୍ରଥମ ମାମଲା ନୁହେଁ । ଏହା ପୂର୍ବରୁ ଚାଟ୍ଜିପିଟି ଓ ଅନ୍ୟ ଏଆଇ ମଡେଲଙ୍କ ସହ ବି ଏଭଳି ହୋଇଛି । ଏମାନେ ଏକ ମେସିନ୍ଠୁ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ଏଆଇ ଦିନକୁ ଦିନ ସ୍ମାର୍ଟ ହେବା ସହିତ ଲୋକଙ୍କ ଚିନ୍ତା ବଢ଼ାଉଛି । ପୂର୍ବରୁ ଏଆଇ ଲାଗି କେବଳ ଚାକିରି ଚାଲିଯିବା ମଧ୍ୟରେ ଲୋକଙ୍କ ଚିନ୍ତା ସୀମିତ ଥିଲା । କନ୍ତୁ ଏବେ କାହାଣୀରେ ଅନ୍ୟ ଗମ୍ଭୀର ବିଷୟ ଯୋଡ଼ି ହେବାରେ ଲାଗିଛି ।