ନୂଆଦିଲ୍ଲୀ,୧୫/୦୮: ୭୯ତମ ସ୍ୱାଧୀନତା ଦିବସ ପାଳନ କରୁଛି ଭାରତ । ତ୍ରିରଙ୍ଗାମୟ ହୋଇଛି ଦେଶ । ଦିଲ୍ଲୀରୁ ପଲ୍ଲୀ ଫରଫର ହୋଇ ଉଡୁଛି ତ୍ରିରଙ୍ଗା । ସବୁଠି ଦେଶପ୍ରେମର ଭାବନା । ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ହୋଇଛନ୍ତି ଦେଶବାସୀ । କୋଣ ଅନୁକୋଣକୁ ଭାସି ଆସୁଛି ଜାତୀୟ ସଙ୍ଗୀତର ଧ୍ୱନୀ । ଦେଶାତ୍ମବୋଧକ ସଙ୍ଗୀତରେ ମନରେ ଭରିଯାଇଛି ଆନନ୍ଦ-ଉଲ୍ଲାସ । ସ୍ୱାଧୀନତା ସଂଘର୍ଷର ପ୍ରତିଟି ମୂହୁର୍ତ୍ତକୁ ମନେ ପକାଉଛନ୍ତି ଦେଶବାସୀ । ନୂଆଦିଲ୍ଲୀ ସ୍ଥିତି ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୭୫ ବର୍ଷ ଧରି, ଭାରତର ସମ୍ବିଧାନ ଆମକୁ ଏକ ଆଲୋକମାଳ ପରି ପଥ ଦେଖାଉଛି । ସ୍ୱାଧୀନତାର ଏହି ମହାନ ପର୍ବ ୧୪୦କୋଟି ଭାରତୀୟଙ୍କ ସଂକଳ୍ପର ପର୍ବ ବୋଲି ସଭାକୁ ସମ୍ଭୋଧନ କରି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଲାଲକିଲ୍ଲାରୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି,''ସ୍ୱାଧୀନତା ଦିବସର ଏହି ମହାନ୍ ପର୍ବ ୧୪୦ କୋଟି ଜନତାଙ୍କ ସଂକଳ୍ପ, ସାମୂହିକ ସିଦ୍ଧି ଓ ଗୌରବର ପର୍ବ । ସମସ୍ତଙ୍କ ହୃଦୟ ଆଶା, ଆକାକ୍ଷାଂରେ ଭରି ରହିଛି । ଏକତାରର ଭାବନାକୁ ନିରନ୍ତର ମଜଭୂତ କରୁଛି । ୧୪୦ କୋଟି ଦେଶବାସୀ ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ହୋଇଛନ୍ତି । ଆଜି କୋଣ ଅନୁକୋଣରେ ଗୋଟିଏ ମନ୍ତ୍ର..ଦେଶ ପ୍ରଥମ । ପୂଜ୍ୟ ବାପୁଙ୍କ ସିନ୍ଧାନ୍ତକୁ ଅନୁସରଣ କରି ସମ୍ବିଧାନ ସଭାର ସଦସ୍ୟ ମହତ୍ତ୍ବପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି । ଭାରତର ସମ୍ବିଧାନ ଆମକୁ ମାର୍ଗ ଦେଖାଉଛି । ଭାରତର ସମ୍ବିଧାନ ନିର୍ମାତା ଅନେକ ମହାପୁରୁଷ, ରାଜେନ୍ଦ୍ର ପ୍ରସାଦ, ବାବା ସାହେବ ଆମ୍ବେଦକାର, ପଣ୍ଡିତ ନେହେରୁ, ସର୍ଦାର ବଲ୍ଲବଭାଇ ପଟେଲ, ଆମ ନାରୀଶକ୍ତିର ଯୋଗଦାନ ରହିଛି । ଭାରତର ସମ୍ବିଧାନକୁ ସଶକ୍ତ କରିବାକୁ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଛନ୍ତି । ଆଜି ଦିନରେ ସମ୍ବିଧାନ ନିର୍ମାତାଙ୍କୁ ନମନ କରୁଛି ।''
'ଅପରେସନ୍ ସିନ୍ଦୂର'କୁ ପ୍ରଶଂସା- 'ଅପରେସନ୍ ସିନ୍ଦୂର'କୁ ପ୍ରଶଂସା- ଲାଲକିଲ୍ଲାରୁ 'ଅପରେସନ୍ ସିନ୍ଦୂର'କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 'ଅପରେସନ୍ ସିନ୍ଦୂର' ଆକ୍ରୋଶର ଅଭିବ୍ୟକ୍ତି ଥିଲା । ଆତଙ୍କବାଦୀମାନେ ଧର୍ମ ପଚାରି ଲୋକଙ୍କୁ ମାରିଥିଲେ । ସ୍ତ୍ରୀ ଆଗରେ ସ୍ୱାମୀଙ୍କୁ ହତ୍ୟା କଲେ । ଏହାର ପ୍ରତିଶୋଧ ନେବା ପାଇଁ 'ଅପରେସନ୍ ସିନ୍ଦୂର'କୁ ପ୍ରଶଂସା ଆରମ୍ଭ କରିଥିଲୁ । ଆମ ଯବାନମାନେ ଆତଙ୍କବାଦୀଙ୍କୁ ଉଚିତ୍ ଦଣ୍ଡ ଦେଲେ । ଆତଙ୍କୀ କ୍ୟାମ୍ପ ଧ୍ବଂସ କଲେ, ନିଶ୍ଚିହ୍ନ କଲେ । 'ଅପରେସନ୍ ସିନ୍ଦୂର' ଆମ ଯବାନମାନଙ୍କ ବୀରତ୍ୱର ପ୍ରତିବିମ୍ବ । ଶତ୍ରୁଙ୍କୁ ଏମିତି ଦଣ୍ଡ ମିଳିଛି ଯେ ସେମାନେ କଳ୍ପନା କରିନଥିବେ । ଆତଙ୍କବାଦ ଓ ଏହାର ଆକ୍କଙ୍କୁ ଆମେ ଅଲଗା ଭାବେ ଦେଖୁନୁ । ପରମାଣୁ ଧମକକୁ ଆମେ ଆଉ ସହ୍ୟ କରିବୁନି । ସିନ୍ଧୁ ଜଳ ଚୁକ୍ତି ଏକତରଫା ଥିଲା । ଆମ କୃଷକମାନେ ସେମାନଙ୍କ ହକ୍ ପାଉ ନଥିଲେ । 'ଅପରେସନ୍ ସିନ୍ଦୂର' ପରେ ଆମେ ଚୁକ୍ତି ରଦ୍ଦ କଲୁ କାରଣ ରକ୍ତ ଓ ପାଣି ଏକାସଙ୍ଗେ ପ୍ରଭାବିତ ହୋଇପାରିବେ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
''ଆତ୍ମନିର୍ଭର ଭାରତ ବିକଶିତ ଭାରତର ମୂଳଦୁଆ''- ଆତ୍ମନିର୍ଭର ହୋଇନଥିଲେ ଅପରେସନ୍ ସମ୍ଭବ ହୋଇନଥାନ୍ତା । ଆତ୍ମନିର୍ଭର ହେବାକୁ ହେଲେ ଆମକୁ ଶ୍ରେଷ୍ଠ ଦେବାକୁ ପଡ଼ିବ । ଏକବିଂଶ ଶତାଦ୍ଦୀ ବୈଷୟିକ ଜ୍ଞାନକୌଶଳର ଯୁଗ । ଏହାକୁ ନେଇ ଶିଖରରେ ପହଞ୍ଚି ହେବ । ରିସର୍ଚ୍ଚ ଆଉ ଡେଭଲପମେଣ୍ଟ ଜରିଆରେ ଏହା ସମ୍ଭବ । ଯିଏ ଅନ୍ୟ ଉପରେ ଅଧିକ ନିର୍ଭର କଲେ ତାଙ୍କ ସ୍ୱାଧୀନତା ଉପରେ ପ୍ରଶ୍ନବାଚୀ ଲାଗିଯାଏ । ଆତ୍ମନିର୍ଭର ହେବାକୁ ଆମକୁ ଜାଗ୍ରତ ରହିବାକୁ ପଡ଼ିବ । ଆତ୍ମନିର୍ଭର ଆମ ସାମର୍ଥ୍ୟ ସହିତ ଯୋଡ଼ି ହୋଇଛି । ଆମର ୟୁପିଆଇ ସିଷ୍ଟମ ପୁରା ବିଶ୍ୱକୁ ଚକିତ କରିଛି । ଭୋକାଲ ଫର୍ ଲୋକାଲ୍ ଆତ୍ମନିର୍ଭର ଭାରତ ମନ୍ତ୍ର । ଆଗାମୀ ଦିନ ଇଭିର ଯୁଗ, ଆମେ ଇଭି ବ୍ୟାଟେରୀ ବି ପ୍ରସ୍ତୁତ କରିବା । ଆତ୍ମନିର୍ଭର ଭାରତ ବିକଶିତ ଭାରତର ମୂଳଦୁଆ ବୋଲି ଲାଲ୍କିଲ୍ଲାରୁ କହିଛନ୍ତି ପ୍ରଧାନମନ୍ତ୍ରୀ ।
''ଗଗନଯାନ ପାଇଁ ପ୍ରସ୍ତୁତ ହେଉଛି ଭାରତ''- ସ୍ପେସ୍ ସେକ୍ଟରର କମାଲ ଦେଶବାସୀ ଦେଖୁଛନ୍ତି । ଆମ ଗ୍ରୁପ କ୍ୟାପ୍ଟେନ୍ ଶୁଭାଂଶୁ ଶୁଳ୍କା ସ୍ପେସ୍ ସେଣ୍ଟରରୁ ଫେରିଛନ୍ତି । ଆଗମୀ ଦିନରେ ସେ ଭାରତ ଆସୁଛନ୍ତି । ଆମେ ନିଜ ଦମ୍ରେ ସ୍ପେସ୍ରେ ଆତ୍ମନିର୍ଭର ଭାରତ ଗଗମଯାନ ପାଇଁ ପ୍ରସ୍ତୁତି କରୁଛି । ମୋ ଦେଶରେ ୩୦୦ରୁ ଅଧିକ ଷ୍ଟାର୍ଟ ଅପ୍ ସ୍ପେସ୍ ସେକ୍ଟରରେ କାମ କରୁଛନ୍ତି । ହଜାର ହାଜର ଯୁବଗୋଷ୍ଠୀ ସାମର୍ଥ୍ୟର ସହ ଯୋଡ଼ି ହୋଇଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
#WATCH | Delhi: Prime Minister Narendra Modi hoists the national flag at the Red Fort. #IndependenceDay
— ANI (@ANI) August 15, 2025
(Video Source: DD) pic.twitter.com/UnthwfL72O
ବାପୁଙ୍କୁ ଶ୍ରଦ୍ଧାଞ୍ଜଳି- ଲାଲକିଲ୍ଲାରେ ପତାକା ଉତ୍ତୋଳନ ପୂର୍ବରୁ ଜାତିର ଜନକ ମହାତ୍ମୀ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ରାଜଘାଟରେ ପହଞ୍ଚି ବାପୁଙ୍କ ସମାଧି ପୀଠରେ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଥିଲେ । ଏହାପରେ ଲାଲକିଲ୍ଲା ଅଭିମୁଖେ ଯାତ୍ରା କରିଥିଲେ ।