ନୂଆଦିଲ୍ଲୀ,୨୭/୦୩: ୭୦ ବର୍ଷର ସ୍ବପ୍ନ ହେବ ପୂରଣ । କଟରାରୁ ଶ୍ରୀନଗର ପର୍ଯ୍ୟନ୍ତ ଆରମ୍ଭ ହେବାକୁ ଯାଉଛି ପ୍ରଥମ ରେଳ ସେବା । ଆସନ୍ତା ୧୯ ତାରିଖରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ତେବେ ଏହି ବନ୍ଦେ ଭାରତ ରିଆସି ଜିଲ୍ଲାର କଟରା ସହରରୁ ଆରମ୍ଭ ହୋଇ ପିର ପଞ୍ଜାଲ ପର୍ବତମାଳାକୁ ପାର କରି ଶ୍ରୀନଗରରେ ପହଞ୍ଚିବ । ତା'ପରେ ଉତ୍ତର କାଶ୍ମୀରର ବାରାମୁଲ୍ଲା ଯିବ। ଏହି କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ, ଜମ୍ମୁ ଏବଂ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଯୋଗ ଦେବେ। ସୂଚନା ଅନୁଯାୟୀ, ବର୍ତ୍ତମାନ ଏହି ଟ୍ରେନ୍ ସଂଗଲଦାନରୁ ବାରାମୁଲ୍ଲା ପର୍ଯ୍ୟନ୍ତ ଚାଲୁଛି। ରେଳ ଅଧିକାରୀଙ୍କ ଅନୁଯାୟୀ, ଜମ୍ମୁ ରେଳ ଷ୍ଟେସନରେ ସମ୍ପ୍ରସାରଣ କାର୍ଯ୍ୟ ସମାପ୍ତ ହେବା ପରେ, ଚଳିତ ବର୍ଷ ଜୁଲାଇ-ଅଗଷ୍ଟ ସୁଦ୍ଧା ଜମ୍ମୁରୁ ଘାଟିକୁ ଟ୍ରେନ୍ ସେବା ଆରମ୍ଭ ହେବ।
ଏହା ମଧ୍ୟ ପଢନ୍ତୁ- ସଂଶୋଧିତ ବ୍ୟାଙ୍କିଙ୍ଗ୍ ଆଇନ ସଂସଦରେ ପାସ୍, ୪ ଜଣ ଯାଏ ନୋମିନି ରଖିପାରିବେ ଖାତାଧାରୀ
ପ୍ରଧାନମନ୍ତ୍ରୀ ମୋଦି ୧୯ ଏପ୍ରିଲ ସକାଳେ ନୂଆଦିଲ୍ଲୀରୁ ଉଧମପୁର ସେନା ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ସେ ଚେନାବ ନଦୀ ଉପରେ ନିର୍ମିତ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ପରିଦର୍ଶନ କରିବେ। ଯାହାପରେ, ପ୍ରଧାନମନ୍ତ୍ରୀ ମୋଦି କଟରାସ୍ଥିତ ମାତା ବୈଷ୍ଣୋ ଦେବୀ ବେସ୍ କ୍ୟାମ୍ପରୁ ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ।ଅନ୍ୟପଟେ ଉଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କ୍ (USBRL) ପ୍ରକଳ୍ପର ମୋଟ ୨୭୨ କିଲୋମିଟର ରାସ୍ତା ମଧ୍ୟରୁ, ୧୧୮ କିଲୋମିଟର ଲମ୍ବା କାଜିଗୁଣ୍ଡ-ବାରାମୁଲ୍ଲା ସେକ୍ସନ ଅକ୍ଟୋବର ୨୦୦୯ରେ କାର୍ଯ୍ୟକ୍ଷମ ହୋଇଥିଲା। ଏହାପରେ, ୧୮ କିଲୋମିଟର ଲମ୍ବା ବାନିହାଲ-କାଜିଗୁଣ୍ଡ ଲିଙ୍କ ଜୁନ୍ ୨୦୧୩ରେ ଏବଂ ୨୫ କିଲୋମିଟର ଲମ୍ବା ଉଧମପୁର-କଟରା ସେକ୍ସନ ଜୁଲାଇ ୨୦୧୪ରେ ସମାପ୍ତ ହୋଇଥିଲା। ଗତବର୍ଷ ଫେବୃଆରୀରେ, ୪୮.୧ କିଲୋମିଟର ବାନିହାଲ-ସଙ୍ଗଲଦାନ ସେକ୍ସନ ମଧ୍ୟ ଯୋଡା ଯାଇଥିଲା। ଗତବର୍ଷ ଜୁନ୍ ମାସରେ ୪୬ କିଲୋମିଟର ଲମ୍ବା ସାଙ୍ଗଲଦାନ-ରିଆସି ସେକ୍ସନ ମଧ୍ୟ ସମାପ୍ତ ହୋଇଥିଲା । ଏହି ପ୍ରସ୍ତୁତି ପରେ, ଭାରତରେ ବିଭିନ୍ନ ଟ୍ରେନର ପରୀକ୍ଷଣ ଆରମ୍ଭ ହୋଇଛି ଏବଂ ସୁରକ୍ଷା ପଦକ୍ଷେପର ସମୀକ୍ଷା ମଧ୍ୟ ସମାପ୍ତ ହୋଇଛି।