ନୂଆଦିଲ୍ଲୀ,୨୫/୧୧; ଐତିହାସିକ ମୂହୁର୍ତ୍ତର ସାକ୍ଷୀ ହେଲେ କୋଟି କୋଟି ଭାରତୀୟ । ଏକ ନୂଆ ଯୁଗର ଆରମ୍ଭ ସହିତ ସଭିଙ୍କ ହୃଦୟରେ ବିଶ୍ୱାସ ସୃଷ୍ଟି ହୋଇଛି । ୫୦୦ ବର୍ଷର ଅପେକ୍ଷାର ଅନ୍ତ ହୋଇଛି । ଦିବ୍ୟ, ଭବ୍ୟ, ନବ୍ୟ ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ଶିଖରରେ ଉଡ଼ିଛି ଧର୍ମଧ୍ୱଜା । ମାର୍ଗଶିର ମାସ ଶୁକ୍ଳପକ୍ଷ ପଞ୍ଚମୀରେ ଧ୍ୱଜାରୋହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୋହନ ଭାଗବତ । ରାମସୀତାଙ୍କ ବିବାହ ପଞ୍ଚମୀରେ ଧର୍ମଧ୍ଜା ସ୍ଥାପନା ହୋଇଛି । ଧର୍ମଧ୍ୱଜାର ଉଚ୍ଚତା ୧୦ ଫୁଟ୍ ଓ ଲମ୍ବ ୨୦ ଫୁଟ୍ ରହିଛି । ଦକ୍ଷିଣ କୋଣ ତ୍ରିକୋଣୀୟରେ ସ୍ୱତନ୍ତ୍ର ପତାକା ତିଆରି ହୋଇଛି । ଧର୍ମଧ୍ୱଜାରେ ରହିଛି କାଞ୍ଚନ ଗଛର ପ୍ରତିଛବି । ମର୍ଯ୍ୟାଦା, ଏକତା ଓ ସଂସ୍କୃତିର ବାର୍ତ୍ତାବହ ଧର୍ମଧ୍ୱଜା ୭୦୦ଟନ୍ ଓଜନ ୪୪ ଫୁଟ୍ ଲମ୍ଭ ଖମ୍ଭରେଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଶିଖରରେ ଶୋଭା ପାଇଛି ।
ଭଗବାନ ଶ୍ରୀରାମଙ୍କ ପବିତ୍ର ନଗରୀ ଅଯୋଧ୍ୟା ଆଉ ଏକ ଭବ୍ୟ କାର୍ଯ୍ୟକ୍ରମର ସାକ୍ଷୀ ହୋଇଛି । ଶୁଭ ମୁହୂର୍ତ୍ତରେ ରାମ ମନ୍ଦିରରେ ଉଡ଼ିଛି ଧର୍ମଧ୍ୱଜା । ମନ୍ଦିର ପ୍ରାଙ୍ଗଣରେ ଦିବ୍ୟ ଓ ନବ୍ୟ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ସମଗ୍ର ଅଯୋଧ୍ୟା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟକ୍ରମରେ ସାମିଲ ହୋଇ ଶୁଭ ମୁହୂର୍ତ୍ତରେ ଧ୍ୱଜାରୋହଣ କରିଛନ୍ତି । ଏହାର ସାକ୍ଷୀ ସାଜିଛନ୍ତି ୮ ହଜାରରୁ ଅଧିକ ଅତିଥି । ୧୦୦ଟନ୍ ଫୁଲରେ ସଜେଇ ହୋଇଛି ଧାମ । ରାମ ମନ୍ଦିର ଧ୍ୱଜାରୋହଣ ସମାରୋହ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପୁଲିସ ଓ ଅର୍ଦ୍ଧସାମରିକ ବାହିନୀକୁ ମିଶାଇ ମୋଟ ୧୦ ହଜାର ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି ।