ନୂଆଦିଲ୍ଲୀ,୧୪।୧୧: ବମ୍ପର ବିଜୟ ପରେ ଜୋରଦାର ସେଲିବ୍ରେସନ୍। ବିହାର ବିଧାନସଭା ନିର୍ବାଚନର ଫଳାଫଳ ବିଜେପି ନେତୃତ୍ବାଧୀନ ଏନଡିଏକୁ ଆଣି ଦେଇଛି ବିପୁଳ ବିଜୟ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ କରାଯାଇଛି ଭବ୍ୟ ସ୍ବାଗତ। ଏହି ସମୟରେ ପାର୍ଟି ମୁଖ୍ୟାଳୟ ‘ମୋଦି ମୋଦି’ ନାରାରେ ପ୍ରକମ୍ପିତ ହୋଇଥିଲା। ପିଏମ୍ ମୋଦି ମୁଖ୍ୟାଳୟ ପହଁଞ୍ଚିବା ମାତ୍ରେ ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତା ଶାହ ଏବଂ ଦଳର ଅନ୍ୟ ବରିଷ୍ଠ ନେତା ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଏହି ସମୟରେ ପିଏମ୍ ମୋଦି ଗାମୁଛା ହଲାଇ ବିଜେପି କର୍ମୀଙ୍କୁ ବିଜୟର ଶୁଭେଚ୍ଛା ଜଣାଇଥି
ଏହା ପୂର୍ବରୁ ପିଏମ୍ ମୋଦି ବିହାର ନିର୍ବାଚନ ରାଲିରେ ଗାମୁଛ ହଲାଇ ବିହାରର ଜନତାଙ୍କୁ ବଡ଼ ବାର୍ତ୍ତା ଦେଇଥିଲେ। ସେ ମୁଜାଫରପୁରର ମୈଦାନରେ ଚାଲିଥିବା ରାଲିରେ ପ୍ରାୟ ୩୦ ସେକେଣ୍ଡ ଧରି ଗାମୁଛା ହଲାଇଥିଲେ। ଏହାପରେ ଲୋକଙ୍କୁ ହାତଯୋଡି ଅଭିବାଦନ ଗ୍ରହଣ କରିଥିଲେ। ମୋଦିଙ୍କ ଏହି ଗାମୁଛା ହଲା ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। ରାଜନୀତିରେ ମୋଦିଙ୍କ ‘ଗାମୁଛା ଟ୍ରେଣ୍ଡ’କୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। କେବଳ ସେତିିକି ନୁହେଁ ଗତ ଅଗଷ୍ଟରେ ଓନ୍ତା-ସିମାରିୟା ବ୍ରିଜ୍ ଉଦଘାଟନ ବେଳେ ପିଏମ୍ ମୋଦି ଗାମୁଛା ହଲାଇ ଲୋକଙ୍କୁ ବାର୍ତ୍ତା ଦେଇଥିଲେ। ରାଜନୀତି ବିଶେଷଜ୍ଞଙ୍କ ମତରେ ବିହାରର ଅଧିକାଂଶ ଲୋକ ଶ୍ରମିକ ଶ୍ରେଣୀର ଥିବାରୁ ତାଙ୍କ ପାଇଁ ଗାମୁଛା ସବୁବେଳେ ଜରୁରୀ। ଏହି ଗାମୁଛା ହଲାଇ ମୋଦି ଗରିବ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ସହ ଅଛନ୍ତି ବୋଲି ବାର୍ତ୍ତା ଦେଇଥିଲେ। ଏବେ ମୋଦିଙ୍କର ଏହି ‘ଗାମୁଛା ମ୍ୟାଜିକ୍ ବିଜେପି ନେତୃତ୍ବାଧୀନ ଏନ୍ଡିଏକୁ ଆଣି ଦେଇଛି ବଡ଼ ସଫଳତା।
ବିହାରରେ ଏନଡିଏର ବିଜୟ ନେଇ ଏହା ପୂର୍ବରୁ ପିଏମ୍ ମୋଦି ଖୁସି ବ୍ୟକ୍ତ କରିବା ସହ ଏହା ସୁଶାସନର ବିଜୟ ବୋଲି କହିଥିଲେ। ଜନ-କଲ୍ୟାଣର ଭାବନାର ବିଜୟ ହୋଇଛି ବୋଲି ଏକ୍ସରେ ବାର୍ତ୍ତା ଦେଇଥିଲେ। ଏପରିକି ଏହି ବମ୍ପର ବିଜୟ ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପିଏମ୍ ମୋଦିଙ୍କୁ ନିଜର କୃତଜ୍ଞତା ଜଣାଇ ସାରିଛନ୍ତି।