ନୂଆଦିଲ୍ଲୀ,୨୯/୦୬: ଆସନ୍ତା ଜୁଲାଇ ୬-୭ରେ  ବ୍ରାଜିଲର ରିଓ ଡି ଜେନେରୋ ଠାରେ ହେବାକୁ ଥିବା ସପ୍ତଦଶ  ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ ।  ତେବେ ଏହି ବୈଠକରେ ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗ ଓ ରୁଷ  ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୋଗଦେବେ ନାହିଁ ବୋଲି ସୂଚନା  ମିଳିଛି । ସେମାନଙ୍କ ସ୍ଥାନରେ ଚୀନ୍‌ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ଓ ରୁଷ  ବିଦେଶ ମନ୍ତ୍ରୀ ସର୍ଗେ ଲାଭରୋଭ ଏହି ବୈଠକରେ ଯୋଗଦେବେ ।  

ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ଜୁଲାଇ ୨ରୁ ୫ ରାଷ୍ଟ୍ର ଗସ୍ତରେ ଯିବେ ।  ପ୍ରଥମେ ସେ ଜୁଲାଇ ୨-୩ରେ ଘାନା ଗସ୍ତରେ ରହିବେ । ଦୀର୍ଘ ୩୦ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ହେବ  ପ୍ରଥମ ଘାନା ଗସ୍ତ । ଏହା ପରେ ଜୁଲାଇ ୩-୪ରେ ତ୍ରିନିଦାଦ  ଓ ଟବାଗୋ ଗସ୍ତ କରିବେ । ୧୯୯୯ ପରେ ଏହା ଭାରତୀୟ  ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ । ଗସ୍ତର ତୃତୀୟ ପର୍ଯ୍ୟାୟରେ ଜୁଲାଇ  ୪-୫ରେ ମୋଦି ଆର୍ଜେଣ୍ଟିନା ଯିବେ । ସେଠାକାର ରାଷ୍ଟ୍ରପତି  ଜାଭିଏର ମିଲେଇଙ୍କ ସହ ସେ ଦ୍ୱିପାକ୍ଷିକ ଆଲୋଚନା କରିବେ ।  ଏହା ପରେ ମୋଦି ୫-୮ ତାରିଖ ପର୍ଯ୍ୟନ୍ତ ବ୍ରାଜିଲ ଗସ୍ତରେ  ଯିବେ । ସେଠାରେ ବ୍ରିକ୍ସ ସମ୍ମିଳନୀରେ ସାମିଲ ହେବେ । ଏହା  ହେବ ମୋଦିଙ୍କ ଚତୁର୍ଥ ବ୍ରାଜିଲ ଗସ୍ତ । ବ୍ରିକ୍ସ ସମ୍ମିଳନୀରେ ସେ  ବୈଶ୍ୱିକ ଶାସନରେ ସଂସ୍କାର, ଶାନ୍ତି ଓ ନିରାପତ୍ତା, ବହୁପକ୍ଷବାଦର  ସୁଦୃଢ଼ୀକରଣ, ଏଆଇର ଦାୟିତ୍ୱପୂର୍ଣ୍ଣ ବ୍ୟବହାର, ଜଳବାୟୁ, ସ୍ୱାସ୍ଥ୍ୟ  ଓ ଆର୍ଥିକ ସହଯୋଗ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ରଖିବେ ।  ଜୁଲାଇ ୯ରେ ଗସ୍ତର ଶେଷ ପର୍ଯ୍ୟାୟରେ ମୋଦି ନାମ୍ବିଆ ଯିବେ ।