ଲାଲଚୌକରେ ରାହୁଲ ଗାନ୍ଧୀଙ୍କ ତ୍ରୀରଙ୍ଗା ଉଡ଼ାଇବାକୁ ନେଇ ବିଜେପିର ଦାବି; କହିଲା ମୋଦୀଙ୍କ ଯୋଗୁ ହୋଇଛି ସମ୍ଭବ, ଧନ୍ୟବାଦ ଦିଅନ୍ତୁ କଂଗ୍ରେସ ନେତା

Image Courtesy: The Hindu
ନୂଆଦିଲ୍ଲୀ,୩୦/୦୧: ଭାରତୀୟ ଜନତା ପାର୍ଟି କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସରକାର ତଥା ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ (ଆରଏସଏସ) ଉପରେ ଦେଇଥିବା “ଅବାଞ୍ଛିତ ତଥା ଅନ୍ୟାୟ” ମନ୍ତବ୍ୟକୁ ନିନ୍ଦା କରିଛି। ବିଜେପି କହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧିନ ସରକାରଙ୍କ ଦ୍ବାରା ସୃଷ୍ଟି କରାଯାଇଥିବା ନିରାପଦ ପରିବେଶ ଯୋଗୁଁ, ଶ୍ରୀନଗରର ଲାଲଚୌକ୍ରେ ଜାତୀୟ ପତାକା ଉତ୍ତୋଳନ କରିବାରେ ରାହୁଲ ଗାନ୍ଧୀ ସଫଳ ହୋଇଛନ୍ତି ବୋଲି ସ୍ବିକାର କରନ୍ତୁ।
ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଯେ, ମୋଦୀଙ୍କ ନିର୍ଣ୍ଣାୟକ ନେତୃତ୍ୱ ହିଁ ଧାରା ୩୭୦କୁ ରଦ୍ଦ କରି କାଶ୍ମୀର ଘାଟିରେ ଶାନ୍ତିର ପରିବେଶ ସୃଷ୍ଟି କରିଛି ଏବଂ ବର୍ତ୍ତମାନ ସ୍ୱାଧୀନତା ଦିବସ ତଥା ଗଣତନ୍ତ୍ର ଦିବସରେ ଆମେ ଏଠାରେ ତ୍ରିରଙ୍ଗା ଉଡ଼ାଇବାରେ ସଫଳ ହୋଇଛୁ। ଅନ୍ୟପଟେ ବିଜେପି ମୁଖପାତ୍ର ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଥୋର ଏକ ବିବୃତ୍ତିରେ କହିଛନ୍ତି, “ରାହୁଲ ଗାନ୍ଧୀ ଗର୍ବର ସହିତ ଲାଲଚୌକରେ ତ୍ରିରଙ୍ଗା ଉଡ଼ାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ସରକାର କାଶ୍ମୀରରେ ଏପରି ପରିବେଶ ସୃଷ୍ଟି କରିଛନ୍ତି ଯେ ପ୍ରତ୍ୟେକ ଭାରତୀୟ ଗର୍ବର ସହିତ ସେଠାରେ ତ୍ରିରଙ୍ଗା ଉଡ଼ାଇ ପାରିବେ। ଏହିପରି ନିରାପଦ ପରିବେଶ ସୃଷ୍ଟି କରିଥିବାରୁ ଏବଂ ସେଠାରେ ତ୍ରିରଙ୍ଗା ଉଡ଼ାଇବାରେ ରାହୁଲ ସଫଳ ହୋଇଥିବାରୁ ସେ ମୋଦୀ ଜୀଙ୍କୁ ଧନ୍ୟବାଦ ଦେବା ଉଚିତ୍।
