ନୂଆଦିଲ୍ଳୀ,୧୧।୫: ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା ମଧ୍ୟରେ ବଢ଼ୁଥିବା ଉତ୍ତେଜନାର ପ୍ରଭାବ ଏବେ ବିଶ୍ୱ ଅର୍ଥନୀତି ଉପରେ ସ୍ପଷ୍ଟ ଭାବରେ ଦେଇଛି। ଏହା ଭାରତ ଉପରେ ମଧ୍ୟ ପ୍ରଭାବ ପକାଇପାରେ। ଏହି ପରିପ୍ରେକ୍ଷୀରେ, ଗୁଜରାଟର ଭଦୋଦରାରେ ସର୍ଦ୍ଦାର ଧାମ ଛାତ୍ରାବାସର ଉଦଘାଟନ ସମୟରେ ନରେନ୍ଦ୍ର ମୋଦି ନାଗରିକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୪ ଘଣ୍ଟା ମଧ୍ୟରେ ଦୁଇଥର ଦେଶବାସୀଙ୍କୁ ଏହି ନିବେଦନ କରିଛନ୍ତି। ରାଲିକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ବିଦେଶରୁ ଆମଦାନି ହେଉଥିବା ଉତ୍ପାଦର ବ୍ୟବହାର ହ୍ରାସ କରିବା ପାଇଁ ଏବଂ ବିଦେଶୀ ମୁଦ୍ରା ଆବଶ୍ୟକ କରୁଥିବା ବ୍ୟକ୍ତିଗତ କାର୍ଯ୍ୟକଳାପକୁ ଏଡାଇବା ପାଇଁ ସମସ୍ତ ପ୍ରକାରର ପ୍ରୟାସ, ଛୋଟ ହେଉ କି ବଡ଼, କରାଯିବା ଉଚିତ।
ସୋମବାର ସନ୍ଧ୍ୟାରେ ଭଦୋଦରାରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ମୋଦି ସୂଚାଇ ଦେଇଥିଲେ ଯେ ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଲୋକମାନେ ଛୋଟ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ ଉଚିତ। ସେ ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ହ୍ରାସ କରିବା, କାରପୁଲିଂ ଗ୍ରହଣ କରିବା, ଘରୁ କାମ ଏବଂ ଭର୍ଚୁଆଲ୍ ବୈଠକକୁ ଉତ୍ସାହିତ କରିବା ପାଇଁ ଆହ୍ୱାନ କରିଥିଲେ ଏବଂ ସ୍କୁଲଗୁଡ଼ିକୁ ଅନଲାଇନ୍ କ୍ଲାସ ପରିଚାଳନା କରିବାକୁ ଅପିଲ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ପ୍ରତ୍ୟେକ ନାଗରିକଙ୍କୁ ଆବେଦନ କରୁଛି ଯେ ସେମାନେ ଯଥା ସମ୍ଭବ ପେଟ୍ରୋଲ ଏବଂ ଡିଜେଲର ବ୍ୟବହାର ହ୍ରାସ କରନ୍ତୁ ଏବଂ ସାର୍ବଜନୀନ ପରିବହନ ବ୍ୟବହାର କରନ୍ତୁ। ଯେଉଁମାନଙ୍କ ପାଖରେ କାର ଅଛି ସେମାନେ ଗାଡିରେ ଅଧିକ ଲୋକଙ୍କୁ ନେଇ ସାଙ୍ଗରେ ଯାଆନ୍ତୁ। ସେ କହିଛନ୍ତି ଖାଇବା ତେଲ ଆମଦାନୀ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପରିମାଣର ବିଦେଶୀ ମୁଦ୍ରା ବ୍ୟବହାର କରେ। ତେଣୁ ‘ଭୋକାଲ ଫର ଲୋକାଲ୍’ ବର୍ତ୍ତମାନ ସମୟର ଆବଶ୍ୟକତା।’ ବିଦେଶୀ ଉତ୍ପାଦ ବଦଳରେ ଲୋକଲ ଜିନିଷ ଆପଣନ୍ତୁ। ଆପଣଙ୍କ ଗାଁ, ସହର, ଆପଣଙ୍କ ଦେଶର ଉଦ୍ୟୋଗୀମାନଙ୍କୁ ସଶକ୍ତ କରନ୍ତୁ। ଆମକୁ ଆମଦାନୀ ହେଉଥିବା ଉତ୍ପାଦର ବ୍ୟବହାର ହ୍ରାସ କରିବା ଏବଂ ବିଦେଶୀ ମୁଦ୍ରା ବ୍ୟବହାର କରୁଥିବା ବ୍ୟକ୍ତିଗତ କାର୍ଯ୍ୟକଳାପକୁ ଏଡାଇବା ପାଇଁ ସବୁପ୍ରକାର ପ୍ରୟାସ କରିବାକୁ ପଡିବ ବୋଲି କହିଛନ୍ତି। ଆର୍ଥିକ ଚାପକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ମୋଦି ଲୋକମାନଙ୍କୁ ସୁନା ନକିଣିବାକୁ କହିଛନ୍ତି। ବିଦେଶୀ ଉତ୍ପାଦ ବଦଳରେ ସ୍ୱଦେଶୀ ଉତ୍ପାଦ ବ୍ୟବହାର ଉପରେ ଗୁରୁତ୍ୱ ଦେଇଥିଲେ। ଏହା ସହ ଚାଷୀମାନଙ୍କୁ ରାସାୟନିକ ସାର ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ପ୍ରାକୃତିକ କୃଷି ଗ୍ରହଣ କରିବାକୁ ମଧ୍ୟ ଅପିଲ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ କିଛି ବର୍ଷ ଧରି ବିଶ୍ୱ ଏକାଧିକ ସଙ୍କଟର ସମ୍ମୁଖୀନ ହେଉଛି। ପ୍ରଥମେ, କୋଭିଡ-୧୯ ମହାମାରୀ, ତା'ପରେ ଆର୍ଥିକ ଅସ୍ଥିରତା ଏବଂ ଏବେ ପଶ୍ଚିମ ଏସିଆରେ ବଢ଼ୁଥିବା ଯୁଦ୍ଧ। ତାଙ୍କ ମତରେ, ଯଦି କରୋନା ଭାଇରସ୍ ଏହି ଶତାବ୍ଦୀର ସବୁଠାରୁ ବଡ଼ ସଙ୍କଟ, ତେବେ ପଶ୍ଚିମ ଏସିଆରେ ବର୍ତ୍ତମାନର ସଂଘର୍ଷ ଏହି ଦଶନ୍ଧିର ସବୁଠାରୁ ବଡ଼ ସଙ୍କଟ ମଧ୍ୟରୁ ଗୋଟିଏ ହୋଇପାରେ। ପିଏମ୍ ମୋଦି ବିଶ୍ବାସ ପ୍ରକାଶ କରିଛନ୍ତି ଯେ, ଯେଉଁ ଭଳି ଆମ ଦେଶ କରୋନା ଭାଇରସ୍ ମହାମାରୀ ସହିତ ଲଢ଼ିଛି, ସେହିପରି ଏହି ଚ୍ୟାଲେଞ୍ଜକୁ ମଧ୍ୟ ଦୂର କରାଯାଇପାରିବ। ସାଧାରଣ ଲୋକଙ୍କ ଉପରେ ବିଶ୍ୱ ପରିସ୍ଥିତିର ପ୍ରଭାବକୁ ହ୍ରାସ କରିବା ପାଇଁ ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଏକ ପ୍ରକାର ସ୍ପଷ୍ଟ କରୁଛି ଯେ, ବିଶ୍ୱ ସଙ୍କଟର ଏହି ସମୟରେ, ସତର୍କତା, ସଞ୍ଚୟ ଏବଂ ଆତ୍ମନିର୍ଭରଶୀଳତା ସର୍ବୋତ୍ତମ ସମର୍ଥନ ହୋଇପାରେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମଧ୍ୟ ରବିବାର ତେଲେଙ୍ଗାନାରେ ଏକ ସାଧାରଣ ରାଲିକୁ ସମ୍ବୋଧିତ କରି ଦେଶ ସ୍ୱାର୍ଥ ପାଇଁ ଗୋଟିଏ ବର୍ଷ ପାଇଁ ସୁନା କିଣିବାରୁ ନିବୃତ୍ତ ରହିବାକୁ ଅପିଲ୍ କରିଥିଲେ। ସେ ବିଶ୍ୱରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଷୟରେ ଆଲୋଚନା କରି କହିଥିଲେ, ବିଶ୍ୱ ସଂଘର୍ଷ ଭାରତ ଉପରେ ଗମ୍ଭୀର ପ୍ରଭାବ ପକାଉଛି।