ନୂଆଦିଲ୍ଲୀ,୦୯/୦୪; ୨ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି । ଆସାମ, କେରଳମ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି ରହିଛି । ୩ ରାଜ୍ୟରେ ୬.୧ କୋଟି ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରୁଛନ୍ତି । ୨୯୬ଟି ଆସନରେ ୧୮୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ଭୋଟିଂକୁ ନେଇ ଖାସ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରେକର୍ଡ ସଂଖ୍ୟାରେ ଭୋଟ ଦେଇ ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେବାକୁ କହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଆସାମବାସୀଙ୍କୁ ଏକ ବିଶେଷ ନିବେଦନ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରଧାନମନ୍ତ୍ରୀ କହିଛନ୍ତି, "୨୦୨୬ ଆସାମ ବିଧାନସଭା ନିର୍ବାଚନ ପାଇଁ ଭୋଟଦାନ ପ୍ରକ୍ରିୟା ଆରମ୍ଭ ହେବା ସହିତ, ମୁଁ ଆସାମବାସୀଙ୍କୁ ବହୁ ସଂଖ୍ୟାରେ ଆସି ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବାକୁ ନିବେଦନ କରୁଛି । ମୁଁ ଆଶା କରୁଛି ଯେ, ରାଜ୍ୟର ଯୁବପିଢ଼ି, ପୁରୁଷ ଏବଂ ମହିଳା ଭୋଟରମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିବେ ଏବଂ ଏହି ନିର୍ବାଚନକୁ ଗଣତନ୍ତ୍ର ଏବଂ ନାଗରିକ କର୍ତ୍ତବ୍ୟର ଏକ ଉତ୍ସବ ଭାବରେ ପରିଣତ କରିବେ। "
PM Narendra Modi tweets, "As polling begins for the Assam Assembly elections 2026, I appeal to the people of Assam to exercise their franchise in large numbers..." pic.twitter.com/8Hrec3S5nf
— ANI (@ANI) April 9, 2026
କେନ୍ଦ୍ରଶାସିତ ପ୍ରଦେଶ ପୁଡୁଚେରୀର ୩୦ଟି ଆସନ ପାଇଁ ମତଦାନ ଚାଲିଛି । ପ୍ରଧାନମନ୍ତ୍ରୀ ମୋଦି ପୁଡୁଚେରୀର ଜନସାଧାରଣଙ୍କୁ ଏକ ବିଶେଷ ନିବେଦନ କରିଛନ୍ତି । "ପୁଡୁଚେରୀ ବିଧାନସଭା ନିର୍ବାଚନ ଆରମ୍ଭ ହେବା ସହିତ, ମୁଁ ପ୍ରତ୍ୟେକ ଭୋଟରଙ୍କୁ ବାହାରକୁ ଆସି ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରୁଛି । ବିଶେଷକରି ଆମର ଯୁବ ଏବଂ ମହିଳା ଭୋଟରମାନଙ୍କୁ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ମଜବୁତ କରିବାକୁ ନିବେଦନ କରୁଛି । ପୁଡୁଚେରୀର ଭବିଷ୍ୟତ ଗଠନରେ ପ୍ରତ୍ୟେକ ଭୋଟ ଗୁରୁତ୍ୱପୂର୍ଣ୍ଣ ।
କେରଳମର ୧୪୦ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି । ପ୍ରଧାନମନ୍ତ୍ରୀ ମୋଦି କେରଳବାସୀଙ୍କୁ ଏକ ବିଶେଷ ନିବେଦନ କରିଛନ୍ତି । ସେ କହିଛନ୍ତି, "ମୁଁ କେରଳବାସୀଙ୍କୁ ନିର୍ବାଚନରେ ବହୁ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରୁଛି । ରେକର୍ଡ ଅଂଶଗ୍ରହଣ କେରଳର ଗଣତାନ୍ତ୍ରିକ ଭାବନାକୁ ଆହୁରି ମଜବୁତ କରିବ । ବିଶେଷକରି ରାଜ୍ୟର ଯୁବପିଢ଼ି ଏବଂ ମହିଳାମାନଙ୍କୁ ଆଗକୁ ଆସି ବହୁ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରୁଛି ।"
ଏହା ବି ପଢନ୍ତୁ...ଆସାମ,କେରଳମ, ପୁଡୁଚେରୀରେ ମତଦାନ ଜାରି, ୨୯୬ଟି ଆସନରେ ୧୮୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର
ସାକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ ଗ୍ରହଣ । ସନ୍ଧ୍ୟା ୬ଟା ଯାଏ ଭୋଟ ଗ୍ରହଣ ପ୍ରକ୍ରିୟା ଜାରି ରହିବ । କେରଳର ୧୪୦ଟି ବିଧାନସଭା ଆସନରେ ମତଦାନ ହେଉଛି । ସେଠାରେ ୮୮୩ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ୨.୭୧ କୋଟି ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି । ସେଠାରେ ବାମଦଳ ନେତୃତ୍ୱାଧୀନ ଶାସକ ଏଲ୍ଡିଏଫ୍, କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ଏବଂ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ମଧ୍ୟରେ ତ୍ରିକୋଣୀୟ ମୁକାବିଲା ହେବାକୁ ଯାଉଛି ।
ଆସାମରେ ୧୨୬ଟି ଆସନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି । ସେଥିଲାଗି ମୋଟ ୭୨୨ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି । ରାଜ୍ୟରେ ମୋଟ ୨.୪୯ କୋଟି ପଞ୍ଜୀକୃତ ଭୋଟର ଥିବାବେଳେ ସେଠାରେ ବିଜେପି ନେତୃତ୍ୱାଧୀନ ମେଣ୍ଟ ଏବଂ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଣ୍ଟ ମଧ୍ୟରେ ସିଧାସଳଖ ମୁକାବିଲା ହୋଇଛି । ୨୦୨୧ ନିର୍ବାଚନରେ ଏନ୍ଡିଏ ସେଠାରେ ୭୫ଟି ଆସନ ଜିତି କ୍ଷମତା ପୁନଃ ଦଖଲ କରିଥିଲା । ମେ’ ୪ରେ ଫଳାଫଳ ସାମ୍ନାକୁ ଆସିବ । ସେହିପରି କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ୩୦ଟି ବିଧାନସଭା ଆସନରେ ମଧ୍ୟ ଭୋଟିଂ ହୋଇଛି । ସେଠାରେ ପ୍ରାୟ ୯.୫ ଲକ୍ଷ ଭୋଟର ୨୯୪ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ।