- ଭାରତକୁ ଦିନିକିଆ ଗସ୍ତରେ ସଂଯୁକ୍ତ ଆରବ ଏମିରେଟର ରାଷ୍ଟ୍ରପତି
- ଶେଖ ମହମ୍ମଦ ବିନ୍ ଜାୟଦ ଅଲ୍ ନାହୟାନଙ୍କ ଏହା ୩ୟ ସରକାରୀ ଯାତ୍ରା
- ବିମାନ ବନ୍ଦରରେ ନିଜେ ସ୍ୱାଗତ କଲେ ପିଏମ୍ ମୋଦି
ନୂଆଦିଲ୍ଲୀ – ଭାରତକୁ ଦିନିକିଆ ଗସ୍ତରେ ଆସିଛନ୍ତି ସଂଯୁକ୍ତ ଆରବ ଏମିରେଟର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାୟଦ ଅଲ୍ ନାହୟାନ। ଦିନିକିଆ ସରକାରୀ ଯାତ୍ରାରେ ଆସି ସେ ସୋମବାର ସନ୍ଧ୍ୟାରେ ରାଜଧାନୀ ଦିଲ୍ଲୀରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୋଟୋକଲ ଭାଙ୍ଗି ବିମାନ ବନ୍ଦରକୁ ଯାଇ ନିଜେ ତାଙ୍କୁ ସ୍ୱାଗତ କରିଥିଲେ। ଶେଖ ନାହୟାନଙ୍କର ଏବେ କିଛି ସମୟ ପରେ ପିଏମ ମୋଦିଙ୍କ ସହ ଆଲୋଚନ ହେବ , ଯାହା ପରେ ସଂଯୁକ୍ତ ଆରବ ଏମିରେଟର ରାଷ୍ଟ୍ରପତି ଆଜି ହିଁ ସ୍ୱଦେଶ ଫେରି ଯିବେ। ଶେଖ ନାହୟାନଙ୍କର ଏହି ଯାତ୍ରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ ହେଉଛି।
ସଂଯୁକ୍ତ ଆରବ ଏମିରେଟ୍ର ରାଷ୍ଟ୍ରପତିଙ୍କ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ଭାରତକୁ ୩ୟ ସରକାରୀ ଯାତ୍ରା , ଏବଂ ଗତ ଏକ ଦଶକରେ ଏହା ତାଙ୍କର ଭାରତକୁ ୫ମ ଯାତ୍ରା ହେବ। ଉକ୍ତ ଗସ୍ତ ନିକଟରେ ହୋଇଥିବା ଉଚ୍ଚ ସ୍ତରୀୟ ଆଦାନ ପ୍ରଦାନରୁ ମିଳିଥିବା ଦୃଢ ଗତି ଉପରେ ଆଧାରିତ, ଯେଉଁଥିରେ ସେପ୍ଟେମ୍ୱର ୨୦୨୪ରେ ଅବୁଧାବୀର ଶହଜାଦା ଶେଖ ଖାଲିଦ ବିନ ମହମ୍ମଦ ବିନ ଜାୟଦ ଅଲ ନାହୟାନଙ୍କ ଯାତ୍ରା ଓ ଗତବର୍ଷ ଅପ୍ରେଲରେ ଏମିରଟର ଉପ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ତଥା ଦୁବାଇର କ୍ରାଉନ ପ୍ରେନ୍ସ ଶେଖ ହମଦାନ ବିନ୍ ମହମ୍ମଦ ବିନ ରାଶିଦ ଅଲ୍ ମକତୁମଙ୍କ ଯାତ୍ରା ସାମିଲ ଅଛି।
କାହିଁକି ଗୁରୁତ୍ତ୍ୱପୂର୍ଣ୍ଣ ଏହି ଯାତ୍ରା –
ତାଙ୍କର ଭାରତ ଯାତ୍ରା ପଶ୍ଚିମ ଏସିଆରେ ଇରାନ-ଆମେରିକା ସମ୍ୱନ୍ଧରେ ଆସିଥିବା ତୀବ୍ର ହ୍ରାସ ,ୟେମେନକୁ ନେଇ ସାଉଦୀ ଆରବ ଓ ୟୁଏଇ ମଧ୍ୟରେ ଉତ୍ତେଜନା ବୃଦ୍ଧି ଓ ଗାଜାରେ ଅସ୍ଥିର ରାଜନୀତିକ ପରିଦୃଶ୍ୟ କାରଣରୁ ସୃଷ୍ଟି ସ୍ଥିତି ମଧ୍ୟରେ ହେଉଛି। ୟୁଏଇ ରାଷ୍ଟ୍ରପତିଙ୍କ ଯାତ୍ରା ବିଷୟରେ ସୂଚନା ରଖିଥିବା ଲୋକେ କହିଛନ୍ତି ଯେ, ବାଣିଜ୍ୟ ଓ ନିବେଶ , ପ୍ରତିରକ୍ଷା ଉଦ୍ୟୋଗ ସହଯୋଗ ଓ ଶକ୍ତି ପ୍ରସଙ୍ଗ ନେଇ ଭାରତୀୟ ନେତୃତ୍ୱଙ୍କ ସହ ଆଲୋଚନା ହେବାର ଆଶା ରହିଛି।