ନୂଆଦିଲ୍ଲୀ,୦୧/୦୯: ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ମହାଶକ୍ତି । ଚୀନ୍‌ ତିଆନଜିନ୍‌ରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ଏକାଠି ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚୀନ୍ ରାଷ୍ଟ୍ରପତି ଜିନ୍‌ପିଙ୍ଗ ଓ  ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ବିଶ୍ୱ ଦେଖିଲା ତିନି ମହାଶକ୍ତିଙ୍କ ମହାମିଳନ ।  ତିନି ନେତା ପରସ୍ପର ସହ ହାତ ମିଳାଇବା ସହିତ ଅଭିନନ୍ଦନ ଜଣାଇଛନ୍ତି । ସମ୍ମିଳନୀରେ ସମ୍ବୋଧନ କରି ପାକିସ୍ତାନକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଶାନ୍ତି ପ୍ରତିଷ୍ଠା ଦିଗରେ ଆତଙ୍କବାଦ ସବୁଠୁ ବଡ଼ ପ୍ରତିବନ୍ଧକ । କିଛି ଦେଶର ସମର୍ଥନ ସ୍ୱୀକାର ନୁହେଁ ବୋଲି ଏସ୍‌ସିଓ ମଞ୍ଚରୁ ପାକିସ୍ତାନକୁ ସିଧା ସଧା ଶୁଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏସ୍‌ସିଓ ମଞ୍ଚରେ ପହଲଗାମ ଆତଙ୍କୀ ଆକ୍ରମଣ କଥା ଉଠାଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ''ଶାନ୍ତି ପ୍ରତିଷ୍ଠା ଦିଗରେ ଆତଙ୍କବାଦ ସବୁଠୁ ବଡ଼ ପ୍ରତିବନ୍ଧକ । ସୁରକ୍ଷା, ଶାନ୍ତି ଓ ସ୍ଥିରତା ଯେ କୌଣସି ଦେଶର ବିକାଶ ପାଇଁ ଜରୁରୀ କିନ୍ତୁ ଆତଙ୍କବାଦ ଏସବୁ ପାଇଁ ପ୍ରତିବନ୍ଧକ ସାଜିଛି । ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣେଇବା ଉଚିତ୍ । ଦୀର୍ଘ ଦଶନ୍ଧିରୁ ଭାରତ ଆତଙ୍କବାଦର ପୀଡ଼ା ସହିଛି । ନିକଟରେ ପହଲଗାମ ହମ୍‌ଲା ଏହାର ଉଦାହରଣ । ପହଲଗାମ ଦେଖିଛି ଆତଙ୍କୀଙ୍କ ଜଘନ୍ୟ ରୂପ । ଅନେକ ମାଆ ନିଜ ସନ୍ତାନ ହରାଇଛନ୍ତି, ଅନେକ ଅନାଥ ହୋଇଛନ୍ତି । ନିକଟରେ ପହଲଗାମ ହମ୍‌ଲା ମାନବିକତା ଉପରେ ଆକ୍ରମଣ ଥିଲା । ଏଭଳି କଠିନ ସମୟରେ ଭାରତକୁ ସମର୍ଥନ କରିଥିବା ମିତ୍ର ଦେଶଗୁଡ଼ିକୁ ଧନ୍ୟବାଦ ଜଣାଉଛି । ଭାରତ ଟେରର ଫଣ୍ଡିଂ ବିରୋଧରେ ବି ସ୍ବର ଉଠାଇଛି । ଆମେ ଆତଙ୍କବାଦର ପ୍ରତ୍ୟେକଟି ସ୍ବରୂପକୁ ବିରୋଧ କରୁଛୁ । ଆତଙ୍କବାଦ ପ୍ରସଙ୍ଗରେ କୌଣସି ଡବଲ୍ ଷ୍ଟାଣ୍ଡାର୍ଡ ଚାଲିବନି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ''ଏହା ଖୁସିର କଥା ଯେ ଏସସିଓ ସମୟର ପରିବର୍ତ୍ତିନ ସହିତ ବିକଶିତ ହେଉଛି । ସଂଗଠିତ ଅପରାଧ, ନିଶା କାରବାର, ସାଇବର ସୁରକ୍ଷା ଭଳି ଚ୍ୟାଲେଞ୍ଜର ମୁକାବିଲା ପାଇଁ ୪ଟି ନୂଆ କେନ୍ଦ୍ର ସ୍ଥାପନ କରାଯାଉଛି । ଆମେ ଏହି ସଂସ୍କାରମୁଖୀ ଚିନ୍ତାଧାରାକୁ ସ୍ୱାଗତ କରୁଛୁ । ଆଜି ଭାରତ ରିଫର୍ମ, ପଫର୍ମ, ଓ ଟ୍ରନ୍ସଫର୍ମ ମୂଳ ମନ୍ତ୍ରରେ ଆଗକୁ ବଢୁଛି । କୋଭିଡ ହେଉକି ବୈଶ୍ୱିକ ଆର୍ଥିକ ଅସ୍ଥିରତା ଆମେ ଏହି ଚ୍ୟାଲେଞ୍ଜକୁ ଅବସରରେ ପରିଣତ କରିଛୁ । ଭାରତର ଏହି ବିକାଶ ଯାତ୍ରାରେ ଯୋଡି ହେବାକୁ ଆମନ୍ତ୍ରଣ କରୁଛି ।''

ଚୀନ୍‌ର ତିଆନଜିନ୍‌ରେ ଏସ୍‌ସିଓ ଅଧିବେଶନରେ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ କହିଛନ୍ତି, "ମୁଁ ଦ୍ୱିପାକ୍ଷିକ ବୈଠକ ସମୟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ମୋର ଆଲାସ୍କା ସାକ୍ଷାତକାର ବିବରଣୀ ବିଷୟରେ ନେତାମାନଙ୍କୁ ଅବଗତ କରାଇଉଛି । ମସ୍କୋର ସ୍ଥିତିକୁ ନେଇ କହୁଛି ଯେ ୟୁକ୍ରେନରେ ସଙ୍କଟ 'ଆକ୍ରମଣ' ଯୋଗୁଁ ହୋଇନାହିଁ, ବରଂ ୟୁକ୍ରେନର ପଶ୍ଚିମ ସହଯୋଗୀମାନଙ୍କ ଦ୍ୱାରା ସମର୍ଥିତ କିଭ୍‌ରେ ଏକ ବିଦ୍ରୋହର ଫଳସ୍ୱରୂପ ସୃଷ୍ଟି ହୋଇଛି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଆଲାସ୍କା ଶିଖର ସମ୍ମିଳନୀରେ ହୋଇଥିବା ବୁଝାମଣା ୟୁକ୍ରେନରେ ଶାନ୍ତିର ପଥ ଖୋଲିଛି । ୟୁକ୍ରେନର ସଙ୍କଟର ସମାଧାନ ପାଇଁ ଚୀନ୍ ଏବଂ ଭାରତର ପ୍ରୟାସକୁ ମୁଁ ପ୍ରଶଂସା କରୁଛି । "