କାଶ୍ମୀରରେ କଂଗ୍ରେସ ଦ୍ୱାରା ଆତଙ୍କବାଦ ନିୟନ୍ତ୍ରଣକୁ ନେଇ ପ୍ରସାଦ ଗଣମାଧ୍ୟମକୁ କହିଛନ୍ତି ଯେ, ମନମୋହନ ସିଂ ଏବଂ ସୋନିଆ ଗାନ୍ଧୀଙ୍କ ୧୦ ବର୍ଷର ଶାସନ ତଥା କଂଗ୍ରେସ ଶାସନ କାଳରେ ଯାହା ଘଟିଥିଲା, ଲୋକମାନେ ଜାଣନ୍ତି। ସେ କହିଛନ୍ତି ଯେ ମୋଦୀ ସରକାରରେ ଘାଟିରେ ଶାନ୍ତି ଫେରିବା ସହିତ ପର୍ଯ୍ୟଟକଙ୍କ ସଂଖ୍ୟା ବହୁଗୁଣିତ ହୋଇଛି। ପୂର୍ବତନ ଆଇନ ମନ୍ତ୍ରୀ କହିଛନ୍ତି ଯେ, ବାସ୍ବବରେ ଦୁଃଖର ବିଷୟ ହେଉଛି, ଏହି ପଦଯାତ୍ରାରେ ୩୦୦୦ କିଲୋମିଟର ଦୂରତା ଅତିକ୍ରମ କରିବା ପରେ ବି ଆରଏସଏସ ଓ ବିଜେପି ବିରୁଦ୍ଧରେ ରାହୁଲ ଗାନ୍ଧୀଙ୍କ ଆଭିମୁଖ୍ୟ ପୂର୍ବପରି ରହିଛି, କାରଣ ସେ ମୋଦୀ ସରକାରଙ୍କ ଉପରେ ଭିତ୍ତିହୀନ ଅଭିଯୋଗ କରିଥିଲେ। ଏହା ‘ଭାରତ ଯୋଡ଼ୋ ଯାତ୍ରା’ ନୁହେଁ, ବରଂ ବିଜେପି ସରକାର ଏବଂ ବିଶେଷ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଏକ ରାଜନୈତିକ ଅଭିଯାନ ଥିଲା। ସେ ପୁଣି କହିଛନ୍ତି ଯେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଶ୍ରୀନଗରରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ କିଏ ସର୍ବୋତ୍ତମ ନିରାପଦ ସୃଷ୍ଟି କରିଛି, ତାହା ରାହୁଲ ଗାନ୍ଧୀ ଗ୍ରହଣ କରିବା ଆବଶ୍ୟକ। କିନ୍ତୁ ସେ ପୁଣି କିଛି ଭିତ୍ତିହୀନ ଅଭିଯୋଗ କରିପାରନ୍ତି।
ଏହି ଖବର ଉପରେ ନଜର ପକାନ୍ତୁ: ଛାତ୍ର ରାଜନୀତିରୁ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଯାତ୍ରା ; ଏମିତି ଥିଲା ନବ ଦାସଙ୍କ ରାଜନୈତିକ କ୍ୟାରିୟର
ସୂଚନାଥାଉକି, ରାହୁଲ ଗାନ୍ଧୀ ଆରଏସଏସ ଏବଂ ବିଜେପି ଉପରେ ଦେଶରେ ବିଭାଜନ ଓ ଘୃଣାଭାବ ବାଣ୍ଟୁଥିବା ଅଭିଯୋଗ କରିଥିଲେ ଏବଂ ସୋମବାର ଶେଷ ହେବାକୁ ଥିବା ତାଙ୍କ ଯାତ୍ରା ଏକ ବିକଳ୍ପ ଦୃଷ୍ଟିକୋଣ ପ୍ରଦାନ କରିବାକୁ ଯାଉଛି ବୋଲି କୁହାଯାଇଛି। ଗାନ୍ଧୀ ରବିବାର ଦିନ ଶ୍ରୀନଗରର ଲାଲ ଚୌକରେ ଥିବା ଐତିହାସିକ ଘଣ୍ଟା ଟାୱାରରେ କଡ଼ା ସୁରକ୍ଷା ମଧ୍ୟରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।