ନୂଆଦିଲ୍ଲୀ,୨୫/୦୧: ଦୀର୍ଘ ୧୪୪ ବର୍ଷ ପରେ ପ୍ରୟାଗରାଜର ପବିତ୍ର ଭୂମିରେ ଚାଲିଛି ମହାକୁମ୍ଭ ମେଳା । ଆଉ ଏନେଇ ବିଶ୍ବର କୋଣଅନୁକୋଣରୁ ଆସିଥିବା ଶ୍ରଦ୍ଧାଳୁଙ୍କ ବୁଡ଼ରେ ମୁଖରିତ ହେଉଛି ପବିତ୍ର ଧାମ । ଏହି ଭବ୍ୟ ମେଳାରେ ଲକ୍ଷାଧିକ ସଂଖ୍ୟାରେ ସାଧୁ ,ମହାତ୍ମା , ବାବା , ସାଧ୍ବୀଙ୍କ ମେଳ ହୋଇଛି । ସାଧନାକୁ ଜୀବନର ଶୃଙ୍ଗାର କରିଥିବା ଅନେକ ବିଚିତ୍ର ବାବାଙ୍କୁ ଏହି ମେଳାରେ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ଫେବୃଆରୀରେ ମହାକୁମ୍ଭରେ ସ୍ନାନ କରିବେ ବୋଲି ତାଙ୍କର କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ସେହି ଦିନ କଂଗ୍ରେସ ରାଜ୍ୟ ସଭାପତି ଅଜୟ ରାୟ ମଧ୍ୟ ତ୍ରିବେଣୀରେ ବୁଡ଼ ପକାଇବେ।
ତେବେ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷଙ୍କ ସହ ଦଳର ଆଉ କେତେଜଣ ନେତା ଓ ପଦାଧିକାରୀ ମଧ୍ୟ ସେହିଦିନ ବୁଡ ପକାଇବେ। ସେହିପରି ଉପରାଷ୍ଟ୍ରପତି ଫେବୃଆରୀ ୨ ରେ ପ୍ରୟାଗର ସଙ୍ଗମରେ ବୁଡ଼ ପକାଇବାର ସମ୍ଭାବନା ରହିଛି। ଏହା ସହିତ, ମାନ୍ୟବର ରାଷ୍ଟ୍ରପତି ୧୦ ଫେବୃଆରୀରେ ପ୍ରୟାଗରାଜ ପରିଦର୍ଶନ କରିପାରନ୍ତି ବୋଲି ସୂଚନା ମିଳିଛି। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସେ ସହରରେ ଆୟୋଜିତ କେତେକ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହି ଉଚ୍ଚ ପଦାଧିକାରୀଙ୍କ ଆଗମନ ହେତୁ ପ୍ରଶାସନିକ ଏବଂ ସୁରକ୍ଷା ପ୍ରସ୍ତୁତି ରଖାଯାଇଛି।