ଭିଏନ୍‌ତିଆନ୍‌, ୧୧/୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କମ୍ୟୁନିଷ୍ଟ ଦେଶ ଲାଓସରେ ପହଞ୍ଚିଛନ୍ତି । ସେଠାରେ ଅନୁଷ୍ଠିତ ଭାରତ-ଆସିଆନ୍‌ ସମ୍ମିଳନୀରେ ସାମିଲ ହୋଇ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ଯେ, ମୁଁ ଭାରତର ‘ଆକ୍ଟଇଷ୍ଟ ନୀତି’ ଘୋଷଣା କରିଥିଲି । ବିଗତ ଦଶନ୍ଧିରେ ଏହି ନୀତି ଭାରତ ଓ ଆସିଆନ୍‌ ଦେଶଗୁଡ଼ିକର ସମ୍ପର୍କକୁ ନୂଆ ଶକ୍ତି ପ୍ରଦାନ କରିଛି । ସେମାନଙ୍କ ସମ୍ପର୍କକୁ ନୂଆ ଦିଗ ଓ ଗତି ବି ଦେଇଛି । 

ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ୧୦ ବର୍ଷରେ ଆମର ଆସିଆନ୍‌ (ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର ସମୂହ) ଅଞ୍ଚଳରେ ବ୍ୟବସାୟିକ କାରବାର ଦୁଇଗୁଣା ହୋଇ ୧୩୦ ବିଲିୟନ ଡଲାରରୁ ଅଧିକ ହୋଇଛି । ଆମେ ସମସ୍ତେ ଶାନ୍ତିପ୍ରିୟ ଦେଶ । ଏକବିଂଶ ଶତାବ୍ଦୀ ଭାରତ ଓ ଆସିଆନ୍‌ ଦେଶଗୁଡ଼ିକର ବୋଲି ମୋଦି କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ବିଶ୍ୱର ଅନେକ ଭାଗରେ ସଂଘର୍ଷ ଓ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଭାରତ ଓ ଆସିଆନ୍‌ର ମିତ୍ରତା, ବାର୍ତ୍ତା ଓ ସହଯୋଗ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି । ଆସିଆନ୍‌କୁ ପ୍ରାଥମିକତା ଦେବାକୁ ଯାଇ ଆମେ ୧୯୯୧ରେ ‘ଇଣ୍ଡୋ-ପାସିଫିକ୍‌ ଓସନ୍‌’ ଅଭିଯାନ ଆରମ୍ଭ କରିଥିଲେ । ଏହା ଆସିଆନ୍‌କୁ ସଶକ୍ତ କରିଛି । ଗତବର୍ଷ ଆଞ୍ଚଳିକ ସୁରକ୍ଷା ଓ ସ୍ଥିରତା ପାଇଁ ସାମୁଦ୍ରିକ ଯୁଦ୍ଧାଭ୍ୟାସ ଆରମ୍ଭ ହୋଇଥିଲା । ଆଜିକା ଦିନରେ ୭ଟି ଆସିଆନ୍‌ ଦେଶକୁ ଭାରତର ସିଧାସଳଖ ବିମାନ ଚଳାଚଳ ହେଉଛି । ଖୁବଶୀଘ୍ର ବ୍ରୁନେଇକୁ ବିମାନ ସେବା ଆରମ୍ଭ ହେବ । ତିମୋର ଲେଷ୍ଟରେ ଆମେ ନୂଆ କନ୍‌ସୁଲେଟ୍‌ ଖୋଲିଛୁ । ପ୍ରଥମ ଆସିଆନ୍‌ ଦେଶ ଭାବେ ସିଙ୍ଗାପୁରରେ ଆମେ ଫିନ୍‌ଟେକ୍‌ କନେକ୍ଟିଭିଟି ସ୍ଥାପନ କରିଥିଲୁ । ଏବେ ଏହାକୁ ଅନ୍ୟ ଦେଶଗୁଡ଼ିକ ବି ନକଲ କରିବାରେ ଲାଗିଛନ୍ତି । 

ଉଲ୍ଲେଖଯୋଗ୍ୟ, ଲାଓସ୍‌ ପ୍ରଧାନମନ୍ତ୍ରୀ ସୋନେକ୍ସେ ସିଫାନ୍‌ଡୋନ୍‌ଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ମୋଦି ଦୁଇଦିନିଆ ଗସ୍ତରେ ଆଜି ଲାଓସରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ବୌଦ୍ଧ ଭିକ୍ଷୁମାନେ ସ୍ୱାଗତ ଜଣାଇବା ସହ ଆଶୀର୍ବାଦ ପ୍ରଦାନ କରିଥିଲେ । ନିଜ ଗସ୍ତ କାଳରେ ସେ ୧୯ତମ ପୂର୍ବ ଏସିଆ ସମ୍ମିଳନୀରେ ବି ସାମିଲ ହେବେ । ମୋଦି ଆଜି ଲାଓସର ରାଜଧାନୀ ଭିଏନ୍‌ତିଆନ୍‌ରେ ବୌଦ୍ଧ ଭିକ୍ଷୁମାନଙ୍କ ସହ ‘ଲାଓ ରାମାୟଣ’ ଦେଖିଥିଲେ । ଏହାକୁ ମିଶାଇ ମୋଦି ଲାଓସରେ ଦଶମ ଥର ପାଇଁ ଭାରତ- ଆସିଆନ୍‌ ସମ୍ମିଳନୀରେ ସାମିଲ ହୋଇଛନ୍ତି । ବିଦେଶ ମନ୍ତ୍ରଣାଳୟ ମୁତାବକ, ନିଜ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦି ଆସିଆନ୍‌ ଦେଶଗୁଡ଼ିକର ଅନେକ ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବି କରିବେ ।